ଟି-୨୦ରେ ଭାରତର ସର୍ବବୃହତ୍ ବିଜୟ
ଅହମଦାବାଦ, ୧ା୨ (ଏଜେନ୍ସି): ଶୁଭମନ ଗିଲ୍ଙ୍କ କ୍ୟାରିଅରର ପ୍ରଥମ ଟି-୨୦ ଶତକ ପରେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ନେତୃତ୍ୱରେ ବୋଲର୍ଙ୍କ ଘାତକ ବୋଲିଂ ବଳରେ ଟିମ୍ ଇଣ୍ଡିଆ ବୁଧବାର ନିର୍ଣ୍ଣାୟକ ଟି-୨୦ରେ ନୁ୍ୟଜିଲାଣ୍ଡକୁ ୧୬୮ ରନ୍ରେ ପରାସ୍ତ କରିଛି । ଟି-୨୦ ଆନ୍ତର୍ଜାତିକରେ ରନ୍ ବ୍ୟବଧାନ ଦୃଷ୍ଟିରୁ ଭାରତର ଏହା ସର୍ବବୃହତ୍ ବିଜୟ । ଏଥିସହିତ ଭାରତ ୨-୧ରେ ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳା ଜିତିଛି । ଶୁଭମନ ପ୍ଲେୟାର୍ ଅଫ୍ ଦ ମ୍ୟାଚ୍ ଓ ହାର୍ଦ୍ଦିକ ପ୍ଲେୟାର୍ ଅଫ୍ ଦ ସିରିଜ୍ ବିବେଚିତ ହୋଇଛନ୍ତି । ହାର୍ଦ୍ଦିକଙ୍କ ନେତୃତ୍ୱରେ ଭାରତର ଏହା ଚତୁର୍ଥ ଶୃଙ୍ଖଳା ବିଜୟ ।
ଭାରତର ପୂର୍ବ ରେକର୍ଡ ଥିଲା ୧୪୩ ରନ୍ରେ ବିଜୟ । ଟିମ୍ ଇଣ୍ଡିଆ ୨୦୧୮ରେ ଆୟରଲାଣ୍ଡକୁ ଏହି ବ୍ୟବଧାନରେ ହରାଇଥିଲା । ଅନ୍ୟପଟେ, ନୁ୍ୟଜିଲାଣ୍ଡର ଏହା ସର୍ବବୃହତ୍ ଟି-୨୦ ପରାଜୟ । ଟେଷ୍ଟ ଖେଳୁଥିବା ଦେଶଗୁଡ଼ିକ ମଧ୍ୟରେ ଟି-୨୦ ଆନ୍ତର୍ଜାତିକରେ ସର୍ବବୃହତ୍ ବିଜୟ ରେକର୍ଡ ଶ୍ରୀଲଙ୍କା (୧୭୨ ରନ୍) ନାମରେ ରହିଛି । ଭାରତ ଦ୍ୱିତୀୟ ସ୍ଥାନରେ ପହଞ୍ଚିଛି ।
୨୩୫ ରନ୍ର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିଥିବା ନୁ୍ୟଜିଲାଣ୍ଡ ଟିମ୍ ପ୍ରଥମରୁ ବ୍ୟାଟିଂ ବିପର୍ଯ୍ୟୟ ସମ୍ମୁଖୀନ ହୋଇ ୧୨.୧ ଓଭର୍ରେ ମାତ୍ର ୬୬ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ମାତ୍ର ୨୧ ରନ୍ରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଟିମ୍ ପକ୍ଷରୁ ଡାରିଲ୍ ମିଚେଲ୍ ସର୍ବାଧିକ ୩୫ ରନ୍ କରିଥିବା ବେଳେ ଅଧିନାୟକ ମିଚେଲ୍ ସାଣ୍ଟନର ୧୩ ରନ୍ର ଇନିଂସ୍ ଖେଳିଥିଲେ । ସେମାନଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ ।
ଭାରତ ପକ୍ଷରୁ ହାର୍ଦ୍ଦିକ ୧୬ ରନ୍ ଦେଇ ୪ ଏବଂ ଅର୍ଶଦୀପ ସିଂହ, ଉମରାନ୍ ମଲିକ ଓ ଶିବମ୍ ମାଭୀ ୨ ଲେଖାଏଁ ୱିକେଟ୍ ନେଇଥିଲେ ।
ଏହା ପୂର୍ବରୁ ଭାରତୀୟ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ । ସ୍ପିନର୍ ଯୁଜବେନ୍ଦ୍ର ଚହଲଙ୍କ ସ୍ଥାନରେ ପେସର୍ ଉମରାନ ମଲିକଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ୍ କରାଯାଇଥିଲା ।
ଈଶାନ କିଶନ୍ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ପୁଣି ଥରେ ବିଫଳ ହୋଇଥିଲେ । ମ୍ୟାଚ୍ର ଦ୍ୱିତୀୟ ଓଭର୍ରେ ଟିମ୍ର ସ୍କୋର୍ ମାତ୍ର ୭ ହୋଇଥିବା ବେଳେ ଈଶାନ୍ (୧) ମାଇକେଲ୍ ବ୍ରେସ୍ୱେଲ୍ଙ୍କ ବଲ୍ରେ ଏଲ୍ବିଡବ୍ଲୁ୍ୟ ହୋଇଥିଲେ ।
ଏହାପରେ ଶୁଭମନ ନୂଆ ବ୍ୟାଟର୍ ରାହୁଲ ତ୍ରିପାଠୀଙ୍କ ସହ ମିଶି ଇନିଂସ୍ ସମ୍ଭାଳିଥିଲେ । କିଛି ସମୟ ମଧ୍ୟରେ ଉଭୟ କ୍ରିଜ୍ରେ ଜମି ଯାଇଥିଲେ । ପାୱାରପ୍ଲେ ସୁଦ୍ଧା ସ୍କୋର୍ ହୋଇଥିଲା ୫୮/୧ । ଦ୍ୱିତୀୟ ୱିକେଟ୍ ପାଇଁ ୪୯ ବଲ୍ରୁ ୮୦ ରନ୍ର ଭାଗୀଦାରୀ ହୋଇଥିଲା । ରାହୁଲ ୨୨ ବଲ୍ରୁ ୪୪ ରନ୍ କରି ଇଶ୍ ସୋଢ଼ିଙ୍କ ବଲ୍ରେ ଡିପ୍ ସ୍କୋୟାର୍ ଲେଗ୍ରେ ଲୋକୀ ଫର୍ଗୁ୍ୟସନ୍ଙ୍କୁ କ୍ୟାଚ୍ ଦେଇଥିଲେ । ତାଙ୍କ ଇନିଂସ୍ରେ ୪ ଚୌକା ଓ ୩ ଛକା ରହିଥିଲା ।
ଏହାପରେ କ୍ରିଜ୍ରେ ଯୋଗ ଦେଇଥିଲେ ଉପ-ଅଧିନାୟକ ସୂର୍ଯ୍ୟକୁମାର ଯାଦବ । ଶୁଭମନ ଓ ସୂର୍ଯ୍ୟକୁମାର ତୃତୀୟ ୱିକେଟ୍ ପାଇଁ ୩୮ ରନ୍ ଯୋଗ କରିଥିଲେ । ଇତ୍ୟବସରେ ଶୁଭମନ ୩୫ ବଲ୍ରୁ ତାଙ୍କ ଟି-୨୦ ଆନ୍ତର୍ଜାତିକ କ୍ୟାରିଅରର ପ୍ରଥମ ଅର୍ଦ୍ଧଶତକ ପୂରଣ କରିଥିଲେ ।
ସୂର୍ଯ୍ୟକୁମାର ୧୩ ବଲ୍ରୁ ୨୪ ରନ୍ କରି ବ୍ଲେୟାର୍ ଟିକ୍ନର୍ଙ୍କ ଶିକାର ହୋଇଥିଲେ । ୧୩ତମ ଓଭର୍ରେ ବ୍ରେସ୍ୱେଲ୍ ତାଙ୍କ କ୍ୟାଚ୍ ଧରିଥିଲେ । ୧୨୫ ରନ୍ରେ ତୃତୀୟ ୱିକେଟ୍ ହରାଇଥିଲା । କ୍ରିଜ୍କୁ ଆସିଥିଲେ ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ।
ଅନ୍ୟପଟେ, ଧୂଆଁଦାର ବ୍ୟାଟିଂ ଜାରି ରଖିଥିଲେ ଶୁଭମନ । ସେ ୫୪ ବଲ୍ରୁ ପ୍ରଥମ ଟି-୨୦ ଆନ୍ତର୍ଜାତିକ ଲଗାଇଥିଲେ । ଦ୍ୱିତୀୟ ୫୦ ବଲ୍ କରିବା ପାଇଁ ସେ ମାତ୍ର ୧୯ ବଲ୍ ଖେଳିଥିଲେ । ୧୮ତମ ଓଭର୍ରେ ଟିମ୍ର ସ୍କୋର୍ ୨୦୦ ଅତିକ୍ରମ କରିଥିଲା । ଶେଷ ଓଭର୍ରେ ହାର୍ଦ୍ଦିକ ବ୍ୟକ୍ତିଗତ ୩୦ (୧୭ ବଲ୍ରୁ) ରନ୍ରେ ଡାରିଲ୍ ମିଚେଲ୍ଙ୍କ ବଲ୍ରେ ବ୍ରେସ୍ୱେଲ୍ଙ୍କୁ କ୍ୟାଚ୍ ଦେଇଥିଲେ । ଚତୁର୍ଥ ୱିକେଟ୍ ପାଇଁ ମାତ୍ର ୪୦ ବଲ୍ରୁ ୧୦୩ ରନ୍ର ଭାଗୀଦାରୀ ହୋଇଥିଲା ।
ଭାରତୀୟ ଟିମ୍ ଧାର୍ଯ୍ୟ ୨୦ ଓଭର୍ରେ ୪ ୱିକେଟ୍ ହରାଇ ୨୩୪ ରନ୍ ସଂଗ୍ରହ କରିଥିଲା । ଟି-୨୦ ଆନ୍ତର୍ଜାତିକରେ ଭାରତର ଏହା ଚତୁର୍ଥ ସର୍ବୋଚ୍ଚ ସ୍କୋର୍ । ଶୁଭମନ ୬୩ ବଲ୍ରୁ ୧୨ ଚୌକା ଓ ୭ ଛକା ସହାୟତାରେ ୧୨୬ ଏବଂ ଦୀପକ ହୁଡ଼ା ୨ ରନ୍ କରି ଅପରାଜିତ ଥିଲେ ।