ତୃତୀୟ ବିଶ୍ୱଯୁଦ୍ଧମୁହାଁ ରୁଷ୍-ୟୁକ୍ରେନ୍ ଯୁଦ୍ଧ

ମସ୍କୋ/ କିଭ୍(ଏଜେନ୍ସି): ରୁଷ୍-ୟୁକ୍ରେନ୍ ଯୁଦ୍ଧ ଏବେ ଧୀରେ ଧୀରେ ତୃତୀୟ ବିଶ୍ୱଯୁଦ୍ଧ ଆଡକୁ ମୁହାଁଇବାରେ ଲାଗିଛି । ଗୋଟିଏ ପଟେ ୟୁକ୍ରେନ୍ର ଜିଦ୍ ଏବଂ ଅନ୍ୟପକ୍ଷେ ରୁଷ୍ର ଅହଂକାର ସମଗ୍ର ବିଶ୍ୱ ତଥା ମାନବ ସଭ୍ୟତାକୁ ଧ୍ୱସଂର ଦ୍ୱାର ଦେଶରେ ଛିଡା କରିଦେଇଛି । ପ୍ରାୟ ୧ଠ ମାସରୁ ଊଦ୍ଧ୍ୱର୍ ସମୟ ଧରି ରୁଷ-ୟୁକ୍ରେନ୍ ଯୁଦ୍ଧ ଜାରି ରହିଥିବା ବେଳେ ବିଶ୍ୱସ୍ତରୀୟ ନେତାମାନେ ଏହାକୁ ରୋକିବା ଦିଗରେ ଭିନ୍ନ ଭିନ୍ନ ସ୍ତରରେ ପ୍ରୟାସ କରିଆସୁଛନ୍ତି । ଉଭୟ ରୁଷ୍-ୟୁକ୍ରେନ୍ ରାଷ୍ଟ୍ରମୁଖ୍ୟଙ୍କ ସହ ବିଶ୍ୱସ୍ତରୀୟ ନେତାମାନେ ଆଲୋଚନା କରିବା ଏବଂ ଆପୋଷ ବୁଝାମଣା ମାଧ୍ୟମରେ ସମସ୍ୟାର ସମାଧାନ ବାହାର କରିବାକୁ ପରାମର୍ଶ ଦେଇଆସୁଛନ୍ତି । ଏସବୁ ମଧ୍ୟରେ ରୁଷ୍ ଏକାଧିକ ଥର ପରମାଣୁ ଆକ୍ରମଣ ନେଇ ମଧ୍ୟ ଧମକ ଦେଇସାରିଛି । କେବଳ ଅନ୍ତର୍ଜାତୀୟ ଚାପ ଯୋଗୁ ରୁଷ୍ ରାଷ୍ଟ୍ରପତି ଭ୍ଲାଦିମିର ପୁତିନ୍, ଏପର୍ଯ୍ୟନ୍ତ ଆଣବିକ କ୍ଷେପଣାସ୍ତ୍ର ପ୍ରୟୋଗ କରିନାହାନ୍ତି ।
ତେବେ ଏସବୁ ମଧ୍ୟରେ ଅଣୟୁରୋପୀୟ ରାଷ୍ଟ୍ର ଭାବେ ଅଷ୍ଟ୍ରେଲିଆ ରୁଷ୍-ୟୁକ୍ରେନ୍ ଯୁଦ୍ଧରେ ପ୍ରବେଶ କରିଥିବା ସୂଚନା ମିଳିଛି । ପୂର୍ବରୁ ଆମେରିକା ସମେତ ଅନ୍ୟ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ୟୁକ୍ରେନ୍କୁ ସମର୍ଥନ କରିଆସୁଥିବା ବେଳେ ଅଷ୍ଟ୍ରେଲିଆ ପ୍ରଥମ ଥର ପାଇଁ ୟୁକ୍ରେନ୍କୁ ଖୋଲାଖୋଲି ସମର୍ଥନ ବ୍ୟକ୍ତ କରିଛି । ୟୁରୋପୀୟ ଦେଶ ପକ୍ଷରୁ ୟୁକ୍ରେନ୍କୁ ସବୁପ୍ରକାର ସହାୟତା ଯୋଗାଇ ଦିଆଯାଇଆସୁଥିବା ବେଳେ ଅଷ୍ଟ୍ରେଲିଆ ମଧ୍ୟ ୟୁକ୍ରେନ୍କୁ ସମସ୍ତ ସହାୟତା ଯୋଗାଇବାକୁ ଘୋଷଣା କରିଛି । ନିକଟରେ ୟୁକ୍ରେନ୍କୁ ଯୁଦ୍ଧ ବିମାନ ଯୋଗାଇ ଦେବା ଲାଗି ଫ୍ରାନ୍ସ ଘୋଷଣା କରିଥିଲା । ଏବେ ଏହି କାର୍ଯ୍ୟରେ ଫ୍ରାନ୍ସ ସହ ଅଷ୍ଟ୍ରେଲିଆ ମଧ୍ୟ ସହାୟତା କରିବ । ୟୁକ୍ରେନ୍ ପାଇଁ ଆବଶ୍ୟକ ଯୁଦ୍ଧ ସରଞ୍ଜାମ ନିର୍ମାଣ କରିବାକୁ ଅଷ୍ଟ୍ରେଲିଆ ସମ୍ପୂର୍ଣ୍ଣ ସହଯୋଗ କରିବ ବୋଲି କହିଛି । ୟୁକ୍ରେନ୍ ଲାଗି ପ୍ରସ୍ତୁତ ହେଉଥିବା ଗୋଳାବାରୁଦ ତଥା ଅନ୍ୟାନ୍ୟ ଯୁଦ୍ଧ ସରଞ୍ଜାମ ଲାଗି ଉଭୟ ଦେଶ ଖର୍ଚ୍ଚଭାର ବହନ କରିବେ । ପ୍ରକାଶ, ଆର୍ଥିକ ସହ ସାମରିକ କ୍ଷେତ୍ରରେ ମଧ୍ୟ ୟୁକ୍ରେନ୍କୁ ଏବେ ପ୍ରାୟ ସବୁ ଦେଶ ପକ୍ଷରୁ ସମର୍ଥନ ମିଳୁଛି । ତେବେ ନିକଟରେ ୟୁକ୍ରେନ୍ ରାଷ୍ଟ୍ରପତି ଭି. ଜେଲେନ୍ସ୍କି ଆମେରିକାକୁ ତା’ର ଲଢ଼ୁଆ ବିମାନ ଏଫ୍-୧୬ ଦେବାକୁ ଅନୁରୋଧ କରିଥିବା ବେଳେ ଆମେରିକା ରାଷ୍ଟ୍ରପତି ଜୋ ବାଇଡନ୍ ଏକ ବଡ଼ ବିପଦ ଆଶଙ୍କାରେ ୟୁକ୍ରେନ୍କୁ ଏଥିପାଇଁ ମନା କରିଦେଇଥିବା ଜଣାପଡିଛି । ତେବେ ଜର୍ମାନୀ ନିଜ ଲଢ଼ୁଆ ବିମାନ ଦେବାକୁ ୟୁକ୍ରେନ୍କୁ ପ୍ରତିଶ୍ରୁତି ଦେଇଛି । ପ୍ରକାଶ, ଏହା ପୂର୍ବରୁ ଜର୍ମାନୀ ୧୪ଟି ଲିଓପାର୍ଡ-୨ ଅତ୍ୟାଧୁନିକ ଟ୍ୟାଙ୍କ୍ ୟୁକ୍ରେନ୍କୁ ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ଆମେରିକା ନିଜର ଅତ୍ୟାଧୁନିକ ୩ଠ ଆବ୍ରାମ ଟ୍ୟାଙ୍କ ଓ ବ୍ରିଟେନ୍ ୩ଠଟି ବିଧ୍ୱଂସକ ଟ୍ୟାଙ୍କ ଯୋଗାଇ ଦେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି । ୟୁକ୍ରେନକୁ ପୋଲାଣ୍ଡ ୬ଠଟି ଅତ୍ୟାଧୁନିକ ଟ୍ୟାଙ୍କ, ବ୍ୟାପକ ଗୁଳିଗୋଳା ଯୋଗାଇ ଦେବାକୁ ଘୋଷଣା କରିଥିବା ବେଳେ ବେଲଜିୟମ ମଧ୍ୟ ୧ଠଠ ମିଲିୟନ ଡଲାରର ସୈନ୍ୟ ଉପକରଣ ଯୋଗାଇବ ବୋଲି ଘୋଷଣା କରିଛି ।
ୟୁକ୍ରେନ୍କୁ ୟୁରୋପୀୟ ସଂଘ ଓ ଆମେରିକାର ଘାତକ ଅସ୍ତ୍ରଶସ୍ତ୍ର ସହଯୋଗ କରିବା ଅର୍ଥ ଯୁଦ୍ଧରେ ସେମାନଙ୍କ ସିଧାସଳଖ ଏଣ୍ଟ୍ରି ବୋଲି ବିବେଚନା କରୁଥିବା ରୁଷ୍ ଅନେକ ଥର ପରିଣାମ ଭୋଗିବାକୁ ପ୍ରସ୍ତୁତ ରହିବାକୁ ଚେତାବନୀ ଦେଇସାରିଛି । ଏବେ ଅଷ୍ଟ୍ରେଲିଆ ଏଥିରେ ସାମିଲ ହେବା ରୁଷ୍କୁ ଆହୁରି ଉତ୍ତେଜକ କରିଦେଇପାରେ ବୋଲି ଅନୁମାନ କରାଯାଉଛି । ଏପରି ସ୍ଥିତିରେ ରୁଷ୍ ପରମାଣୁ ଆକ୍ରମଣ କରିବା ଏବଂ ତୃତୀୟ ବିଶ୍ୱଯୁଦ୍ଧର ଅୟମାରମ୍ଭ ହେବା ଆଶଙ୍କା ବଢ଼ିଯାଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *