୪୫ ଲକ୍ଷ କୋଟିର ବଜେଟ୍
ସ୍ୱାସ୍ଥ୍ୟ, ଶିକ୍ଷା ଓ ରେଳବାଇକୁ ପ୍ରାଧାନ୍ୟ
୭ ଲକ୍ଷ ପର୍ଯ୍ୟନ୍ତ ଆୟକର ନାହିଁ
୮ ବର୍ଷ ପରେ ଆୟକର ରିହାତି ସୀମା ବୃଦ୍ଧି
ଗରିବଙ୍କୁ ଆଉ ବର୍ଷେ ମାଗଣା ଖାଦ୍ୟଶସ୍ୟ
ଖୋଲିବ ୧୫୭ ନର୍ସିଂ କଲେଜ ଓ ଏକ୍ସିଲେନ୍ସ ଇନ୍ଷ୍ଟିଚୁ୍ୟଟ୍
ଏକଲବ୍ୟ ସ୍କୁଲ୍ରେ ୩୮,୮ଠଠ ନିଯୁକ୍ତି
ମହିଳା ସମ୍ମାନ ବଚତପତ୍ର ଯୋଜନା
ବରିଷ୍ଠ ନାଗରିକ ସଞ୍ଚୟ ସୀମା ୨ଗୁଣ ବୃଦ୍ଧି
ସଂଖ୍ୟାଲଘୁଙ୍କ ଉପରୁ ହଟିଲା ଫୋକସ୍
ପିଏମ୍ ଆବାସ ପାଇଁ ୭୯୦୦୦ କୋଟି
୫-ଜି ଆପ୍ ବିକାଶ ଲାଗି ୧୦୦ ଲାବ୍
ପ୍ରତି ବ୍ୟକ୍ତିଙ୍କ ଆୟ ୯ ବର୍ଷରେ ୨ଗୁଣ ବୃଦ୍ଧି
ନୂଆଦିଲ୍ଲୀ, ୧ା୨: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଥିବା ୨୦୨୩-୨୪ ଆର୍ଥôକ ବର୍ଷ ପାଇଁ ବୁଧବାର ଲୋକସଭାରେ ୪୫ ଲକ୍ଷ ୩ ହଜାର ୯୭ କୋଟି ଟଙ୍କାର ସାଧାରଣ ବଜେଟ୍ ଉପସ୍ଥାପନ କରିଛନ୍ତି । ରାଜସ୍ୱ ନିଅଣ୍ଟ ଭରଣା ପାଇଁ କେନ୍ଦ୍ର ସରକାର ଆଗାମୀ ଆର୍ଥôକ ବର୍ଷରେ ୧୫.୪ ଲକ୍ଷ କୋଟି ଟଙ୍କା ଋଣ ଆଣିବେ । ଲକ୍ଷ୍ୟ ଅନୁଯାୟୀ ରାଜସ୍ୱ ସଂଗ୍ରହ ହୋଇପାରିବ ନାହିଁ ବୋଲି ଅର୍ଥମନ୍ତ୍ରୀ ଆଶଙ୍କା ବ୍ୟକ୍ତ କରିଛନ୍ତି । ୨୦୨୨-୨୩ ଆର୍ଥôକ ବର୍ଷରେ ସରକାରଙ୍କ ମୋଟ୍ ଋଣ ପରିମାଣ ୧୪.୨୧ ଲକ୍ଷ କୋଟି ଟଙ୍କା ।
ଏହା ନିର୍ମଳାଙ୍କ ପଞ୍ଚମ, ମୋଦି ସରକାରଙ୍କ ଦଶମ ଓ ଦେଶର ୭୫ତମ ବଜେଟ୍ । ୧ ଘଣ୍ଟା ୨୭ ମିନିଟ୍ର ବଜେଟ୍ ଭାଷଣ ଆରମ୍ଭରେ ସେ କହିଛନ୍ତି, ଅମୃତକାଳରେ ଏହା ପ୍ରଥମ ବଜେଟ୍ । ଆମେ ଏକ ସମୃଦ୍ଧ ତଥା ସମାବେଶୀ ଭାରତର କଳ୍ପନା କରିଛୁ । ଯେଉଁଥିରେ ସବୁ କ୍ଷେତ୍ରର ନାଗରିକ ଉପକୃତ ହେବେ । ବିଶେଷକରି ଆମ ଯୁବାବର୍ଗ, ମହିଳା, ଚାଷୀ, ଓବିସି, ଅନୁସୂଚିତ ଜାତି ଓ ଜନଜାତିଙ୍କୁ ବିକାଶର ଫାଇଦା ମିଳିବ । ୨୦୧୪ରୁ ସରକାରଙ୍କ ନିରବଚ୍ଛିନ୍ନ ପ୍ରୟାସ ଫଳରେ ଭାରତୀୟଙ୍କ ଜୀବନର ଗୁଣବତ୍ତା ବୃଦ୍ଧି ପାଇଛି । ପ୍ରତି ବ୍ୟକ୍ତିଙ୍କ ଆୟ ୨ ଗୁଣରୁ ଅଧିକ ହୋଇ ୧.୯୭ ଲକ୍ଷ ଟଙ୍କା ହୋଇଛି ।
୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ମୋଦି ସରକାରଙ୍କର ଏହା ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଏଥିରେ ଅନେକ ବଡ ଘୋଷଣା କରାଯାଇଛି । ସେଥିରୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଘୋଷଣା ହେଉଛି ଆୟକର ସ୍ଲାବ୍ରେ ପରିବର୍ତ୍ତନ । ୮ ବର୍ଷ ପରେ ଏପରି ପରିବର୍ତ୍ତନ ଆଣି ଅର୍ଥମନ୍ତ୍ରୀ ବାର୍ଷିକ ୭ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ରୋଜଗାର କରୁଥିବା ବ୍ୟକ୍ତିଙ୍କ ପାଇଁ ଆୟକର ଛାଡ ପ୍ରସ୍ତାବ ଦେଇଛନ୍ତି । ଫଳତଃ ମଧ୍ୟବିତ୍ତ ବର୍ଗ ବିଶେଷ ଉପକୃତ ହେବେ ।
ଅର୍ଥମନ୍ତ୍ରୀ କହିଛନ୍ତି, ଅମୃତକାଳର ପ୍ରଥମ ବଜେଟ୍ ସାତଟି ଅଗ୍ରାଧିକାର ଭିତ୍ତିରେ କାର୍ଯ୍ୟକାରୀ ହେବ ।
ଏହା ସପ୍ତଋଷି ସଦୃଶ । ସେଗୁଡିକ ହେଲା-୧) ସମାବେଶୀ ବିକାଶ, ୨) ଶେଷ ଲକ୍ଷ୍ୟସ୍ଥଳରେ ପହଞ୍ଚବା, ୩) ଭିତ୍ତିଭୂମି ଏବଂ ପୁଞ୍ଜିନିବେଶ, ୪) ସାମର୍ଥ୍ୟର ଉପଯୋଗ, ୫) ସବୁଜ ଅଭିବୃଦ୍ଧି, ୬) ଯୁବଶକ୍ତି ଓ ୭)ଆର୍ଥିକ କ୍ଷେତ୍ର ।
ଗରିବ କଲ୍ୟାଣ ଅନ୍ନ ଯୋଜନାରେ ମାଗଣା ଖାଦ୍ୟଶସ୍ୟ ଯୋଗାଣର ଅବଧିକୁ ଆଉ ବର୍ଷେ ବଢାଇ ଦିଆଯିବ ବୋଲି ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି । ଯୁବାବର୍ଗ ପାଇଁ ଷ୍ଟାର୍ଟଅପ୍ ଫଣ୍ଡ୍, ୩ ବର୍ଷ ପର୍ଯ୍ୟନ୍ତ ୪୭ ଲକ୍ଷ ଯୁବକ-ଯୁବତୀଙ୍କୁ ଭତ୍ତା ପ୍ରଦାନ, ଇଣ୍ଟରନ୍ୟାସ୍ନାଲ୍ ସ୍କିଲ୍ ସେଣ୍ଟର ପ୍ରତିଷ୍ଠା ପ୍ରଭୃତି ବଜେଟ୍ରେ ଘୋଷଣା କରାଯାଇଛି । ଆଦିବାସୀ କ୍ଷେତ୍ର ପାଇଁ ଏକଲବ୍ୟ ସ୍କୁଲ୍ଗୁଡିକରେ ଆଗାମୀ ୩ ବର୍ଷ ଭିତରେ ୩୮ ହଜାର ୮୦୦ ଶିକ୍ଷକଙ୍କୁ ନିଯୁକ୍ତି କରାଯିବ । ଆଦିବାସୀ ଗ୍ରାମଗୁଡିକର ବିକାଶ ପାଇଁ ୩ ବର୍ଷରେ ୧୫ ହଜାର କୋଟି ଟଙ୍କାର ବ୍ୟୟ କରାଯିବ । ଏହି ଯୋଜନାରେ ଆରମ୍ଭ ହେବ ପିଏମ୍ପିବିଟିଜି ବିକାଶ ମିଶନ ।
ଦେଶର ପାରମ୍ପରିକ କାରିଗର ଓ ଶିଳ୍ପୀମାନଙ୍କ ପାଇଁ ପିଏମ୍ ବିଶ୍ୱକର୍ମା କୌଶଳ ସମ୍ମାନ ପ୍ୟାକେଜ୍ ଆଣିଛନ୍ତି ଅର୍ଥମନ୍ତ୍ରୀ । ଏହାଦ୍ୱାରା କାରିଗରମାନେ ଏମ୍ଏସ୍ଏମ୍ଇ ସହ ଯୋଡି ହେବେ । ସେମାନଙ୍କ ଉତ୍ପାଦର ମାନ ତଥା ପରିମାଣ ବୃଦ୍ଧି ସହ ସେସବୁକୁ ମାର୍କେଟିଂରେ ସହାୟତା କରିବା ଏହି ଯୋଜନାର ଲକ୍ଷ୍ୟ ।
ଭାରତରେ ସବୁଠୁ ବେଶି ମିଲେଟ୍ ଉତ୍ପାଦିତ ହେଉଛି । ଏହାର ରପ୍ତାନୀ କ୍ଷେତ୍ରରେ ଭାରତ ଦ୍ୱିତୀୟ ସ୍ଥାନରେ ଅଛି । ବଜେଟ୍ରେ ମିଲେଟ୍ ପାଇଁ ଭାରତକୁ ଗ୍ଲୋବାଲ୍ ହବ୍ କରାଯିବା ପ୍ରସ୍ତାବ ଦିଆଯାଇଛି । ସେହି ଅନୁଯାୟୀ, ସରକାର ହାଇଦରାବାଦ୍ର ଇଣ୍ଡିଆନ୍ ଇନ୍ଷ୍ଟିଚୁ୍ୟଟ୍ ଅଫ୍ ଶ୍ରୀଅନ୍ନକୁ ସହାୟତା ଯୋଗାଇ ଏକ ରାଷ୍ଟ୍ରୀୟ ସ୍ତରର ପ୍ରତିଷ୍ଠାନରେ ପରିଣତ କରିବେ ।
କୃଷି କ୍ଷେତ୍ରକୁ ଆଧୁନିକ କରିବା ଉଦେ୍ଦଶ୍ୟରେ ସମସ୍ତ ସୂଚନା ଡିଜିଟାଲ୍ ପ୍ଲାଟ୍ଫର୍ମରେ ସ୍ଥାନୀତ କରିବାକୁ ନିଷ୍ପତ୍ତି ନିଆଯାଇଛି ।
ଅର୍ଥମନ୍ତ୍ରୀ କହିଛନ୍ତି ବରିଷ୍ଠ ନାଗରିକଙ୍କୁ ଆର୍ଥିକ କ୍ଷେତ୍ରରେ ମଜଭୁତ କରିବା ଉଦେ୍ଦଶ୍ୟରେ ମାସିକ ସଞ୍ଚୟ ପରିମାଣ ଦୁଇଗୁଣ କରାଯାଇଛି । ବରିଷ୍ଠ ନାଗରିକ ମାସିକ ସଞ୍ଚୟ ସୀମା ୧୫ ଲକ୍ଷ ଥିଲା । ବଜେଟ୍ରେ ଏହାକୁ ୩୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ସେହିପରି ମାସିକ ସଞ୍ଚୟ ସୀମା ସର୍ବାଧିକ ଏକକ ଆକାଉଣ୍ଟ କ୍ଷେତ୍ରରେ ୯ ଲକ୍ଷ ଟଙ୍କା କରାଯାଇଛି । ପୂର୍ବରୁ ଏହା ୪.୫ ଲକ୍ଷ ଟଙ୍କା ଥିଲା । ଜଏଣ୍ଟ୍ ଆକାଉଣ୍ଟ କ୍ଷେତ୍ରରେ ସର୍ବୋଚ୍ଚ ସଞ୍ଚୟ ସୀମା ୯ଲକ୍ଷ ଟଙ୍କାରୁ ୧୫ ଲକ୍ଷକୁ ବୃଦ୍ଧି କରାଯାଇଛି । ଏହାଦ୍ୱାରା ଅଧିକ ସଞ୍ଚୟ ପାଇଁ ଆଗ୍ରହୀ ବ୍ୟକ୍ତି ବିଶେଷ ଉପକୃତ ହେବେ ବୋଲି ସୀତାରମଣ ଆଶାବ୍ୟକ୍ତ କରିଛନ୍ତି ।
କେନ୍ଦ୍ରୀୟ ବଜେଟ୍ରେ ମହିଳା ସମ୍ମାନ କ୍ଷୁଦ୍ର ସଞ୍ଚୟ ସାର୍ଟିଫିକେଟ (ମହିଳା ସମ୍ମାନ ବଚତପତ୍ର ଯୋଜନା) ନାମରେ ଏକ ନୂତନ ସ୍ୱଳ୍ପ ଅବଧିର ଯୋଜନା ଘୋଷଣା କରାଯାଇଛି । ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ମହିଳାଙ୍କୁ ସଶକ୍ତ କରିବା ଲାଗି ଏହି ଏକକାଳୀନ ସ୍ୱଳ୍ପ ଅବଧିର ସଞ୍ଚୟ ଯୋଜନାରେ ମହିଳା କିମ୍ବା ବାଳିକାମାନେ ଜମା କରିପାରିବେ । ଦୁଇବର୍ଷ ସମୟ ପାଇଁ ସର୍ବାଧିକ ୨ ଲକ୍ଷ ଟଙ୍କା ଏହି ଯୋଜନାରେ ଜମା କରାଯାଇପାରିବ । ଏହା ଉପରେ ୭.୭ % ସୁଧ ମିଳିବ ଏବଂ ଅବଧି ପୂର୍ବରୁ ଆଂଶିକ ଉଠାଣ ସୁବିଧା ମିଳିବ ।
୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ସବ୍କା ସାଥ୍, ସବ୍କା ବିକାଶ ଔର ସବ୍କା ବିଶ୍ୱାସ’ ନାରା ଦେଇଥିଲେ । ଏଥର ବଜେଟ୍ରେ କିନ୍ତୁ ସଂଖ୍ୟାଲଘୁଙ୍କ ପାଇଁ ୩୦୯୭.୬୦ କୋଟି ଟଙ୍କା ବ୍ୟୟବରାଦ ହୋଇଛି । ଯାହାକି ପୂର୍ବ ବର୍ଷ ଅପେକ୍ଷା ୩୮% କମ୍ ।
ଏଥର ବଜେଟ୍ରେ ସଂଖ୍ୟାଲଘୁ ମନ୍ତ୍ରାଳୟକୁ ୫୦୨୦.୫୦ କୋଟି ଟଙ୍କା ଆବଣ୍ଟିତ କରାଯାଇଛି । ତେବେ ରିଭାଇଜ୍ଡି ଏଷ୍ଟିମେଟ୍ ଅନୁଯାୟୀ ମନ୍ତ୍ରାଳୟ ଆଗାମୀ ଆର୍ଥôକ ବର୍ଷରେ ସେଥିରୁ ମାତ୍ର ୨୬୧୨.୬୬ କୋଟି ଟଙ୍କା ଖର୍ଚ୍ଚ କରିପାରିବ ।