ଆଜିଠୁ ବଜେଟ୍ ଅଧିବେଶନ
ନୂଆଦିଲ୍ଲୀ, ୩ଠା୧: ୨୦୨୩-୨୪ ଆର୍ଥôକ ବର୍ଷ ପାଇଁ ମଙ୍ଗଳବାରଠାରୁ ଆରମ୍ଭ ହେବ ସଂସଦର ବଜେଟ୍ ଅଧିବେଶନ । ଅଧିବେଶନର ପ୍ରଥମ ଦିନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଉଭୟ ଲୋକସଭା ଓ ରାଜ୍ୟସଭାର ମିଳିତ ବୈଠକରେ ତାଙ୍କର ପ୍ରଥମ ଅଭିଭାଷଣ ଦେବେ । ଲୋକସଭାରେ ୨୦୨୨-୨୩ ଆର୍ଥôକ ବର୍ଷର ଅର୍ଥନୈତିକ ସର୍ଭେ ରିପୋର୍ଟ ଉପସ୍ଥାପନ କରାଯିବ । ରିପୋର୍ଟ ପେସ୍ କରିବେ କେନ୍ଦ୍ର ସରକାରଙ୍କ ମୁଖ୍ୟ ଅର୍ଥନୈତିକ ଉପଦେଷ୍ଟା ଡ. ଭି ଅନନ୍ତ ନାଗେଶ୍ୱରମ୍ । ଅଧିବେଶନରେ ସରକାର ୩୬ ବିଲ୍ ଆଣିବା ଯୋଜନା ରଖିଛନ୍ତି ।
ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଫେବ୍ରୁଆରୀ ୧ ତାରିଖ ଦିନ ସାଧାରଣ ବଜେଟ୍ ଉପସ୍ଥାପନ କରିବେ । ତାହା ହେବ ମୋଦି ସରକାରଙ୍କ ଦ୍ୱିତୀୟ ପାଳିତ ଶେଷ ପୂର୍ଣ୍ଣାଙ୍ଗ ବଜେଟ୍ । ଉଲ୍ଲେଖଯୋଗ୍ୟ ଯେ ୨୦୨୪ରେ ଯଦିଓ ଏକ ବଜେଟ୍ ଉପସ୍ଥାପନ କରାଯିବ, ଲୋକସଭା ନିର୍ବାଚନ ହେବାକୁ ଥିବାରୁ ତାହା ପୂର୍ଣ୍ଣାଙ୍ଗ ବଜେଟ୍ ହେବ ନାହିଁ । ତେଣୁ ଲୋକସଭା ନିର୍ବାଚନକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଏଥର ବଜେଟ୍ରେ ବିଭିନ୍ନ ଜନପ୍ରିୟ ଯୋଜନା ଘୋଷଣା କରିବା ଆଶା କରାଯାଉଛି ।
ଗୁରୁବାରଠାରୁ ଲୋକସଭା ଓ ରାଜ୍ୟସଭାରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଗତ ହୋଇ ଆଲୋଚନା ଆରମ୍ଭ ହେବ । ଆଲୋଚନା ଶେଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଉଭୟ ଗୃହରେ ଉତ୍ତର ଦେବେ ।
ବଜେଟ୍ ଅଧିବେଶନ କାଳରେ ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ୍ ପ୍ରସ୍ତାବ ଓ ସାଧାରଣ ବଜେଟ୍ ତଥା ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ସୂଚାରୁରୂପେ ଆଲୋଚନା କରାଇବା ପ୍ରତି ସରକାର ବିଶେଷ ଧ୍ୟାନ ଦେବେ । ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି, ବଜେଟ୍ ଅଧିବେଶନ ଦୁଇ ପର୍ଯ୍ୟାୟରେ ସମ୍ପନ୍ନ ହେବ । ପ୍ରଥମ ପର୍ଯ୍ୟାୟ ସରିବ ଫେବ୍ରୁଆରୀ ୧୩ରେ । ଦ୍ୱିତୀୟ ପର୍ଯ୍ୟାୟ ମାର୍ଚ୍ଚ ୧୩ରୁ ଆରମ୍ଭ ହୋଇ ଏପ୍ରିଲ ୬ ପର୍ଯ୍ୟନ୍ତ ଚାଲିବ ।
ବଜେଟ୍ ଅଧିବେଶନରେ ବିରୋଧୀ ଦଳମାନେ ସରକାରଙ୍କୁ ବିଭିନ୍ନ ପ୍ରସଙ୍ଗ ଯଥା ଚୀନ୍ର ଅନୁପ୍ରବେଶ, ବିବିସିର ଡକୁ୍ୟମେଣ୍ଟାରୀକୁ ନିଷିଦ୍ଧ କରାଯିବା, ମୁଦ୍ରାସ୍ଫୀତି, ବେକାରୀ ପ୍ରଭୃତି ପ୍ରସଙ୍ଗ ଉଠାଇବା ସୂଚନା ମିଳିଛି ।