ରାଜରାସ୍ତାରେ ସରକାରୀ କର୍ମଚାରୀ
ଜୋର ଧରିଲା ଦରମା ବୃଦ୍ଧି ଦାବି, ୨୩ ହଜାର ଶିକ୍ଷାନୁଷ୍ଠାନ ପ୍ରଭାବିତ, ଚିନ୍ତାରେ ସୁନକ୍ ସରକାର
ଲଣ୍ଡନ୍ (ଏଜେନ୍ସି): ମିଳୁଥିବା ମାସିକ ଦରମାକୁ ବ୍ରିଟେନ୍ରେ ସରକାରୀ କର୍ମଚାରୀଙ୍କ ଅସନ୍ତୋଷ ଦିନକୁ ଦିନ ବଢ଼ିବାରେ ଲାଗିଛି । ସରକାରୀ କର୍ମଚାରୀମାନେ ବିଭିନ୍ନ ପର୍ଯ୍ୟାୟରେ ସେମାନଙ୍କ ଦରମା ବୃଦ୍ଧି ନେଇ ଦାବି କରିଆସୁଛନ୍ତି । କିଛି ଦିନ ର୍ପୂେବ ବ୍ରିଟେନ୍ରେ ଷ୍ଟାଫ୍ ନର୍ସ ତଥା ଅନ୍ୟ ପାରାମେଡିକାଲ କର୍ମଚାରୀଙ୍କୁ ଜୋରଦାର ପ୍ରଦର୍ଶନ ଦେଖିବାକୁ ମିଳିଥିବା ବେଳେ ଏବେ ରାଜରାସ୍ତାକୁ ଓହ୍ଲାଇଛନ୍ତି ହଜାର ହଜାର ଶିକ୍ଷକ-ଶିକ୍ଷୟିତ୍ରୀ । ଫଳରେ ଦେଶର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରାୟ ୨୩ହଜାର ଶିକ୍ଷାନୁଷ୍ଠାନ ଗୁରୁତର ଭାବେ ପ୍ରଭାବିତ ହୋଇଛି । ଶିକ୍ଷାର୍ଥୀଙ୍କ ପାଠପଢ଼ାରେ ବ୍ୟାଘାତ ସୃଷ୍ଟି ହୋଇଛି । ଏହାକୁ ନେଇ ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଏବଂ ଶିକ୍ଷାମନ୍ତ୍ରୀ ଗିଲିୟାନ୍ କିଗାନ୍ ଦୁଃଖ ବ୍ୟକ୍ତ କରିଛନ୍ତି ।
ତେବେ ବ୍ରିଟେନ୍ରେ ଦୀର୍ଘ ୧ଠ ବର୍ଷ ପରେ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ଏହି ଧର୍ମଘଟ ରୂପେ ସରକାରୀ ବିରୋଧୀ ଜନଅସନ୍ତୋଷ ଦେଖିବାକୁ ମିଳିଛି । ଶିକ୍ଷକ-ଶିକ୍ଷୟିତ୍ରୀ, ବିଶ୍ୱ ବିଦ୍ୟାଳୟ ତଥା କଲେଜସ୍ତରୀୟ ଅଧ୍ୟାପକ-ଅଧ୍ୟାପିକା, ପ୍ରଶାସନିକ କର୍ମଚାରୀ, ଟ୍ରେନ୍ ଏବଂ ବସ୍ ଡ୍ରାଇଭର ଭଳି ପ୍ରାୟ ୧୨୪ଟି ସରକାରୀ ବିଭାଗର ପ୍ରାୟ ୧ ଲକ୍ଷ କର୍ମଚାରୀ ଏହି ବିକ୍ଷୋଭରେ ସାମିଲ ହୋଇଛନ୍ତି । ପ୍ରାୟ ଏକ ଦଶନ୍ଧି ପରେ ଦେଶରେ ପ୍ରଥମ ଥର ପାଇଁ ଏଭଳି ପରିସ୍ଥିତି ଉପୁଜିଛି । ଏତଦ୍ବ୍ୟତୀତ ଆସନ୍ତା ୬ରୁ ଷ୍ଟାଫ୍ ନର୍ସ ଏବଂ ଆମ୍ବୁଲାନ୍ସ କର୍ମଚାରୀମାନେ ପୁଣିଥରେ ଧର୍ମଘଟ କରିବେ ବୋଲି ସେମାନଙ୍କ ସଂଘ ଘୋଷଣା କରିଛି । ଫଳରେ ପ୍ରଧାନମନ୍ତ୍ରୀ ଋଷି ସୁନକ୍ ଏବଂ ତାଙ୍କ ସରକାରଙ୍କ ପାଇଁ ଚିନ୍ତା ବଢ଼ିଯାଇଛି ।