ନବ ଦାସ ନିହତ
ଭୁବନେଶ୍ୱର/ବ୍ରଜରାଜନଗର, ୨୯ା୧(ବୁ୍ୟରୋ/ଆପ୍ର): ରାଜ୍ୟରେ ଶୋକାକୂଳ ପରିବେଶ । ପ୍ରଶଂସକ, ସମର୍ଥକ, ପ୍ରିୟପରିଜନ ସ୍ଥବ୍ଧ । ଆଉ ନାହାନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସ । ଜଣେ ପୁଲିସ ଏଏସ୍ଆଇଙ୍କ ଗୁଳିମାଡ଼ରେ ତାଙ୍କର ମୃତୁ୍ୟ ଘଟିଛି । ରବିବାର ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବାକୁ ବ୍ରଜରାଜନଗର ଆସିଥିବା ସମୟରେ ମନ୍ତ୍ରୀ ନବ ଦାସ (୬୧) ଗୁଳିମାଡ଼ର ଶିକାର ହୋଇଛନ୍ତି । ତାଙ୍କ ପ୍ରତି ସମ୍ମାନ ଜଣାଇ ରବିବାର ରାତିରୁ ୩୧ ତାରିଖ ପର୍ଯ୍ୟନ୍ତ ଶୋକ ପାଳନ କରାଯିବ । ୨ ଦିନ ଜାତୀୟ ପତାକା ଅର୍ଦ୍ଧନମିତ ରହିବ । ଏହି ସମୟ ମଧ୍ୟରେ ସରକାରୀ ଭାବେ ସବୁ ମନୋରଞ୍ଜନ କାର୍ଯ୍ୟକ୍ରମ ବନ୍ଦ ରଖାଯିବା ସହ ସୋମବାର ଶେଷକୃତ୍ୟ ସ୍ଥଳରେ ତିନିଜଣ ମନ୍ତ୍ରୀ ଉପସ୍ଥିତ ରହିବେ ବୋଲି ସରକାରୀ ଭାବେ ସୂଚନା ଦିଆଯାଇଛି ।
ମଧ୍ୟାହ୍ନ ପ୍ରାୟ ୧୨.୨୫ରେ ସେ ବ୍ରଜରାଜନଗର ଗାନ୍ଧୀ ଛକଠାରେ ପହଞ୍ଚି ଗାଡ଼ିରୁ ଓହ୍ଲାଇଲା ପରେ କର୍ମୀମାନେ ଫୁଲମାଳ ଦେଇ ସ୍ୱାଗତ କରିଥିଲେ । ଏହି ସମୟରେ ସେଠାରେ ସୁରକ୍ଷା ଦାୟିତ୍ୱରେ ନିୟୋଜିତ ଗାନ୍ଧୀ ଛକ ଫାଣ୍ଡିର ଏଏସ୍ଆଇ ଗୋପାଳ କୃଷ୍ଣ ଦାସ ନିଜ ସର୍ଭିସ୍ ରିଭଲଭରରୁ ମନ୍ତ୍ରୀଙ୍କ ଉପକୁ ଅତର୍କିତ ଗୁଳି ·ଳନା କରିଥିଲେ । ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିବା ପ୍ରତ୍ୟକ୍ଷଦର୍ଶୀମାନେ ପ୍ରକାଶ କରିଛନ୍ତି । କିନ୍ତୁ ଦୁଇ ରାଉଣ୍ଡ ଗୁଳି ନବଙ୍କ ବାମ ପଟ ଛାତିରେ ବାଜିଥିଲା । ଉପସ୍ଥିତ ଜନତା କିଛି ବୁଝିବା ଆଗରୁ ମନ୍ତ୍ରୀ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଅଚେତ ହୋଇ ପଡ଼ିଯାଇଥିଲେ । ତାଙ୍କ ଛାତିରୁ ପ୍ରବଳ ରକ୍ତସ୍ରାବ ହୋଇଥିଲା । ସଙ୍କଟାପନ୍ନ ଅବସ୍ଥାରେ ତାଙ୍କୁ ଝାରସୁଗୁଡ଼ା ହସ୍ପିଟାଲ୍କୁ ନିଆଯାଇ ପ୍ରାରମ୍ଭିକ ଚିକିତ୍ସା ପରେ ସେଠାରୁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ସହିତ ଭୁବନେଶ୍ୱରକୁ ଏୟାରଲିଫ୍ଟ କରାଯାଇଥିଲା । ଅପରାହ୍ଣ ପ୍ରାୟ ୩ ଟାରେ ଭୁବନେଶ୍ୱର ବିମାନବନ୍ଦରରୁ ଗ୍ରୀନ୍ କରିଡର ବ୍ୟବସ୍ଥାରେ ନିଆଯାଇ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।
ଏସ୍ସିବି, ଏମ୍ସ, କ୍ୟାପିଟାଲ ହସ୍ପିଟାଲ ଓ ଆପୋଲୋ ହସ୍ପିଟାଲ୍ ଡାକ୍ତରଙ୍କୁ ନେଇ ଗଠିତ ସ୍ୱତନ୍ତ୍ର ଟିମ୍ ତାଙ୍କୁ ଲାଇଫ୍ ସପୋର୍ଟ ସିଷ୍ଟମ୍ରେ ରଖି ଚିକିତ୍ସା ଆରମ୍ଭ କରିଥିଲେ । ଗୁଳିବିଦ୍ଧ ଛାତିରେ ଅସ୍ତ୍ରୋପ·ର କରାଯାଇଥିଲା । ଡାକ୍ତରମାନେ ତାଙ୍କୁ ବଞ୍ଚାଇବା ନିମିତ୍ତ ଯଥାସାଧ୍ୟ ପ୍ରୟାସ କରିଥିଲେ । ହେଲେ ସବୁ ଫେଲ୍ ମାରିଥିଲା । ସନ୍ଧ୍ୟା ପ୍ରାୟ ୭.୩୦ରେ ନବ ଦାସଙ୍କ ମୃତୁ୍ୟ ଘଟିଥିବା ସୂଚନା ଦିଆଯାଇଥିଲା । ଏହି ଖବର ପ୍ରଚାରିତ ହେବା ପରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଛି । ତାଙ୍କୁ ସ୍ୱାଗତ କରୁଥିବା ସ୍ଥାନୀୟ ଅଞ୍ଚଳର ଜଣେ ବ୍ୟକ୍ତି ମଧ୍ୟ ଗୁଳିମାଡ଼ରେ ଆହତ ହୋଇଥିବା ଜଣାପଡ଼ିଛି । ଫାଣ୍ଡିର ୪ଠଠ ମିଟର ଦୂରରେ ପଏଣ୍ଟ୍ ବ୍ଲାଙ୍କ୍ରୁ ଗୁଳି କରିଥିବା ଏଏସ୍ଆଇ ଗୋପାଳ ଦାସଙ୍କ ଉପରେ ଉତ୍ତ୍ୟକ୍ତ ଲୋକେ ଆକ୍ରମଣ କରିଥିଲେ । କିନ୍ତୁ ପୁଲିସ ତାଙ୍କୁ ହେପାଜତକୁ ନେଇଛି । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ ନିଦେ୍ର୍ଦଶ ଦେଇଛନ୍ତି ।
ଏହାସହିତ ଚିକିତ୍ସା ବ୍ୟବସ୍ଥାର ତଦାରଖ ପାଇଁ ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଗୁଆ ଆପୋଲୋ ହସ୍ପିଟାଲ୍ରେ ପହଞ୍ଚି ଡାକ୍ତରମାନଙ୍କ ସଙ୍ଗେ ଆଲୋଚନା କରିବା ସହ ତାଙ୍କ ପୁଅଙ୍କୁ ସାନ୍ତ୍ୱନା ଦେଇ ଫେରିଥିଲେ ।
ଖବର ପାଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବିଜେଡି ରାଜ୍ୟ ସାଙ୍ଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସ, ୫-ଟି ସଚିବ ଭିକେ ପାଣ୍ଡିଆନ ଆପୋଲୋ ହସ୍ପିଟାଲ ଯାଇ ସ୍ୱାସ୍ଥ୍ୟାବସ୍ଥା ଅନୁଧ୍ୟାନ କରିଥିଲେ । ପରଲୋକ ଖବର ପାଇ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ସଞ୍ଜୟ କୁମାର ଦାସବର୍ମା, ବିରୋଧୀଦଳ ନେତା ଜୟନାରାୟଣ ମିଶ୍ର, କଂଗ୍ରେସ ବିଧାୟକ ସନ୍ତୋଷ ସିଂହ ସାଲୁଜା, ମହମ୍ମଦ ମୋକିମ, ପ୍ରଣବ ବଳବନ୍ତରାୟ, ପ୍ରଣବ ପ୍ରକାଶ ଦାସ ପ୍ରମୁଖଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ହସ୍ପିଟାଲ ଯାଇ ଶେଷ ଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ସ୍ୱର୍ଗତ୍ ଦାସ ଙ୍କ ପତ୍ନୀ, ପୁଅ ଏବଂ ଅନ୍ୟମାନଙ୍କୁ ସାନ୍ତ୍ୱନା ପ୍ରଦାନ କରିଥିଲେ ।
ଆପୋଲରୁ ତାଙ୍କ ମରଶରୀରକୁ କ୍ୟାପିଟାଲ ହସ୍ପିଟାଲ ନିଆଯାଇ ବ୍ୟବଚ୍ଛେଦ କରାଯାଇଛି । ଦୁଇ ଜଣିଆ ଡାକ୍ତର ଟିମ୍ ବ୍ୟବଚ୍ଛେଦ କରିଛନ୍ତି । ରାତିରେ ମରଶରୀରକୁ ସ୍ୱତନ୍ତ୍ର ଗାଡ଼ିରେ ବିଧାନସଭା ନିଆଯାଇ ସମ୍ମାନ ପ୍ରଦର୍ଶନ କରାଯାିଛି । ସେଠାରୁ ମରଶରୀରକୁ ଝାରସୁଗୁଡ଼ା ନିଆଯିବ ଏବଂ ସ୍ଥାନୀୟ ଲୋକେ ଶେଷ ଦର୍ଶନ କରିବା ପରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ ବୋଲି ସୂଚନା ମିଳିଛି ।
ସମ୍ବଲପୁରରେ ୧୯୬୨ ଜାନୁଆରୀ ୭ରେ ଜନ୍ମଗ୍ରହଣ କରିଥିବା ନବ ଦାସ ଛାତ୍ରାବସ୍ଥାରୁ ରାଜନୀତି ସହିତ ଜଡ଼ିତ ଥିଲେ । ସେ ଝାରସୁଗୁଡ଼ା ବିଧାନସଭା ଆସନରୁ କଂଗ୍ରେସ ଟିକେଟରେ ୨୦୦୯ ଏବଂ ୨୦୧୪ ରେ ବିଜୟୀ ହୋଇଥିଲେ । ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ବିଜେଡିରେ ଯୋଗଦେଇ ଜିତିବା ସହିତ କ୍ୟାବିନେଟ୍ ମନ୍ତ୍ରୀ ହୋଇଥିଲେ । ତାଙ୍କ ପତ୍ନୀଙ୍କ ନାମ ମିନତୀ ଦାସ, ପୁଅଙ୍କ ନାମ ବିଶାଲ ଓ କନ୍ୟାଙ୍କ ନାମ ଦିପାଳୀ ।
ଗୋପାଳ ବାଇକୁଲାର ଆଫେକ୍ଟିଭ ଡିଜିଜ୍ରେ ଆକ୍ରାନ୍ତ ଥିଲେ
ବ୍ରହ୍ମପୁର (ବୁ୍ୟରୋ): ଏଏସ୍ଆଇ ଗୋପାଳ ଦାସଙ୍କୁ ଛିକିତ୍ସା କରୁଥିବା ବ୍ରହ୍ମପୁର ବଡ ଡାକ୍ତରଖାନାର ମାନସିକ ରୋଗ ବିଭାଗର ମୁଖ୍ୟ ପ୍ରଫେସର ଚନ୍ଦ୍ରଶେଖର ତ୍ରିପାଠୀଙ୍କ ସହ ଆଲୋଚନା ବେଳେ ସେ କହିଛନ୍ତି ଯେ, ୧୦ବର୍ଷ ତଳୁ ତାଙ୍କ କ୍ଲିନିକ୍କୁ ଆସି ଗୋପାଳ ଚିକିତ୍ସିତ ହେଉଥିଲେ । ତାଙ୍କର ବାଇକୁଲାର ଆଫେକ୍ଟିଭ ଡିଜିଜ୍ (ଉତ୍ତେଜିତ ଓ ରାଗିବା ସହ ମାର୍ପିଟ କରିବା) ଥିଲା । ସେ ଚଞ୍ଚଳ ସ୍ୱାଭାବର ଥିଲେ ଓ ଶୋଉନଥିଲେ । ଔଷଧ ଖାଇ ମାନସିକ ଭାବେ ସୁୂସ୍ଥ ଥିଲେ ଓ ବେଳେ ବେଳେ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଆସୁଥିଲେ । ବର୍ଷ ମଧ୍ୟରେ ସେ ସ୍ୱାସ୍ଥ୍ୟ ପରୀକ୍ଷାକରି ଔଷଧ ନେନ୍ନ୍ି ।
ତେବେ ସେ ସବୁଦିନ ଔଷଧ ଖାଉଥିଲେ କି ନାହିଁ, ପରିବାର ଲୋକେ ତାଙ୍କ ଯତ୍ନ ନେଉଥିଲେ କି ନାହିଁ ତାହା ଜଣାନାହିଁ । ଗୋପାଳ ଏଭଳି ଘଟଣା କାହିଁକି ଘଟାଇଲେ ତାହାର ସଠିକ୍ ତଦନ୍ତ ଏବଂ ମାନସିକ ରୋଗ କେତେଦୂର ରହିଛି ତାହାର ମଧ୍ୟ ସଠିକ୍ ପରୀକ୍ଷା ଆବଶ୍ୟକ ରହିଛି ବୋଲି ଡା. ତ୍ରିପାଠୀ କହିଥିଲେ ।
ସ୍ୱାମୀଙ୍କ ମାନସିକସ୍ଥିତି ଭଲ ନ ଥିଲା: ସ୍ତ୍ରୀ
ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳି କରି ହତ୍ୟା କରିଥିବା ପୁଲିସ୍ ଏଏସ୍ଆଇ ଗୋପାଳ ଦାସଙ୍କ ଘର ବ୍ରହ୍ମପୁର ଆଙ୍କୁଲି ଇଣ୍ଡଷ୍ଟି୍ରଆଲ ଅଞ୍ଚଳରେ । ଘରେ ତାଙ୍କ ପତ୍ନୀ ଜୟନ୍ତୀ ଦାସ, ପୁଅ ମନୋଜ ଓ ଝିଅ ରୁହନ୍ତି । ଗୋପାଳ କାହିଁକି ଏପରି କାଣ୍ଡ ଘଟାଇଲେ ବୋଲି ଜୟନ୍ତୀଙ୍କୁ ପଚାରିବାରୁ ସେ କହିଛନ୍ତି ଯେ ତାଙ୍କର ମାନସିକ ସ୍ଥିତି ଭଲ ନାହିଁ । ସେ ବ୍ରହ୍ମପୁରର ମାନସିକ ରୋଗ ବିଶେଷଜ୍ଞ ପାଖରେ ଚିକିତ୍ସିତ ହୋଇ ଔଷଧ ଖାଉଥିଲେ । ୫ ମାସ ହେଲା ଘରକୁ ଆସିବା ପାଇଁ ଚାହୁଁଥିଲେ ମଧ୍ୟ ଛୁଟି ମିଳୁ ନ ଥିଲା । କେବେ କାହାର ଅନିଷ୍ଠ ଚିନ୍ତା କରୁ ନ ଥିଲେ ଓ ଏଭଳି ଘଟଣା କିପରି ଘଟାଇଲେ ତାହା ଆମକୁ ମଧ୍ୟ ଚକିତ କରିଛି ।
ସେପଟେ ପୁଅ ମନୋଜ କହିଛନ୍ତି, ଗତ ରାତିରେ ବାପାଙ୍କ ସହ ଫୋନ୍ ଯୋଗେ କଥା ହୋଇଥିଲି । ଆଜି ସକାଳେ ଭଉଣୀ ସହ ଭିଡିଓ କଲ୍ରେ ବାପା କଥା ହୋଇଥିଲେ । ତେବେ ଏଭଳି ଘଟଣା କେମିତି ହେଲା ଓ କେଉଁ ପରିସ୍ଥିତିରେ ହେଲା ତାହା ଆମକୁ ଆଚମ୍ବିତ କରିଛି । ସେ ଘରକୁ ଆସିବା ପାଇଁ ଚାହୁଁଥିଲେ ବି ଛୁଟି ମିଳୁ ନ ଥିôଲା ବୋଲି ମନୋଜ କହିଥିଲେ ।
୪ ମନ୍ତ୍ରୀ ଓ ବିଧାୟକଙ୍କୁ ଗୁଳିମାଡ଼ ହୋଇଥିଲା
ଭୁବନେଶ୍ୱର (ବୁ୍ୟରୋ): ଏମିତି ଘଟଣା କେବେ ଘଟି ନ ଥିଲା । ସୁରକ୍ଷା ଦାୟିତ୍ୱରେ ଥିବା ଥିବା ପୁଲିସ କର୍ମ·ରୀ ଜଣେ ମନ୍ତ୍ରୀଙ୍କୁ ଗୁଳିମାରି ହତ୍ୟା କରିବା ସ୍ୱାଧୀନୋତ୍ତର ଓଡ଼ିଶାରେ ପ୍ରଥମ ଘଟଣା । ପଶ୍ଚିମ ଓଡ଼ିଶାର ଟାଣୁଆ ନେତା ତଥା ସ୍ୱାସ୍ଥ୍ୟମନ୍ତ୍ରୀ ନବ କିଶୋର ଦାସଙ୍କୁ ପୁଲିସ ଏଏସ୍ଆଇ ଗୁଳିକରି ହତ୍ୟା କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି କୁହାଯାଉଛି ।
ଜଣେ ମନ୍ତ୍ରୀଙ୍କୁ ପୁଲିସ କର୍ମଚାରୀ ଗୁଳିକରି ହତ୍ୟା କରିବା ରାଜ୍ୟରେ ପ୍ରଥମ ଘଟଣା ହୋଇଥିଲେବି ୨୦୦୭ରୁ ଏପର୍ଯ୍ୟନ୍ତ କିଛି ମନ୍ତ୍ରୀ, ବିଧାୟକ ପ୍ରମୁଖଙ୍କୁ ଗୁଳିମାଡ଼ ହୋଇଛି । ଏଥିରେ ଜଣେ ବିଧାୟକ ଓ ଜଣେ ରାଜନେତାଙ୍କ ମୃତୁ୍ୟ ଘଟିଛି । ୨୦୧୪ ଫେବୃୟାରୀ ୨୧ ତାରିଖରେ ତକ୍ରାଳୀନ ଆଇନ ମନ୍ତ୍ରୀ ତଥା ପୁରୀ ବିଧାୟକ ମହେଶ୍ୱର ମହାନ୍ତିଙ୍କୁ ଗୁଳିମାଡ଼ ହୋଇଥିଲା । ସୌଭାଗ୍ୟବଶତଃ ସେ ବର୍ତ୍ତି ଯାଇଥିଲେ । ଏହି ମାମଲାରେ ୩ ଜଣଙ୍କୁ ୫ ବର୍ଷ ଜେଲ ଦଣ୍ଡାଦେଶ ହୋଇଥିଲା । ୨୦୦୭ ଫେବୃଆରୀରେ ପୂର୍ବତନ ବିଧାୟକ ଧନୁର୍ଜୟ ସିଦ୍ଧୁଙ୍କୁ ଗୁଳିମାଡ଼ କରାଯାଇଥିଲା । ୨୦୧୧ସେପ୍ଟେମ୍ବର ୨୪ରେ ଉମରକୋଟ୍ ବିଧାୟକ ଜଗବନ୍ଧୁ ମାଝି ଓ ତାଙ୍କ ପିଏସ୍ଓ ପିଙ୍କୁ ପାତ୍ରଙ୍କୁ ନକ୍ସଲପନ୍ଥୀ ଗୁଳିକରି ହତ୍ୟା କରିଥିଲେ । ୨୦୧୩ ଡିସେମ୍ବର ୧୫ରେ ମନ୍ତ୍ରୀ ଟୁକୁନି ସାହୁଙ୍କ ସ୍ୱାମୀ ଅଭିମନୁ୍ୟ ସାଙ୍କୁଙ୍କର ବ୍ୟବୟାୟିକ ଶତ୍ରୁତାକୁ ନେଇ ଗୁଳିକରି ହତ୍ୟା କରିଥିଲେ ଦୁର୍ବୃତ୍ତ । ୨୦୦୯ ଅକ୍ଟୋବର ୯ରେ ପୂର୍ବତନ ମନ୍ତ୍ରୀ ସୁଦାମ ମାର୍ଣ୍ଣିଙ୍କ ଉପରେ ଗୁଳିମାଡ଼ କରାଯାଇଥିଲା । ହେଲେ ସେ ବର୍ତ୍ତି ଯାଇଥିଲେ ।