ହିଣ୍ଡେନ୍ବର୍ଗର ଅଭିଯୋଗ ଭାରତ ଉପରେ ଆକ୍ରମଣ

ନୂଆଦିଲ୍ଲୀ/ ୱାଶିଂଟନ୍ (ଏଜେନ୍ସି): ଯେବେ ଠାରୁ ଆମେରିକାର ଶର୍ଟ ସେଲର ହିଣ୍ଡେନ୍ବର୍ଗ ରିସର୍ଚ୍ଚ ନାମକ ଏକ ଗବେଷଣା ସଂସ୍ଥା ପକ୍ଷରୁ ଏକ ରିପୋର୍ଟ ସାମ୍ନାକୁ ଆସିଛି, ଦେଶର ପୁଞ୍ଜିପତି, କୋଟିପତି, ଶିଳ୍ପପତିମାନେ ଭୟଭୀତ ହୋଇପଡିଛନ୍ତି । ବିଶେଷକରି ହିଣ୍ଡେନ୍ବର୍ଗ ରିପୋର୍ଟରେ ବିଶ୍ୱର ୩ ନମ୍ବର ଧନୀ ଗୌତମ ଅଦାନୀଙ୍କ ଗ୍ରୁପ୍ ଅର୍ଥନୈତିକ ସ୍ତରରେ କିପରି ବ୍ୟାପକ ଜାଲିଆତି କରୁଛି ସେନେଇ ବିସ୍ତୃତ ସୂଚନା ଦେବା ପରେ ଏହାକୁ ନେଇ ଦେଶବ୍ୟାପୀ ହଲଚଲ୍ ସୃଷ୍ଟି ହୋଇଛି ।
ଦ୍ଭ ୨.୮୩ ଲକ୍ଷ କୋଟି ଟଙ୍କାର କ୍ଷତି ସହିଲାଣି ଅଦାନୀ ଗ୍ରୁପ୍
ଏହି ରିପୋର୍ଟ ପ୍ରଭାବରେ ଅଦାନୀ ଗ୍ରୁପ୍ର ସେୟାର ଭାଲୁ୍ୟ ଏବେ ସେୟାର ମାର୍କେଟ୍ରେ ଦ୍ରୁତଗତିରେ ଖସିବାରେ ଲାଗିଛି । ଜାନୁଆରୀ ୨୪ରେ ହିଣ୍ଡେନ୍ବର୍ଗ ପକ୍ଷରୁ ୧ଠ୬ ପୃଷ୍ଠାର ଏହି ବିସ୍ତୃତ ରିପୋର୍ଟ ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସୁଦ୍ଧା (ଶୁକ୍ରବାର ସେୟାର ବଜାର ବନ୍ଦ ହେବା ସୁଦ୍ଧା) ଅଦାନୀ ଗ୍ରୁପ୍ର ପ୍ରାୟ ୨.୮୩ ଲକ୍ଷ କୋଟି ଟଙ୍କାର କ୍ଷତି ହୋଇସାରିଛି । ଅବଶ୍ୟ ଅଦାନୀ ଗ୍ରୁପ୍ ପକ୍ଷରୁ ବରାବର ଏହା ଉପରେ ସ୍ପଷ୍ଟୀକରଣ ଦିଆଯାଇଆସୁଛି । କିନ୍ତୁ ଏହାଦ୍ୱାରା ସେୟାର ମାର୍କେଟ୍ରେ ଗ୍ରୁପ୍ର ସ୍ଥିତି ଉପରେ କୌଣସି ପ୍ରଭାବ ପଡ଼ୁନାହିଁ । ଅଦାନୀ ଗ୍ରୁପ୍ର ବିଭିନ୍ନ ସେୟାରର ମୂଲ୍ୟ ୨ଠ-୨୫% ଯାଏ କମ୍ ହୋଇସାରିଛି । ଏପରିକି ଗତକାଲି ଗ୍ରୁପ୍ ୪୧୩ ପୃଷ୍ଠାର ଏକ ଜବାବ ମଧ୍ୟ ଜାରି କରିଛି । ଏଥିରେ ଆମେରିକୀୟ ଫାର୍ମ ହିଣ୍ଡେନ୍ବର୍ଗ ପକ୍ଷରୁ କରାଯାଇଥିବା ସମସ୍ତ ଅଭିଯୋଗକୁ ଅଦାନୀ ଗ୍ରୁପ୍ ଖଣ୍ଡନ କରୁଥିବା ଉଲ୍ଲେଖ କରାଯାଇଛି । ତେବେ ଏପ୍ରକାର ରିପୋର୍ଟ ଦ୍ୱାରା କ୍ଷତିଗ୍ରସ୍ତ ହୋଇଥିବା କମ୍ପାନୀର ଶେୟାର ହୋଲ୍ଡର୍ସଙ୍କ ସ୍ୱାର୍ଥ ରକ୍ଷା ପାଇଁ ଆବଶ୍ୟକ ପ୍ରତିକାର ନିମନ୍ତେ ଅଦାନୀ ଗ୍ରୁପ୍ ଉପଯୁକ୍ତ କର୍ତ୍ତୃପକ୍ଷଙ୍କ ସମ୍ମୁଖରେ ନିଜ ଅଧିକାର ପ୍ରୟୋଗ କରିବ ବୋଲି ସ୍ପଷ୍ଟୀକରଣରେ ଉଲ୍ଲେଖ କରିଛି ।
ଦ୍ଭ ଅଭିଯୋଗ ଭିତ୍ତିହୀନ, ଉଦେ୍ଦଶ୍ୟ ପ୍ରଣୋଦିତ
ରିପୋର୍ଟରେ ଅମୂଳକ ଏବଂ ମିଥ୍ୟା ରିପୋର୍ଟକୁ ଉଦେ୍ଦଶ୍ୟମୂଳକ ଭାବେ ସାମିଲ କରାଯାଇଥିବା ଗ୍ରୁପ୍ ଅନୁଭବ କରୁଥିବା ଦର୍ଶାଇଛି । ଗ୍ରୁପ୍ କହିଛି, ଏହା ପଛରେ ହିଣ୍ଡେନ୍ବର୍ଗ କମ୍ପାନୀର ଆର୍ଥିକ ଲାଭଜନିତ ସ୍ୱାର୍ଥ ନିହିତ ଥିବା ପ୍ରତୀତ ହେଉଛି । ତେବେ ହିଣ୍ଡେନ୍ବର୍ଗର ଏପ୍ରକାର ଅଭିଯୋଗ ଭାରତ ଉପରେ, ଭାରତର ସ୍ୱାଧୀନତା, ଅଖଣ୍ଡତା ଓ ସଂସ୍ଥାଗୁଡ଼ିକର ସମାନତା ଉପରେ ଆକ୍ରମଣ ବୋଲି ଅଭିହିତ କରିଛି ଅଦାନୀ ଗ୍ରୁପ୍ । ହିଣ୍ଡେନ୍ବର୍ଗର ଉଦେ୍ଦଶ୍ୟ ଏକ ଭାରତୀୟ କମ୍ପାନୀ ଉପରେ ଅବା‚ôତ ଟାର୍ଗେଟ୍ ନୁହେଁ ବରଂ ଅସାଧୁ ଉପାୟରେ ଅଗଣିତ ନିବେଶକଙ୍କୁ କ୍ଷତି ପହଞ୍ଚାଇ ନିଜେ ଲାଭବାନ ହେବାକୁ ଉଦ୍ୟମ ବୋଲି ଅଦାନୀ ଗ୍ରୁପ୍ ସଫେଇ ଦେଇଛି । ଏତଦ୍ବ୍ୟତୀତ ଅଦାନୀ ଏଣ୍ଟରପ୍ରାଇଜେସ୍ ଲିଃ ଭାରତୀୟ ପୁଞ୍ଜି ବଜାରରେ ୨ଠ ହଜାର କୋଟି ଟଙ୍କାର ସର୍ବବୃହତ୍ ଫଲୋ-ଅନ୍ ପବ୍ଲିକ୍ ଅଫର୍ (ଏଫପିଓ) ଆଣିବା ସମୟରେ ବିନା ଗବେଷଣାରେ ହଣ୍ଡେନ୍ବର୍ଗର ଏପ୍ରକାର ରିପୋର୍ଟ ପ୍ରକାଶନ ପଛରେ ମନ୍ଦ ଉଦେ୍ଦଶ୍ୟ ରହିଛି, ଯାହାକି ଫରେନ୍ ସିକୁ୍ୟରିଟିଜ୍ ଆଣ୍ଡ୍ ଏକ୍ସଚେଞ୍ଜ ଆଇନଗୁଡ଼ିକର ଉଲ୍ଲଂଘନ ବୋଲି ଆଦାନୀ ସମୂହ ପକ୍ଷରୁ କୁହାଯାଇଛି ।
ଦ୍ଭ ଜବାବ ରଖିଲା ହିଣ୍ଡେନ୍ବର୍ଗ
ଅନ୍ୟପକ୍ଷେ ହିଣ୍ଡେନ୍ବର୍ଗ ରିସର୍ଚ୍ଚ ଫାର୍ମ ପକ୍ଷରୁ ମଧ୍ୟ ଏହାର ପାଲଟା ଜବାବ ଦିଆଯାଇଛି । ଦେଶର ସ୍ୱାର୍ଥ ରକ୍ଷା ଏବଂ ଜାତୀୟତାବାଦ ଆଢୁଆଳରେ ଜାଲିଆତିକୁ ଲୁଚାଯାଇପାରିବନି ବୋଲି ହିଣ୍ଡେନ୍ବର୍ଗ କହିଛି । ହଣ୍ଡେନ୍ବର୍ଗ ନିଜ ଜବାବରେ ଉଲ୍ଲେଖ କରିଛି, ଅଦାନୀ ଗ୍ରୁପ୍ ଭାରତର ଭବିଷ୍ୟତକୁ ପଛକୁ ଠେଲୁଛି । ବ୍ୟବସ୍ଥିତ ମାଧ୍ୟମରେ ଦେଶକୁ ଲୁଟିବା ପାଇଁ ଗ୍ରୁପ୍ ନିଜକୁ ଭାରତୀୟ ପତାକା ତଳେ ଲୁଚାଇବାକୁ ଚେଷ୍ଟା କରୁଛି । ନିଜ ସମ୍ପର୍କରେ ଏପ୍ରକାର ପ୍ରମାଣଭିତ୍ତିକ ଅଭିଯୋଗକୁ ଭାରତ ଉପରେ ଆକ୍ରମଣ ବୋଲି ଦର୍ଶାଇ ଅଦାନୀ ଗ୍ରୁପ୍ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ଉପରେ ଧ୍ୟାନ ହଟାଇବା ପାଇଁ ଉଦ୍ୟମ କରୁଛି ।
ଦ୍ଭ ଘଟଣାକ୍ରମ
ହିଣ୍ଡେନ୍ବର୍ଗ ପକ୍ଷରୁ ଗତ ୨୪ ତାରିଖରେ ଏକ ୧ଠ୬ ପୃଷ୍ଠା ସମ୍ବଳିତ ରିପୋର୍ଟ ପ୍ରକାଶିତ ହୋଇଥିଲା । ଏଥିରେ ଅଦାନୀ ଗ୍ରୁପ୍ର କଳା କାରନାମା ସମ୍ପର୍କରେ ବିସ୍ତୃତ ସୂଚନା ଦିଆଯାଇଛି । ଅଦାନୀ ଗ୍ରୁପ୍ ୧୭.୮ ଟ୍ରିଲିୟନ୍ ବା ଲକ୍ଷ କୋଟି ଟଙ୍କା (୨୧୮ ବିଲିୟନ୍ ଆମେରିକୀୟ ଡଲାର) ହେରଫେର କରିଛି । ଅଦାନୀ ଗ୍ରୁପ୍ ଦଶନ୍ଧି ଧରି ଅସାଧୁ ଉପାୟରେ ଷ୍ଟକ୍ ମୂଲ୍ୟରେ ବୃଦ୍ଧି ଘଟାଇବା ସହ ଗତ ୩ ବର୍ଷ ମଧ୍ୟରେ ପ୍ରାୟ ୧୨ଠ ବିଲିୟନ ଡଲାର ଠୁଳ କରିଛି । ପୁଞ୍ଜି ବଜାରରେ ତାଲିକାଭୁକ୍ତ ହୋଇଥିବା ଅଦାନୀ ସମୂହର ୭ ମୁଖ୍ୟ କମ୍ପାନୀ ଏହି ଅବଧି ମଧ୍ୟରେ ହାରାହାରି ୮୧୯% ଉପରକୁ ଉଠିଛନ୍ତି । ୨ ବର୍ଷର ଖୋଳତାଡ଼ ପରେ ଏନେଇ ବଳିଷ୍ଠ ପ୍ରମାଣ ମିଳିଥିବା ହିଣ୍ଡେନ୍ବର୍ଗ ନିଜ ରିପୋର୍ଟରେ ପ୍ରଘଟ କରିଥିଲା । ଏତଦ୍ବ୍ୟତୀତ ହଣ୍ଡେନ୍ବର୍ଗ, ଅଦାନୀ ଗ୍ରୁପ୍ ଉଦେ୍ଦଶ୍ୟରେ ମୋଟ୍ ୮୮ଟି ପ୍ରଶ୍ନ ମଧ୍ୟ ରଖିôଥିଲା । ତେବେ ଅଦାନୀ ଗ୍ରୁପ୍ ଏଥିମଧ୍ୟରୁ ୬୫ଟିର ଉତ୍ତର ଦେଇଥିବା ବେଳେ ଅବଶିଷ୍ଟ ୨୩ ପ୍ରଶ୍ନ ମଧ୍ୟରୁ ୧୮ଟି ଶେୟାର ହୋଲ୍ଡର୍ସଙ୍କ ସମ୍ପର୍କିତ ହୋଇଥିବା ଏବଂ ବାକି ୫ଟି ଅଭିଯୋଗ କାଳ୍ପନିକ ଓ ଭିତ୍ତିିହୀନ ଦର୍ଶାଇ ଏଡାଇଯାଇଛି ।
ଦ୍ଭ ରିସର୍ଚ୍ଚ ଫାର୍ମ ସମ୍ପର୍କରେ
ହିଣ୍ଡେନ୍ବର୍ଗ ଏକ ଆମେରିକୀୟ ରିସର୍ଚ୍ଚ ଫାର୍ମ ଯାହାକି ମୁୂଖ୍ୟତଃ ଦେଶ ବିଦେଶର ସେୟାର ମାର୍କେଟ୍, ଇକ୍ୱିଟି, କ୍ରେଡିଟ୍ ଏବଂ ଡେରିଭେଟିଭ୍ସ୍ ଉପରେ ଗବେଷଣା କରିଥାଏ । ଏହାଦ୍ୱାରା ସେୟାର ମାର୍କେଟ୍ରେ କଳାବଜାରି ହେଉଛି କି ନାହିଁ, ବଡ଼ ବଡ଼ କମ୍ପାନୀ ନିଜ ଫାଇଦା ପାଇଁ ଆକାଉଣ୍ଟସ୍ରେ ହେରଫେର୍ କରୁଛନ୍ତି କି ନାହିଁ ଏସବୁର ଯାଞ୍ଚ୍ କରିବା ପୂର୍ବକ ରିପୋର୍ଟ ପ୍ରସ୍ତୁତ କରିଥାଏ । ନାଥନ୍ ଆଣ୍ଡରସନ୍ ନାମକ ଜଣେ ବ୍ୟକ୍ତି ଏହି ରିସର୍ଚ୍ଚ ଫାର୍ମର ପ୍ରତିଷ୍ଠାତା । ଆମେରିକାର କନେକ୍ଟିକଟ୍ ବିଶ୍ୱବିଦ୍ୟାଳୟରୁ ଇଣ୍ଡରନ୍ୟାସନାଲ ବିଜ୍ନେଜ୍ ବିଷୟରେ ଗ୍ରାଜୁଏସନ୍ କରିଥିବା ଆଣ୍ଡରସନ୍ ୨ଠ୧୭ରେ ଏହି କମ୍ପାନୀ ଆରମ୍ଭ କରିଥିଲା । ୧୯୩୭ରେ ବି୍ରଟେନ୍ର ମାଞ୍ଚେଷ୍ଟର ସହରରେ ଜର୍ମାନ୍ର ହିଣ୍ଡନ୍ବର୍ଗ ନାମକ ଏକ ସ୍ପେଶ୍ସିପ୍ ଦୁର୍ଘଟଣାରେ ୩୫ ଲୋକ ପ୍ରାଣ ହରାଇବା ଆଣ୍ଡରସନ୍ଙ୍କୁ ବେଶ୍ ମର୍ମାହତ କରିଥିଲା । ପରେ ସେ ନିଜ କମ୍ପାନୀର ନାମ ହିଣ୍ଡେନ୍ବର୍ଗ’ ହିଁ ରଖିଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *