ବଦଳୁନି ଉଠାଦୋକାନୀଙ୍କ ଭାଗ୍ୟ

ବଦଳୁଛି ପୁରୀ ମାନଚିତ୍ର
ପୁରୀ (ବୁ୍ୟରୋ): ପୁରୀ ହେବ ବିଶ୍ୱଐତିହ୍ୟ ନଗରୀ । ସେଥିଲାଗି ଅନେକ ପ୍ରକଳ୍ପକୁ ନୂଆରୂପ ଦିଆଯାଉଛି । ଏହାରି ମଧ୍ୟରେ ବଡ଼ ପ୍ରକଳ୍ପ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଏବଂ ଶ୍ରୀସେତୁ । ଆସନ୍ତା ୩ ମାସ ମଧ୍ୟରେ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବ ବୋଲି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଗଣମାଧ୍ୟମକୁ ସୂଚନା ଦେଇଥିଲେ । ସେହିପରି ଶ୍ରୀସେତୁ ପ୍ରକଳ୍ପ, ମାର୍କେଟ ଛକରେ ନିର୍ମାଣ ହେଉଥିବା ମାର୍କେଟ କମ୍ପେକ୍ସ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ମୋଚିସାହିସ୍ଥିତ କମ୍ପ୍ଲେକ୍ସ କାର୍ଯ୍ୟ ମଧ୍ୟ ଶେଷ ହେବାକୁ ବସିଲାଣି ।
ଅନ୍ୟପକ୍ଷରେ ପୁରୀର ଚତୁର୍ପାଶ୍ୱର୍କୁ ସଂଯୋଗ ହେଉଥିବା ସମସ୍ତ ରାସ୍ତାର ମଧ୍ୟ ଉନ୍ନତୀକରଣ କରାଯାଇଛି । ସେହିଭଳି ବେଳାଭୂମିର ମଧ୍ୟ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଜାରି ରହିଛି । ଏହାରି ମଧ୍ୟରେ ପ୍ରଶାସନ ଉଠାଦୋକାନୀଙ୍କୁ ଭୁଲି ଯାଇଛି । ଏପରିକି ଶ୍ରୀମନ୍ଦିର ଚତୁର୍ପାଶ୍ୱର୍, ସିଂହଦ୍ୱାର, ବଡ଼ଦାଣ୍ଡ ଓ ବେଳାଭୂମିରେ ହଜାର ହଜାର ଉଠାବ୍ୟବସାୟୀ ବର୍ଷ ବର୍ଷ ଧରି ସେମାନେ ବ୍ୟବସାୟ କରି ନିଜର ପରିବାର ପ୍ରତିପୋଷଣ କରୁଛନ୍ତି । କିନ୍ତୁ ଗତ ୨୦୧୯ମସିହା ଠାରୁ ଆରମ୍ଭ କରି ଆଜିପର୍ଯ୍ୟନ୍ତ ଉଠାଦୋକାନୀଙ୍କୁ ଥଇଥାନ କରାଯିବ ବୋଲି ପ୍ରଶାସନ ପକ୍ଷରୁ ବାରମ୍ବାର ପ୍ରତିଶ୍ରୁତି ମିଳୁଥିବା ବେଳେ ତାହା କାର୍ଯ୍ୟକାରୀ ହୋଇପାରୁନି । ସେମାନଙ୍କୁ ଥଇଥାନ କରିବାରେ ପ୍ରଶାସନ ଫେଲ୍ ମାରିଛି । ସେମାନେ ବାଧ୍ୟ ହୋଇ ବିଭିନ୍ନ ସ୍ଥାନରେ ବସି ନିଜର ବ୍ୟବସାୟ କରୁଥିବା ବେଳେ ପୌରପାଳିକା ଅଧିକାରୀମାନେ ଗାଡ଼ି ଲଗାଇ ସେମାନଙ୍କ ପସରାକୁ ଫୋପାଡ଼ି ଦେଉଛନ୍ତି । ଉଠାବ୍ୟବସାୟୀଙ୍କୁ ନ ଉଠାଇବା ଲାଗି ନେହୁରା ହେଉଥିବା ବେଳେ ସେମାନଙ୍କ କଥା ଶୁଣୁନାହାନ୍ତି ଏନ୍ଫୋର୍ସମେଣ୍ଟ ଅଧିକାରୀ । ଅଧିକାରୀ ମଧ୍ୟ ଉଠାଦୋକାନୀଙ୍କୁ ନାଲିଆଖି ଦେଖାଇ ଫାଇନ ଆଦାୟ କରୁଛନ୍ତି । ଏପରିକି ସେମାନଙ୍କୁ ମଧ୍ୟ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିବା ଅଭିଯୋଗ ହୋଇଛି । କିନ୍ତୁ ସେମାନଙ୍କ ସମସ୍ୟା ସମାଧାନ କରିବାରେ ବିଫଳ ହୋଇଛି ପ୍ରଶାସନ । ସହରର ବିକାଶ ନାଁରେ ଗରିବଙ୍କ ଭାତ ହାଣ୍ଡିକୁ ଲାତ ମାରୁଛି ପ୍ରଶାସନ ।
ଅପରପକ୍ଷେ ଗତ ଦୁଇବର୍ଷ ସେମାନେ ମହାମାରୀ କରୋନାରେ ହାତବାନ୍ଧି ବସି ରହିଥିଲେ । ଏବେ ସେମାନେ ସଳଖି ହୋଇ ଠିଆ ହେବାକୁ ଉଦ୍ୟମ କରୁଥିବା ବେଳେ ବାରମ୍ବାର ପ୍ରଶାସନ ପକ୍ଷରୁ ମନଇଚ୍ଛା ଉଠାଯାଉଛି । ଫଳରେ ସେମାନଙ୍କ ଜୀବନଜୀବିକା ଉପରେ ସିଧାସଳଖ ପ୍ରଭାବ ପଡୁଛି । ଏନେଇ ବୁଦ୍ଧିଜୀବୀମାନେ କୁହନ୍ତି, ଗତ ୨୦୧୯ରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲାଗି ଅନେକ ଉଠାବ୍ୟବସାୟୀଙ୍କୁ ଉଚ୍ଛେଦ କରାଯାଇଥିଲା । ସେହି ସମୟରୁ ସେମାନଙ୍କୁ ଥଇଥାନ କରାଯିବ ବୋଲି ଘୋଷଣା ହୋଇଥିଲା । ଏହାରି ମଧ୍ୟରେ ଘୋଷଣାକୁ ୪ବର୍ଷ ବିତିଯାଇଥିଲେ ସୁଦ୍ଧା ସେମାନଙ୍କୁ ଥଇଥାନ କରିବାରେ ପ୍ରଶାସନ ଫେଲ୍ ମାରିଛି । ସେହିଭଳି ସହରର ଅନ୍ୟସ୍ଥାନମାନଙ୍କ ମଧ୍ୟରୁ ଉଠା ବ୍ୟବସାୟୀଙ୍କୁ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *