ପରଲୋକରେ ଶାନ୍ତିଭୂଷଣ
ନୂଆଦିଲ୍ଲୀ, ୩୧ା୧: ଜଣାଶୁଣା ଆଇନଜୀବୀ, ପୂର୍ବତନ ଆଇନ ମନ୍ତ୍ରୀ ତଥା ଆମ୍ ଆଦ୍ମୀ ପାର୍ଟିର ଅନ୍ୟତମ ସଂସ୍ଥାପକ ସଦସ୍ୟ ଶାନ୍ତି ଭୂଷଣଙ୍କର ମଙ୍ଗଳବାର ୯୭ ବର୍ଷ ବୟସରେ ପରଲୋକ ଘଟିଛି । ସନ୍ଧ୍ୟା ୭ଟାବେଳେ ଦିଲ୍ଲୀସ୍ଥିତ ତାଙ୍କ ବାସଭବନରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ଶାନ୍ତିଭୂଷଣ ବହୁଦିନ ଧରି ରୋଗାକ୍ରାନ୍ତ ଥିଲେ । ମୋରାଜୀ ଦେଶାଇ ମନ୍ତ୍ରିମଣ୍ଡଳରେ ୧୯୭୭ରୁ ୧୯୭୯ ପର୍ଯ୍ୟନ୍ତ ସେ ଥିଲେ ଭାରତର ଆଇନ ମନ୍ତ୍ରୀ । ଶାନ୍ତିଭୂଷଣ ସୁପ୍ରିମକୋର୍ଟର ବରିଷ୍ଠ ଆଇନଜୀବୀ ତଥା ସାମାଜିକ କର୍ମୀ ପ୍ରଶାନ୍ତ ଭୂଷଣଙ୍କ ପିତା । ଶାନ୍ତି ଭୂଷଣ ତାଙ୍କ ସମୟରେ ଅନେକ ହାଇପ୍ରୋଫାଇଲ ମାମଲା ଲଢିଥିଲେ । ଆହ୍ଲାବାଦ ହାଇକୋର୍ଟରେ ଯେଉଁ ମାମଲାରେ ଇନ୍ଦିରା ଗାନ୍ଧୀଙ୍କ ନିର୍ବାଚନ ଅସିଦ୍ଧ ଘୋଷିତ ହୋଇଥିଲା, ସେଥିରେ ସେ ରାଜ ନାରାୟଣଙ୍କ ପକ୍ଷରୁ ଲଢିଥିଲେ । ଇନ୍ଦିରା ୧୯୭୧ ସାଧାରଣ ନିର୍ବାଚନରେ ରାୟବରେଲୀ ଆସନରୁ ଜିତି ପ୍ରଧାନମନ୍ତ୍ରୀ ହୋଇଥିଲେ । ତାଙ୍କ ପ୍ରତିଦ୍ୱନ୍ଦ୍ୱୀ ଜନସଂଘ ଦଳର ରାଜନାରାୟଣ ଇନ୍ଦିରାଙ୍କ ବିରୋଧରେ ଆଣିଥିଲେ ଭ୍ରଷ୍ଟାଚାର ଅଭିଯୋଗ ।ସରକାରୀ କଳର ଦୂରୁପଯୋଗ ସମ୍ବନ୍ଧୀୟ ମାମଲା ଆହ୍ଲାବାଦ ହାଇକୋର୍ଟରେ ରୁଜୁ ହୋଇଥିଲା । ନ୍ୟାୟମୂର୍ତ୍ତି ଜଗମୋହନ ଲାଲ୍ ସିହ୍ନା ତାଙ୍କ ରାୟରେ ଇନ୍ଦିରାଙ୍କ ସାଂସଦ ପଦକୁ ସସ୍ପଣ୍ଡ କରିଦେବା ସହ ପରବର୍ତ୍ତୀ ୬ ବର୍ଷ ପର୍ଯ୍ୟନ୍ତ ଇନ୍ଦିରା ଲଢିପାରିବେ ନାହିଁ ବୋଲି ଉଲ୍ଲେଖ କରିଥିଲେ । ଏହି ମାମଲା ଲଢିଥିବାରୁ ଶାନ୍ତିଭୂଷଣ ଦେଶବ୍ୟାପୀ ଖ୍ୟାତି ଅର୍ଜନ କରିଥିଲେ । ଶାନ୍ତିଭୂଷଣ କଂଗ୍ରେସ (ଓ) ଏବଂ ପରେ ଜନତା ପାର୍ଟିର ସଦସ୍ୟ ଥିଲେ । ରାଜନୈତିକ ଜୀବନରେ ସେ ରାଜ୍ୟସଭା ସାଂସଦ ମଧ୍ୟ ଥିଲେ । ୧୯୮୦ରେ ବିଜେପିରେ ଯୋଗଦେଇ ଶାନ୍ତିଭୂଷଣ ୧୯୮୬ରେ ଇସ୍ତଫା ଦେଇଥିଲେ । ୧୯୮୦ରେ ସେ ତାଙ୍କ ଏନ୍ଜିଓ ସେଣ୍ଟର ଫର୍ ପବ୍ଲିକ୍ ଇଣ୍ଟରେଷ୍ଟ୍ ଲିଟିଗେସନ୍ ଗଠନ କରି ତାରି ମାଧ୍ୟମରେ ସୁପ୍ରିମ୍କୋର୍ଟରେ ଅନେକ ଜନସ୍ୱାର୍ଥ ମାମଲା ଦାଏର କରିଥିଲେ । ୨୦୧୮ରେ ସେ ସୁପ୍ରିମ୍କୋର୍ଟରେ ପିଟିସନ୍ ଦେଇ ମାଷ୍ଟର ଅଫ୍ ରୋଷ୍ଟର୍ ସିଷ୍ଟମ୍ରେ ପରିବର୍ତ୍ତନ ଦାବି କରିଥିଲେ । ୨୦୧୨ରେ ଶାନ୍ତିଭୂଷଣ ଓ ଅନ୍ୟମାନେ ଆମ୍ ଆଦ୍ମୀ ପାର୍ଟି ଗଠନ କରିଥିଲେହେଁ ପରେ ସେ ସେଥିରୁ ଅଲଗା ହୋଇଯାଇଥିଲେ ।