୩ ଦିନିଆ ଭାରତ ଗସ୍ତରେ ସାବା କୋରୋସି
ନୂଆଦିଲ୍ଲୀ (ଏଜେନ୍ସି): ଜାତିସଂଘ ସାଧାରଣ ସଭା (ୟୁଏନ୍ଜିଏ)ର ୭୭ତମ ଅଧିବେଶନର ଅଧ୍ୟକ୍ଷ ସାବା କୋରୋସି ୩ ଦିନିଆ ଗସ୍ତରେ ଭାରତ ଆସି ପହଞ୍ଚôଛନ୍ତି । ସେ ଗତ ବର୍ଷ ସେପ୍ଟେମ୍ବରରେ ଜାତିସଙ୍ଘର ସାଧାରଣ ସଭାର ଅଧ୍ୟଷ ପଦ ଗ୍ରହଣ କରିବା ପରଠାରୁ ଭାରତକୁ ଏହା ତାଙ୍କର ପ୍ରଥମ ଦ୍ୱିପାକ୍ଷିକ ଗସ୍ତ । ଗସ୍ତ କାଳରେ କୋରୋସି ବୈଦେଶିକ ବ୍ୟାପାର ମନ୍ତ୍ରୀ ଡଃ ଏସ୍ ଜୟଶଙ୍କରଙ୍କ ସହ ପାରସ୍ପରିକ ସ୍ୱାର୍ଥ ସମ୍ବଳିତ ପ୍ରମୁଖ ବହୁପକ୍ଷୀୟ ତଥା ଆଞ୍ଚଳିକ ପ୍ରସଙ୍ଗରେ ଆଲୋଚନା କରିବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ପ୍ରକାଶ, ଜୟଶଙ୍କରଙ୍କ ନିମନ୍ତ୍ରଣ କ୍ରମେ କୋରୋସି ଭାରତ ଆସିଛନ୍ତି । ସେହିପରି ନିଜ ଗସ୍ତ କାଳରେ ସେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ମଧ୍ୟ ସାକ୍ଷାତ କରିବେ ବୋଲି ଜଣାପଡିଛି । ଏତଦ୍ବ୍ୟତୀତ ଜଳ ପରିଚାଳନା କ୍ଷେତ୍ରରେ ଭାରତର ପାରଦର୍ଶିତା ଏବଂ ନିରନ୍ତର ବିକାଶ ଅଭିଜ୍ଞତାକୁ ବାରମ୍ବାର ଜାତିସଂଘରେ ପ୍ରଶଂସା କରାଯାଇଆସୁଥିବାରୁ କୋରୋସି, ନୀତି ଆୟୋଗ ଏବଂ ଭାରତର ଜି-୨ଠ ଅଧ୍ୟକ୍ଷତା ଦଳର ବରିଷ୍ଠ ଅଧିକାରୀ ତଥା ଶିକ୍ଷାବିତ୍ଙ୍କ ସହ ମଧ୍ୟ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ୨୯ରୁ ୩୧ ଯାଏ କୋରୋସି ଭାରତରେ ରହିବେ । ଏହି ଅବସରରେ ସେ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ୱାର୍ଲ୍ଡ ଆଫାୟାର୍ସ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ମଧ୍ୟ ସମ୍ବୋଧିତ କରିବେ । ଏତଦ୍ବ୍ୟତୀତ ସେ ବେଙ୍ଗାଲୁରୁ ମଧ୍ୟ ଗସ୍ତ କରିବେ ଏବଂ ଏଠାରେ ଚାଲିଥିବା ଏକ ଜଳ ପ୍ରକଳ୍ପକୁ ବୁଲି ଦେଖିବାର କାର୍ଯ୍ୟକ୍ରମ ରହିଛି । ତେବେ ଭାରତ ଗସ୍ତ ଶେଷ କରିବା ପରେ କୋରୋସି ଚୀନ୍ ଗସ୍ତରେ ଯିବାର କାର୍ଯ୍ୟକ୍ରମ ରହିଛି । ଚୀନ୍ରେ ସ୍ଥାୟୀ ବିକାଶ ଲକ୍ଷ୍ୟ ଦିଗରେ କାମ କରୁଥିବା ଅନ୍ତର୍ଜାତୀୟ ଗବେଷଣା କେନ୍ଦ୍ରକୁ ଅନୁଧ୍ୟାନ କରିବେ ।
ପ୍ରକାଶ, ଜାତିସଂଘ ସାଧାରଣ ସଭାର ଅଧ୍ୟକ୍ଷ ଭାବେ କୋରାସି କେତେକ ପ୍ରସଙ୍ଗ ଉପରେ ପ୍ରାଥମିକତା ଦେଇଆସୁଛନ୍ତି । ଏଥିରେ ମିଳିତ ଜାତିସଂଘର ମୌଳିକ ନୀତିକୁ ଦୃଢ଼ କରିବା ଏବଂ ଅଗ୍ରଗତି କରିବା ଅନ୍ତର୍ଭୁକ୍ତ ରହିଛି । ନିଷ୍ପତ୍ତି ନେବାରେ ବିଜ୍ଞାନର ଭୂମିକାକୁ ବୃଦ୍ଧି କରିବା ଏବଂ ବିଶ୍ୱ ସାମ୍ନା କରୁଥିବା ସଙ୍କଟର ନୂତନ ଅଧ୍ୟାୟକୁ ଭଲ ଭାବରେ ବିଚାର କରିବା ତାଙ୍କର ଅନ୍ୟାନ୍ୟ ପ୍ରାଥମିକତା ମଧ୍ୟରୁ ଅନ୍ୟତମ ।