୨ଠ୪୭ ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ନିର୍ମାଣ ଲକ୍ଷ୍ୟ

ବଜେଟ୍ ଅଧିବେଶନରେ ରାଷ୍ଟ୍ରପତିଙ୍କ ଅଭିଭାଷଣ
ନୂଆଦିଲ୍ଲୀ, ୩୧ା୧: ମଙ୍ଗଳବାରଠାରୁ ଆରମ୍ଭ ହୋଇଛି ସଂସଦର ବଜେଟ୍ ଅଧିବେଶନ । ସଂସଦର ସେଣ୍ଟ୍ରାଲ ହଲ୍ର ଉଭୟ ସଦନକୁ ସମ୍ବୋଧିତ କରି ରାଷ୍ଟ୍ରପତି କହିଛନ୍ତି, ୨୦୪୭ ମସିହା ସୁଦ୍ଧା ସ୍ୱର୍ଣ୍ଣିମ ଭାରତ ନିର୍ମାଣ ଲକ୍ଷ୍ୟ ରଖାଯାଇଛି । ଭାରତ ସମ୍ପୂର୍ଣ୍ଣ ଆତ୍ମନିର୍ଭର ହେବ । ବର୍ତ୍ତମାନ ଭାରତରେ ଏକ ସ୍ଥାୟୀ ତଥା ନିର୍ଣ୍ଣାୟକ ସରକାର ଚାଲିଛି । ବିକାଶ ସହ ତାଳ ଦେଇ ଦେଶ ଅଗ୍ରଗତି କରୁଛି । ମୋ ସରକାରକୁ ୯ ବର୍ଷ ପୁରୁବାକୁ ଯାଉଛି । ଏହି ୯ ବର୍ଷରେ ଭାରତର ପରିଚୟ ବିଶ୍ୱସ୍ତରରେ ବଦଳିଛି । ଆଜି ପ୍ରତି ଭାରତୀୟଙ୍କ ଆତ୍ମବିଶ୍ୱାସ ଶୀର୍ଷ ଛୁଇଁଛି । ନରେନ୍ଦ୍ର ମୋଦିଙ୍କ ସରକାର ଆତଙ୍କବାଦର ଦୃଢ ଜବାବ ଦେଉଛନ୍ତି । ସର୍ଜିକାଲ ଷ୍ଟ୍ରାଇକ୍ ଆତଙ୍କୀଙ୍କ ଉପରେ କଠୋର ପ୍ରହାର କରିଛି । ଏଲ୍ଓସିଠାରୁ ଏଲ୍ଏସି ଯାଏଁ ଶତ୍ରୁକୁ ସବୁଠି ମୁହଁତୋଡ ଜବାବ ଦିଆଯାଉଛି । ‘ସବ୍କା ସାଥ୍, ସବ୍କେ ବିକାଶ’ ମନ୍ତ୍ର ପାଇଁ ମୋ ସରକାରକୁ ଦେଶବାସୀ ଚୟନ କରିଥିଲେ । ଏବେ ତା ସହିତ ଯୋଡି ହୋଇଛି ‘ସବ୍କା ପ୍ରୟାସ’ । କ୍ରମାଗତ ଦୁଇଥର ଏକ ସ୍ଥିର ସରକାର ଚୟନ କରିଥିବାରୁ ମୁଁ ଦେଶବାସୀଙ୍କ ପ୍ରତି କୃତଜ୍ଞ ।
ମହିଳା ସଶକ୍ତିକରଣ ପ୍ରସଙ୍ଗରେ ରାଷ୍ଟ୍ରପତି କହିଛନ୍ତି, ମୋ ସରକାର ଏ କ୍ଷେତ୍ରରେ ଦ୍ରୁତ ସଫଳତା ହାସଲ କରୁଛି । ‘ବେଟି ବଚାଓ, ବେଟି ପଢାଓ’ର ସଫଳତା ଆଜି ଆମେ ଦେଖୁଛେ । ନିରନ୍ତର ନାରୀମାନଙ୍କ ପ୍ରଗତି ହେଉଛି । ଆୟୁଷ୍ମାନ ଭାରତ ଯୋଜନାର ୫୦ ପ୍ରତିଶତ ଲାଭାର୍ଥୀ ମହିଳା । ସୁକନ୍ୟା ସମୃଦ୍ଧି ଯୋଜନାରେ କୋଟି କୋଟି ମହିଳାଙ୍କ ଏକାଉଣ୍ଟ୍ ବ୍ୟାଙ୍କ୍ରେ ଖୋଲିଛି । ନୂଆ ଶିକ୍ଷା ନୀତିରେ ଛାତ୍ରୀଙ୍କ ପ୍ରତି ବିଶେଷ ଧ୍ୟାନ ଦିଆଯାଉଛି ।
ଗରିବ ପରିବାରକୁ ମାଗଣା ପାଣି ଓ ବିଜୁଳି ମିଳୁଛି । ସୁଗମ ଭାରତ ଜରିଆରେ ଦିବ୍ୟାଙ୍ଗଙ୍କ ପାଇଁ ବିଭିନ୍ନ କାର୍ଯ୍ୟ ସରକାର ସମ୍ପାଦନ କରୁଛନ୍ତି । ଏକ ଆତ୍ମନିର୍ଭର ଭାରତ ନିର୍ମାଣହିଁ ଆମର ଲକ୍ଷ୍ୟ । ପ୍ରତି ସପ୍ତାହରେ ଗୋଟିଏ ଲେଖାଏଁ ବିଶ୍ୱବିଦ୍ୟାଳୟ ଗଢି ଉଠୁଛି । ୨୦୧୪ ବେଳକୁ ଦେଶରେ ମୋଟ୍ ୭୫୦ ବିଶ୍ୱବିଦ୍ୟାଳୟ ଥିଲା । ଗତ ୮ ବର୍ଷରେ ସରକାର ୩୦୦ ନୂଆ ବିଶ୍ୱବିଦ୍ୟାଳୟ ନିର୍ମାଣ କରିଛନ୍ତି । ୨୦୧୪ରୁ ୨୦୨୨ ଭିତରେ ୨୬୦ରୁ ଅଧିକ ମେଡିକାଲ କଲେଜ ଖୋଲିଛି ।
ଗ୍ରାଜୁଏଟ୍ ଓ ପୋଷ୍ଟ ଗ୍ରାଜୁଏଟ୍ ସଂଖ୍ୟା ପୂର୍ବାପେକ୍ଷା ଦୁଇଗୁଣ ହୋଇଛି ।
ରାଷ୍ଟ୍ରପତି ତାଙ୍କ ଅଭିଭାଷଣରେ ବିଭିନ୍ନ ପ୍ରସଙ୍ଗ ତଥା ଅନୁଚ୍ଛେଦ ୩୭୦, ତିନି ତଲାକ ଆଦି ପ୍ରସଙ୍ଗ ଉପସ୍ଥାପନ କରିଛନ୍ତି । ସେ କହିଛନ୍ତି, ଗୋଲାମୀର ପ୍ରତ୍ୟେକ ଚିହ୍ନ ଓ ମାନସିକତାରୁ ଭାରତୀୟଙ୍କୁ ମୁକ୍ତ ଦେବା ମୋ ସରକାରର ଅନ୍ୟତମ ଲକ୍ଷ୍ୟ । ପୂର୍ବରୁ ଯାହା ରାଜପଥ ଥିଲା, ତାହା ଏବେ କର୍ତ୍ତବ୍ୟପଥ ହୋଇଛି । ସେନାର ପରମବୀର ଚକ୍ର ବିଜେତାଙ୍କ ନାମରେ ଆଣ୍ଡାମାନ-ନିକୋବରର ୨୧ ଦ୍ୱୀପ ନାମିତ ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *