ରେଳବାଇକୁ ୨.୪ ଲକ୍ଷ କୋଟି
ନୂଆଦିଲ୍ଲୀ, ୧ା୨: ଦେଶର ବିକାଶକୁ ତ୍ୱରାନ୍ୱିତ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ରେଳବାଇକୁ ଚଳିତ ବଜେଟ୍ରେ ଅଧିକ ପ୍ରାଧାନ୍ୟ ଦିଆଯାଇଛି । ଏଥର ରେଳବାଇ ପାଇଁ ୨.୪ ଲକ୍ଷ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି । ଏନ୍ଡିଏ ସରକାରଙ୍କ ଶେଷ ବଜେଟ୍ ୨୦୧୩-୧୪ରେ ଦିଆଯାଇଥିବା ଅନୁଦାନ ଠାରୁ ଏହା ୯ ଗୁଣ ଓ ୨୦୨୨-୨୩ ଆର୍ଥିକ ବର୍ଷଠାରୁ ମଧ୍ୟ ପ୍ରାୟ ଏକ ଲକ୍ଷ କୋଟି ଅଧିକ । ରେଳବାଇ ନିମିତ୍ତ ବଜେଟ ଅନୁଦାନ ଘୋଷଣା କରିବା ଅବସରରେ ନିର୍ମଳା ସୀତାରମଣ କହିଛନ୍ତି କୋଇଲା, ସାର, ଖାଦ୍ୟ ଶସ୍ୟ କ୍ଷେତ୍ରରେ ୧୦୦ ଟି ମହତ୍ୱପୂର୍ଣ୍ଣ ପରିବହନ ସଂରଚନା ପରିଯୋଜନା (କ୍ରିଟିକାଲ୍ ଟ୍ରାନ୍ସପୋର୍ଟ ଇନ୍ଫ୍ରାଷ୍ଟ୍ରକ୍ଚର୍) ଚିହ୍ନଟ କରାଯାଇଛି । ବନ୍ଦର, କୋଇଲା, ଇସ୍ପାତ, ସାର ଓ ଖାଦ୍ୟଶସ୍ୟ କ୍ଷେତ୍ରରେ ଅମୂଳଚୂଳ ସଂଯୋଗୀକରଣ ଲକ୍ଷ୍ୟ ନେଇ ଶହେଟି ପ୍ରମୁଖ ପରିବହନ ଭିତ୍ତିଭୂମି ପ୍ରକଳ୍ପକୁ ଚିହ୍ନଟ କରାଯାଇଛି । ଘରୋଇ କ୍ଷେତ୍ରରୁ ୧୫ହଜାର କୋଟି ସମେତ ମୋଟ ୭୫ହଜାର କୋଟି ଟଙ୍କା ଏ କ୍ଷେତ୍ରରେ ଅଗ୍ରାଧିକାର ଭିତ୍ତିରେ ନିବେଶ କରାଯିବ । ଆଂଚଳିକ କ୍ଷେତ୍ରକୁ ବିମାନ ସଂଯୋଗ ସୁବିଧା ପାଇଁ ୫୦ଟି ଅତିରିକ୍ତ ବିମାନ ବନ୍ଦର, ହେଲିପୋର୍ଟ, ୱାଟର ଏରୋଡ୍ରୋମ ଓ ଆଗୁଆ ଅବତରଣ କେନ୍ଦ୍ରର ପୁନରୁଦ୍ଧାର କରାଯିବ ବୋଲି ମଧ୍ୟ ଅର୍ଥମନ୍ତ୍ରୀ କହିଛନ୍ତି । ଏକ ବିଶେଷଜ୍ଞ କମିଟି ମଧ୍ୟ ଭିତ୍ତିଭୂମିର ସୁଲଳିତ ପ୍ରମୁଖ ତାଲିକାର ସମୀକ୍ଷା କରିବ । କିମିଟି ଅମୃତ କାଳ ନିମନ୍ତେ ଏହାର ପୃଥୀକରଣ ଓ ଓ ଆର୍ଥôକ ବ୍ୟବସ୍ଥା ନେଇ ମଧ୍ୟ ସୁପାରିସ କରିବ ।
୫୦ ଅତିରିକ୍ତ ବିମାନବନ୍ଦର, ହେଲିପୋର୍ଟ, ୱାଟର ଏରୋଡ୍ରୋମ ଓ ଆଗୁଆ ଅବତରଣ ଗ୍ରାଉଣ୍ଡର ସମୀକ୍ଷା ହେବ । ପିପିପି ମୋଡରେ ତଟବର୍ତ୍ତୀ ଜାହାଜ ଚଳାଚଳର ବିକାଶ କରାଯିବ । ବଜେଟ୍ ଘୋଷଣା ପରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ କହିଛନ୍ତି, ଗ୍ରୀନ୍ ଗ୍ରୋଥ୍ ଯୋଜନା ଅନୁଯାୟୀ ୨୦୨୩ ଡିସେମ୍ବର ସୁଦ୍ଧା ଦେଶରେ ନିର୍ମିତ ହେବ ପ୍ରଥମ ହାଇଡ୍ରୋଜେନ୍ ଟ୍ରେନ୍ । ତାହା ପ୍ରଥମେ କାଲ୍କା-ସୀମଲା ଭଳି ହେରିଟେଜ୍ ସର୍କିଟ୍ରେ ଚଳାଚଳ କରିବ । ଏକାଧିକ ରାଜ୍ୟରେ ବନେ୍ଦ ଭାରତ ଟ୍ରେନ୍ ଚଳାଚଳ କରିବ । ୧୨୭୫ ଷ୍ଟେସନ୍ର ହେବ ଆଧୁନିକୀକରଣ