କିଛି ପ୍ରଶଂସନୀୟ, କିଛି ଚିନ୍ତାଜନକ
ଭୁବନେଶ୍ୱର, ୧ା୨(ବୁ୍ୟରୋ): ୨୦୨୩-୨୪ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ୍ରେ କିଛି କ୍ଷେତ୍ରରେ ପଦକ୍ଷେପ ବେଶ ପ୍ରଶଂସନୀୟ ହୋଇଥିବା ବେଳେ ଆଉ କେତେକ ଦିଗ ପ୍ରତି ଅଣଦେଖା କରାଯାଇଛି । ଏହା ଅତ୍ୟନ୍ତ ଚିନ୍ତାଜନକ, ଏଥିପ୍ରତି ଧ୍ୟାନ ଦେବା ଜରୁରୀ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି । ସାଧାରଣ ବଜେଟ୍ ଉପରେ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ପୁଞ୍ଜିନିବେଶକୁ ଅଗ୍ରାଧିକାର ମିଳିଛି । ପାନୀୟ ଜଳ ଓ ଗ୍ରାମ୍ୟ ଗୃହ ନିର୍ମାଣକୁ ଅଧିକ ଫୋକସ୍ କରାଯାଇଛି । ଏହା ବାସ୍ତାବରେ ଦେଶର ଅଭିବୃଦ୍ଧିକୁ ଆଗେଇ ନେବା ସହ ଗ୍ରାମାଞ୍ଚଳର ସାମଜିକ ବିକାଶ କ୍ଷେତ୍ରରେ ସହାୟକ ହେବ । ମିଲେଟ୍ ଉପରେ ପ୍ରଧାନମନ୍ତ୍ରୀ ଭରସା କରିଥିବାରୁ ମୁଖ୍ୟମନ୍ତ୍ରୀ ଖୁସି ବ୍ୟକ୍ତ କରିଛନ୍ତି । ଓଡିଶା ମିଲେଟ୍ ମିଶନ ସମଗ୍ର ଦେଶରେ ଏକ ଅଭିନବ ପଦକ୍ଷେପ ଥିଲା । ବଜେଟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ୍, ଇଣ୍ଟରନେଟ୍ ସହ ଆଦିମ ଜନଜାତିଙ୍କ ବିକାଶ ପାଇଁ ନିଆଯାଇଥିବା ପଦକ୍ଷେପ ବେଶ୍ ପ୍ରଶଂସନୀୟ । ତେବେ ମନରେଗାରେ ସିଂହ ଭାଗ ପାଣ୍ଠି ହ୍ରାସ କରାଯାଇଛି । ଏହା ଗରିବ ଲୋକଙ୍କୁ ବହୁଳ ଭାବେ ପ୍ରଭାବିତ କରିବ । ଖାଦ୍ୟ ସୁରକ୍ଷା ସହ ଧାନ ସଂଗ୍ରହରେ ବଜେଟ୍ରେ ପାଣ୍ଠି ହ୍ରାସ ପାଇବା ଗରିବ ଓ ଚାଷୀକୁଳକୁ ବାଧିବ । ୨୦୨୧ -୨୨ ଆର୍ଥିକ ବର୍ଷରେ ଧାନ ଓ ଅନ୍ୟାନ୍ୟ ଶସ୍ୟ ସଂଗ୍ରହ ପାଇଁ ୮୦ ହଜାର କୋଟିର ପାଣ୍ଠି ବରାଦ ହୋଇଥିଲା ବେଳେ ଏଥର ମାତ୍ର ୭୦ ହଜାର କୋଟି ଟଙ୍କା ବରାଦ ହୋଇଛି । ସର୍ବନିମ୍ନ ସହାୟକ ମୂଲ୍ୟରେ ଶସ୍ୟ ସଂଗ୍ରହ କ୍ଷେତ୍ରରେ ଏହା ବଡ ବାଧକ ସାଜିବ । ସେହିପରି ଜାତୀୟ ଖାଦ୍ୟ ସୁରକ୍ଷା ଯୋଜନାରେ ୨ ଲକ୍ଷ କୋଟି ବ୍ୟୟ ହୋଇଥିଲା ବେଳେ ଚଳିତ ବଜେଟ୍ରେ ଏହାକୁ ୧. ୩୭ କୋଟିକୁ କମାଇ ଦିଆଯାଇଛି । ଶିକ୍ଷା ଓ ସ୍ୱାସ୍ଥ୍ୟ କ୍ଷେତ୍ରରେ ପାଣ୍ଠି ବରାଦ କମିନି କି ବଢ଼ିନି ।
ଆୟୁଷ୍ମାନ ଭାରତ ଯୋଜନା ସମ୍ପର୍କରେ କଡା ପ୍ରତିକ୍ରିୟା ରଖିଛନ୍ତି ମୁଖ୍ୟମନ୍ତ୍ରୀ । ସେ କହିଛନ୍ତି ଏ ଯୋଜନା ପାଇଁ ରାଜ୍ୟ ବିଜେପି ନେତାମାନେ ଓକିଲାତି କରୁଛନ୍ତି । ଏଥିପାଇଁ କେନ୍ଦ୍ର ବଜେଟ୍ରେ ମାତ୍ର ୭ ହଜାର ୨ଶହ କୋଟି ଟଙ୍କା ବ୍ୟୟ ବରାଦ କରାଯାଇଛି । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ରାଜ୍ୟ ସରକାର ୪୦୦ କୋଟି ଟଙ୍କା ବାର୍ଷିକ ଖର୍ଚ୍ଚ କରୁଛନ୍ତି । ଯଦି ସରକାରୀ ସୁବିଧାୟକୁ ମିଶାଯାଏ ତେବେ ଏହାର ପରିମାଣ ୬ ହଜାର କୋଟିକୁ ଛୁଇଁବ । ରାଜ୍ୟ ସରକାର ସବୁବେଳେ ସ୍ୱାସ୍ଥ୍ୟକୁ ଅଗ୍ରାଧିକାର ଦେଇ ଆସୁଛନ୍ତି । ଏବାବଦକୁ ଅଧିକ ପାଣ୍ଠି ଖର୍ଚ୍ଚ କରୁଛନ୍ତି ତେଣୁ ଆୟୁଷ୍ମାନ ଭାରତ ନେଇ ରାଜ୍ୟ ବିଜେପି ନେତା ଆଉ ଲୋକଙ୍କୁ ଭୂଆଁ ବୁଲାଇବା ବନ୍ଦ କରନ୍ତୁ ବୋଲି କଡା ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।