ଆଜି ନୁ୍ୟଜିଲାଣ୍ଡ ବିପକ୍ଷ ନିର୍ଣ୍ଣାୟକ ଟି-୨୦
ସୁଯୋଗ ପାଇବେ କି ପୃଥ୍ୱୀ?
ଅହମଦାବାଦ, ୩୧ା୧ (ଏଜେନ୍ସି): ଭାରତ ଓ ନୁ୍ୟଜିଲାଣ୍ଡ ମଧ୍ୟରେ ଟି-୨୦ ଶୃଙ୍ଖଳାର ତୃତୀୟ ତଥା ଶେଷ ମ୍ୟାଚ୍ ବୁଧବାର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ଖେଳାଯିବ । ଶୃଙ୍ଖଳା ଏବେ ୧-୧ ସ୍ଥିତିରେ ଥିବାରୁ ଏହି ମ୍ୟାଚ୍ ନିର୍ଣ୍ଣାୟକ ହେବ ।
ଉଭୟ ମ୍ୟାଚ୍ରେ ଭାରତୀୟ ବ୍ୟାଟର୍ ବିଫଳ ହୋଇଥିଲେ, ଯାହା ଟିମ୍ ପାଇଁ ଚିନ୍ତାର ବିଷୟ ହୋଇଛି । ଈଶାନ କିଶନ ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ଲଗାତାର ନିରାଶ କରିଛନ୍ତି । ଶ୍ରୀଲଙ୍କା ବିପକ୍ଷ ତିନି ଟି-୨୦ ମ୍ୟାଚ୍ରେ ମଧ୍ୟ ଏହି ଯୋଡ଼ି ଭଲ ଆରମ୍ଭ ଦେଇପାରି ନ ଥିଲେ । ନୁ୍ୟଜିଲାଣ୍ଡ ଶୃଙ୍ଖଳାରେ ମଧ୍ୟ ପ୍ରଥମ ଦୁଇ ମ୍ୟାଚ୍ରେ ଏହି ସ୍ଥିତି ରହିଥିଲା ।
ରାହୁଲ ତ୍ରିପାଠୀ ମଧ୍ୟ ଚାରି ମ୍ୟାଚ୍ ମଧ୍ୟରେ କେବଳ ଥରେ ଭଲ ଇନିଂସ୍ ଖେଳିଥିଲେ । ତା’ହେଲେ ନିର୍ଣ୍ଣାୟକ ମ୍ୟାଚ୍ରେ କ’ଣ ପୃଥ୍ୱୀ ଶ’ଙ୍କୁ ସୁଯୋଗ ମିଳିବ? ଈଶାନ୍ ୱିକେଟ୍କିପର୍ ଏବଂ ଏହି କାରଣରୁ ସେ ବାଦ୍୍ ପଡ଼ିବାର ସମ୍ଭାବନା କମ୍ । ଏପରିସ୍ଥଳେ ରାହୁଲଙ୍କୁ କଢ଼ା ଯାଇପାରେ । ତାଙ୍କ ସ୍ଥାନରେ ପୃଥ୍ୱୀଙ୍କୁ ସୁଯୋଗ ମିଳିପାରେ । ସେ ଆସିଲେ, ଈଶାନ ତିନି ନମ୍ବରରେ ଖେଳିପାରନ୍ତି ।
ମଧ୍ୟକ୍ରମରେ ପରିବର୍ତ୍ତନର ସମ୍ଭାବନା ନାହିଁ
ଭାରତୀୟ ଟିମ୍ର ମଧ୍ୟକ୍ରମରେ ପରିବର୍ତ୍ତନର ସମ୍ଭାବନା କମ୍ । ସୂର୍ଯ୍ୟକୁମାର ଯାଦବ ଲଗାତାର ଭଲ ଖେଳୁଛନ୍ତି । ଅଧିନାୟକ ହାର୍ଦ୍ଦିକ ପାଣ୍ଡ୍ୟା ବୋଲିଂ ସହିତ ବ୍ୟାଟିଂରେ ବି ଟିମ୍ ପାଇଁ ଗୁରୁତ୍ୱପୂର୍ଣ୍ଣ । ଦୀପକ ହୁଡ଼ାଙ୍କ ସହିତ ୱାଶିଂଟନ୍ ସୁନ୍ଦର ଫିନିଶର୍ ଭୂମିକାରେ ରହିବେ । ଉଭୟ ଚାରି ଓଭର୍ ଲେଖାଏଁ ବୋଲିଂ ବି କରିପାରିବେ ।
ପିଚ୍ ଉପରେ ନିର୍ଭର କରିବ ବୋଲିଂ ଆକ୍ରମଣ
ଭାରତୀୟ ଟିମ୍ ଲକ୍ଷ୍ନୌ ଟି-୨୦ରେ ଯୁଜବେନ୍ଦ୍ର ଚହଲ ଓ କୁଲଦୀପ ଯାଦବ ଉଭୟଙ୍କୁ ସୁଯୋଗ ଦେଇଥିଲା । ସେଠାରେ ପିଚ୍ ସ୍ପିନ୍-ଅନୁକୂଳ ଥିଲା । ଯଦି ଅହମଦାବାଦରେ ମଧ୍ୟ ସେମିତି ରହେ, ତା’ହେଲେ ଉଭୟ ଖେଳିପାରନ୍ତି । କିନ୍ତୁ ଯଦି ପେସ୍-ଅନୁକୂଳ ହୁଏ, ଉମରାନ ମଲିକ ସୁଯୋଗ ପାଇପାରନ୍ତି ।
୨୦୨୧ରେ ଏହି ଗ୍ରାଉଣ୍ଡରେ ଭାରତ ଓ ଇଂଲଣ୍ଡ ମଧ୍ୟରେ ପାଞ୍ଚ ଟି-୨୦ ମ୍ୟାଚ୍ର ଶୃଙ୍ଖଳା ଅନୁଷ୍ଠିତ ହୋଇଥିଲା । ଶାର୍ଦ୍ଦୂଳ ଠାକୁର ୮ ଓ ଜୋଫ୍ରା ଆର୍ଚର ୭ ୱିକେଟ୍ ନେଇଥିଲେ ।
ସମ୍ଭାବ୍ୟ ଭାରତୀୟ ଏକାଦଶ
ଶୁଭମନ ଗିଲ୍, ପୃଥ୍ୱୀ ଶ’, ଈଶାନ କିଶନ (ୱିକେଟ୍କିପର୍), ସୂର୍ଯ୍ୟକୁମାର ଯାଦବ, ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଦୀପକ ହୁଡ଼ା, ୱାଶିଂଟନ୍ ସୁନ୍ଦର, ଶିବମ୍ ମାଭୀ, କୁଲଦୀପ ଯାଦବ, ଯୁଜବେନ୍ଦ୍ର ଚହଲ/ଉମରାନ୍ ମଲିକ, ଅର୍ଶଦୀପ ସିଂହ ।