୨ଠ୨୫ରେ ୟୁଏସ୍-ଚୀନ୍ ଯୁଦ୍ଧ!
ୱାଶିଂଟନ୍ (ଏଜେନ୍ସି): ଆଗାମୀ ଦୁଇ ବର୍ଷ ମଧ୍ୟରେ ଆମେରିକା-ଚୀନ୍ ମଧ୍ୟରେ ମହାଯୁଦ୍ଧ ହେବ । ଜେନେରାଲ ମାଇକ ମିନିହାନ ନାମକ ଆମେରିକା ବାୟୁସେନାର ଜଣେ ବରିଷ୍ଠ ଜେନେରାଲ୍ (୪ ଷ୍ଟାର ସମ୍ପନ୍ନ ସେନାଧିକାରୀ)ଙ୍କ ଏପ୍ରକାର ଦାବି ପରେ ସମଗ୍ର ବିଶ୍ୱ ଏବେ ଆଶ୍ଚର୍ଯ୍ୟଚକିତ ହୋଇପଡିଛି । ମିନିହାନ୍ ନିଜ ବିଭାଗକୁ ଲେଖିଥିବା ଏକ ଚିଠି (ମେମୋ)ରେ ଏପ୍ରକାର ଆଶଙ୍କା ବ୍ୟକ୍ତ କରିଛନ୍ତି । ଏଥିରେ ସେ ୨ଠ୨୫ରେ ଆମେରିକା ଏବଂ ଚୀନ ମଧ୍ୟରେ ମହାଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ପୂର୍ବାନୁମାନ କରୁଥିବା ଉଲ୍ଲେଖ କରିଛନ୍ତି । ମିନିହାନ୍ଙ୍କ ମତରେ ଚୀନ୍ର ଏକଛତ୍ରବାଦୀ ଶାସନ ଯେପରି ବଢୁଛି, ଏଥିରୁ ଆମେରିକା ଏବଂ ଚୀନ୍ ମଧ୍ୟରେ ଯୁଦ୍ଧ ଅବସମ୍ଭାବୀ ପ୍ରତୀତ ହେଉଥିବା ସେ ଦର୍ଶାଇଛନ୍ତି । ଏହି ପରିପ୍ରେକ୍ଷୀରେ ଆମେରିକା ସେନାକୁ ମଧ୍ୟ ପ୍ରସ୍ତୁତ ରହିବାକୁ ମିନିହାନ୍ ପରାମର୍ଶ ଦେଇଛନ୍ତି । ଏୟାର ମୋବିଲିଟି କମାଣ୍ଡର ମୁଖ୍ୟ ଜେନେରାଲ ମାଇକ ମିନିହାନ କହିଛନ୍ତି, ସାମ୍ପ୍ରତିକି ସ୍ଥିତିରେ ସେ ଯାହା ଅନୁମାନ କରୁଛନ୍ତି, ଈଶ୍ୱର କରନ୍ତୁ ତାହା ଭୁଲ୍ ପ୍ରମାଣିତ ହେଉ । ଜଗତର ମଙ୍ଗଳ ପାଇଁ ତାଙ୍କ ଆଶଙ୍କା ଭୁଲ୍ ପ୍ରମାଣିତ ହେଲେ ସେ ଅତ୍ୟଧିକ ଆନନ୍ଦିତ ହେବେ । ତେବେ ତାଙ୍କ ଅର୍ନ୍ତଆତ୍ମା ୨ଠ୨୫ରେ ଆମେରିକା-ଚୀନ୍ ଯୁଦ୍ଧ ହେବା ଏବଂ ସେ ଯୁଦ୍ଧଭୂମୀରେ ଲଢ଼ିବା ନେଇ ବାରମ୍ବାର ଅନୁଭବ କହୁଥିବା ଉଲ୍ଲେଖ କରିଛନ୍ତି । ଅନ୍ୟପକ୍ଷେ ଜେନେରାଲଙ୍କ ମତ ନିଜସ୍ୱ ମତାମତ ବୋଲି ଆମେରିକା ସେନା ବିଭାଗ ପେଣ୍ଟାଗନ୍ ପକ୍ଷରୁ ସ୍ପଷ୍ଟ କରାଯାଇଛି । କିନ୍ତୁ ତାଇୱାନ୍ ଏବଂ ଚୀନ୍ ମଧ୍ୟରେ ବଢ଼ୁଥିବା ଉତ୍ତେଜନା ପରିପ୍ରେକ୍ଷୀରେ ମାଇକ୍ ମିନିହାନ୍ଙ୍କ ଏପ୍ରକାର ଆଶଙ୍କାକୁ କଦାପି ଏଡାଇ ଦିଆଯାଇନପାରେ । ଜେନେରାଲ ମିନିହାନ୍ଙ୍କ ମତରେ ଉଭୟ ଆମେରିକା ଏବଂ ତାଇୱାନ ୨ଠ୨୪ରେ ରାଷ୍ଟ୍ରପତି ନିର୍ବାଚନ କରିବେ । ଏହି ସମୟର ସୁଯୋଗ ନେଇ ଚୀନ୍, ତାଇୱାନ୍ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆଶଙ୍କା ରହିଛି । ସୂଚନାଯୋଗ୍ୟ, ଚୀନ୍ ଏବେ ତାଇୱାନ୍ ସହ ଲାଗିଥିବା ସୀମାରେଖା ନିଜ ସୈନ୍ୟବଳ ବୃଦ୍ଧି କରିବାରେ ଲାଗିଛି । ଏହାକୁ ଆଧାର କରି ମିନିହାନ୍ ଏପରି ମତବ୍ୟକ୍ତ କରିଛନ୍ତି । ତେବେ ଚୀନ୍, ତାଇୱାନ୍ ଉପରେ ଆକ୍ରମଣ କଲେ ଆମେରିକା ମଧ୍ୟ ତାଇୱାନ୍କୁ ସହାହତା କରିବା ପାଇଁ ମୈଦାନକୁ ଓହ୍ଲାଇବ । ସୁତରାଂ ୨ଠ୨୫ରେ ଆମେରିକା-ଚୀନ୍ ଯୁଦ୍ଧର ଆଶଙ୍କା ସୃଷ୍ଟି ହୋଇଥିବା ସେ ଉଲ୍ଲେଖ କରିଛନ୍ତି । ପ୍ରକାଶ, ଅଗଷ୍ଟ ୨ଠ୨୨ରେ ଆମେରିକାର ତକ୍ରାଳୀନ ବାଚସ୍ପତି ନାନ୍ସୀ ପେଲୋସି ତାଇୱାନ ଗସ୍ତରେ ଆସିବାକୁ ନେଇ ଚୀନ୍ ଏବଂ ଆମେରିକା ମଧ୍ୟରେ ତିକ୍ତତା ବଢ଼ିଯାଇଛି । ପେଲୋସିଙ୍କ ତାଇୱାନ ଗସ୍ତକୁ ଚୀନ୍ ଦୃଢ ବିରୋଧ କରିଥିଲା ।
ଅନ୍ୟପକ୍ଷେ ଭାରତ ସହ ବାସ୍ତବ ନିୟନ୍ତ୍ରଣ ସୀମାରେଖା (ଏଲଏସି)ରେ ଚୀନ୍ ସେନାର ବରାବର ସାମରିକ କାର୍ଯ୍ୟକଳାପ ବୃଦ୍ଧି କାରଣରୁ ଭାରତ-ଚୀନ୍ ମଧ୍ୟରେ ଯେକୌଣସି ସମୟରେ ଯୁଦ୍ଧ ଆରମ୍ଭ ହୋଇପାରେ ବୋଲି ବିଶ୍ୱର ଅନେକ ସାମରିକ ବିଶେଷଜ୍ଞ ଅନୁମାନ କରୁଛନ୍ତି । ତେବେ ଏଥିପାଇଁ ଭାରତୀୟ ସେନା ପ୍ରସ୍ତୁତି ଚଳାଇଛି ।