ବଢ଼ିଲା ରାହୁଲ କ୍ରେଜ୍
ସରିଲା ୧୪୫ ଦିନର ଯାତ୍ରା
ଶ୍ରୀନଗର (ଏଜେନ୍ସି): ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ଭାରତ ଯୋଡୋ ଯାତ୍ରା ସୋମବାର (୩ଠ ଜାନୁଆରୀ) ଶେଷ ହୋଇଛି । ତାମିଲନାଡୁର କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା ଏହି ଯାତ୍ରା ୧୪୫ ଦିନରେ ୧୨ ରାଜ୍ୟ ଓ ୨ଟି କେନ୍ଦ୍ର ଶାସିତ ଅଞ୍ଚଳ ଦେଇ ପ୍ରାୟ ୪ଠ୮୪ କିମି ଦୂରତା ଅତିକ୍ରମ କରିବା ପରେ ଜମ୍ମୁ-କଶ୍ମୀରର ରାଜଧାନୀ ଶ୍ରୀନଗରରେ ପହଞ୍ଚô ନିଜ ଅଭିଯାନ ଶେଷ କରିଛି । ତେବେ ଶେଷ ଦିନରେ ଐତିହାସିକ ଲାଲଚୌକ୍ ଠାରେ ରାହୁଲ ତ୍ରିରଙ୍ଗା ଉଡାଇଛନ୍ତି । ପତାକା ଉତ୍ତୋଳନ ସମୟରେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖର୍ଗେ, ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସମେତ ବହୁ ଦଳୀୟ କର୍ମୀ ଉପସ୍ଥିତ ଥିଲେ । ଏଥିସହ ରାହୁଲ ସ୍ଥାନୀୟ ଶେର-ଏ କାଶ୍ମୀର ଷ୍ଟାଡିୟମରେ ଆୟୋଜିତ ଏକ ଜନସଭାକୁ ସମ୍ବୋଧିତ କରିଛନ୍ତି । ଏହି ପରିପ୍ରେକ୍ଷୀରେ ବିଜେପି ସରକାର ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହାଙ୍କୁ ଟାର୍ଗେଟ୍ କରିଛନ୍ତି । ଏଥିପାଇଁ ଆମନ୍ତ୍ରଣ କରାଯାଇଥିବା ବିରୋଧୀ ଦଳର ନେତାମାନେ ମଧ୍ୟ ଉପସ୍ଥିତ ରହିଥିବା ଦେଖିବାକୁ ମିଳିଛି । ତେବେ ଭୀଷଣ ବର୍ଷା ସତ୍ତ୍ୱେ ରାହୁଲ ନିଜ ଭାଷଣ ରଖିଥିଲେ ଏବଂ ଉପସ୍ଥିତ ବ୍ୟକ୍ତିବିଶେଷ ରାହୁଲଙ୍କ ଭାଷଣ ଶୁଣିଥିଲେ । ରାହୁଲ କହିଛନ୍ତି, ସୀମାରେ ଶହିଦ୍ ହେଉଥିବା ଯବାନ୍, କାଶ୍ମୀର ଘାଟିରେ ଆତଙ୍କବାଦୀଙ୍କ ଗୁଳିର ଶିକାର ହେଉଥିବା ସାଧାରଣ ଜନତା ଏବଂ ସେ ନିଜେ ଆତ୍ମୀୟ ସ୍ୱଜନଙ୍କୁ ହରାଇବାର ଦୁଃଖ କ’ଣ ଭଲଭାବେ ଜାଣିଛନ୍ତି । ମୋଦି-ଶାହା ଏହି ଦୁଃଖକୁ ଅନୁଭବ କରିପାରିବେନି । ଏଥିସହ ରାହୁଲ କହିଛନ୍ତି, ସେ ଭାରତକୁ ଦେଇଥିବା କଥା ପୂରଣ ହୋଇଛି । ଏହି ଯାତ୍ରାକୁ ସେ ତାଙ୍କ ଜୀବନର ସବୁଠାରୁ ବଡ ଓ ସୁନ୍ଦର ଅନୁଭୁତି ବୋଲି କହିଛନ୍ତି । ଅନ୍ୟପକ୍ଷେ ଏହି ଠାରୁ କଂଗ୍ରେସ ନିଜର ୨ୟ ଅଭିଯାନ ‘ହାଥ୍ ସେ ହାଥ୍ ଯୋଡୋ’ ସମ୍ପର୍କରେ ମଧ୍ୟ ଘୋଷଣା କରିଛି ।
ଅନ୍ୟ ଏକ ରିପୋର୍ଟ ଅନୁୂସାରେ ୧୪୫ ଦିନ ବ୍ୟାପୀ ଏପ୍ରକାର ପଦଯାତ୍ରା କରିବା ପରେ ରାହୁୂଲ ଗାନ୍ଧୀଙ୍କ କ୍ରେଜ୍ ଦେଶବ୍ୟାପୀ ବେଶ୍ ବୃଦ୍ଧି ପାଇଛି । ଏହି ସମୟରେ ରାହୁଲ ପପ୍ପୁ ଭାବମୂର୍ତ୍ତିରୁ ବାହାରି ଜଣେ ପରିପକ୍ୱ ରାଜନେତାର ଟ୍ୟାଗ୍ ହାସଲ କରିଛନ୍ତି । ଏଥିସହ ଦେଶରେ ଏତେ ଲମ୍ବା ପଦଯାତ୍ରା କରିବା କ୍ଷେତ୍ରରେ ମଧ୍ୟ ଏକ ବିରଳ କୃତୀତ୍ୱ ହାସଲ କରିଛନ୍ତି ।