ପ୍ରତିରକ୍ଷା ବଜେଟ୍ ୫.୯୪ ଲକ୍ଷ କୋଟିକୁ ବୃଦ୍ଧି
୨ଠ୨୩-୨୪ ଅର୍ଥବର୍ଷ ପାଇଁ ଦେଶର ପ୍ରତିରକ୍ଷା ବଜେଟ୍କୁ ବୃଦ୍ଧି କରାଯାଇଛି । ପୂର୍ବ ଅର୍ଥବର୍ଷ (୨ଠ୨୨-୨୩) ପାଇଁ ପ୍ରତିରକ୍ଷା ବିଭାଗ ବାବଦ ବ୍ୟୟ ବରାଦ ୫ ଲକ୍ଷ ୨୫ ହଜାର କୋଟି ରହିଥିବା ବେଳେ ଚଳିତ ଅର୍ଥବର୍ଷ ପାଇଁ ଏହାକୁ ୫ ଲକ୍ଷ ୯୪ ହଜାର କୋଟିକୁ ବୃଦ୍ଧି କରାଯାଇଛି । ଯାହାକି ମୋଟ ବଜେଟ୍ର ପ୍ରାୟ ୮ ପ୍ରତିଶତ । ସରକାରଙ୍କ ପକ୍ଷରୁ ଆସିଥିବା ସୂଚନାନୁସାରେ ପ୍ରତିରକ୍ଷା ବଜେଟ୍ର ୨୫ ପ୍ରତିଶତ କେବଳ ସାମରିକ କ୍ଷେତ୍ରରେ ଗବେଷଣା ଓ ବିକାଶ, ପ୍ରତିରକ୍ଷା ଷ୍ଟାର୍ଟଅପ୍ ପ୍ରେତ୍ସାହନ ବାବଦରେ ବ୍ୟୟ ହେବ । ସେହିପରି ବ୍ୟୟ ବରାଦିତ ବଜେଟ୍ ରାଶି ମଧ୍ୟରୁ ୧ ଲକ୍ଷ ୬୨ ହଜାର କୋଟି ଟଙ୍କା କେବଳ ପ୍ରତିରକ୍ଷା କ୍ଷେତ୍ରରେ ପୁଞ୍ଜି ବିନିଯୋଗ କରାଯିବ । ଅର୍ଥାତ୍ ଏହି ଅର୍ଥରେ ବିଭିନ୍ନ ଅସ୍ତ୍ରଶସ୍ତ୍ର, ବିମାନ, ଜାହାଜ, ମିଲିଟାରି ଉପକରଣ ଆଦି ଭାରତ ସରକାର କ୍ରୟ କରିବେ । ସବୁଠୁ ବଡ଼ କଥା ହେଉଛି ପ୍ରତିରକ୍ଷା କ୍ଷେତ୍ରରେ ସ୍ୱଦେଶୀ ନିର୍ମାଣକୁ ପ୍ରାଥମିକତା ଦେବା ଉଦେ୍ଦଶ୍ୟରେ ଏହି ଅର୍ଥରାଶିର ୬୮ ପ୍ରତିଶତ ଆତ୍ମ ନିର୍ଭର ଭାରତ ଯୋଜନା ମାଧ୍ୟମରେ (ସ୍ୱଦେଶୀ ପ୍ରତିରକ୍ଷା ଶିଳ୍ପରୁ ବିଭିନ୍ନ ଅସ୍ତ୍ରଶସ୍ତ୍ର ଓ ସାମଗ୍ରୀ କିଣିବାରେ ବ୍ୟବହୃତ ହେବ) ବିନିଯୋଗ କରାଯିବ । ପ୍ରକାଶ, ଗତବର୍ଷ ଏହା ୫୮ ପ୍ରତିଶତରେ ସୀମିତ ଥିଲା ।
ଅବଶିଷ୍ଟ ୪ ଲକ୍ଷ ୩୨ ହଜାର କୋଟି ଟଙ୍କା ପ୍ରତିରକ୍ଷା ବିଭାଗରେ ନିଯୁକ୍ତ ଥିବା କର୍ମଚାରୀଙ୍କ ଦରମା ଓ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପେନସନ ଓ ଅନ୍ୟାନ୍ୟ ନିୟମିତ କାର୍ଯ୍ୟ ବାବଦରେ ବ୍ୟୟ ହେବ । ଚଳିତ ଅର୍ଥବର୍ଷ ପାଇଁ କେନ୍ଦ୍ର ସରକାର କେବଳ ପେନସନ ବଜେଟ୍କୁ ୧ ଲକ୍ଷ ୩୮ ହଜାର କୋଟି ରଖିଥିବା ବେଳେ ଦରମା ଓ ପେନସନ ବାବଦରେ ମୋଟ୍ ୨ ଲକ୍ଷ ୭ଠ ହଜାର କୋଟି ବ୍ୟୟ ହେବ ବୋଲି ଦର୍ଶାଇଛନ୍ତି ।