ପୁଣି ୩୫ ଟଙ୍କା ବଢ଼ିଲା ପେଟ୍ରୋଲ୍-ଡିଜେଲ୍
ପାକିସ୍ତାନରେ ହାହାକାର
ଇସଲାମାବାଦ୍ (ଏଜେନ୍ସି): ଦେବାଳିଆ ସ୍ଥିତିରେ ପହଞ୍ଚôଯାଇଥିବା ପାକିସ୍ତାନ୍ ପୁଣିଥରେ ପେଟ୍ରୋଲ ଡିଜେଲ୍ ମୂଲ୍ୟରେ ବୃଦ୍ଧି କରିଛି । ରିପୋର୍ଟ ଅନୁସାରେ ପାକିସ୍ତାନ ସରକାର ଉଭୟ ପେଟ୍ରୋଲ, ଡିଜେଲ୍ ମୂଲ୍ୟ ଉପରେ ପୁନର୍ବାର ୩୫ଟଙ୍କା ବୃଦ୍ଧି କରିଛନ୍ତି । ଫଳରେ ପାକିସ୍ତାନରେ ଏବେ ହାଇସ୍ପିଡ୍ ଡିଜେଲ୍ ମୂଲ୍ୟ ଲିଟର ପ୍ରତି ୨୬୨.୮ଠ ହୋଇଯାଇଥିବା ବେଳେ ଲାଇଟ୍ ଡିଜେଲ୍ ଲିଟର ପିଛା ୧୮୭ ଟଙ୍କା ଏବଂ ପେଟ୍ରୋଲ ମୂଲ୍ୟ ଲିଟର ପିଛା ୨୪୯.୮ଠ ହୋଇଯାଇଛି । ସେହିପରି ପୂର୍ବ ମୂଲ୍ୟ ଅନୁସାରେ କିରୋସିନି ଲିଟର ପିଛା ୧୮୯.୮୩ରେ ବିକ୍ରି ହେଉଛି । ତେବେ ଏହି ବର୍ଦ୍ଧିତ ମୂଲ୍ୟକୁ ରବିବାର ଅପରାହ୍ନ ୧୧ଟା ଠାରୁ ପ୍ରଭାବୀ ଭାବେ ଲାଗୁ କରିବାକୁ ପାକିସ୍ତାନ ସରକାର ଘୋଷଣା କରିଛନ୍ତି ।
ଏସମ୍ପର୍କରେ ସୂଚନା ଦେଇ ପାକିସ୍ତାନ ଅର୍ଥମନ୍ତ୍ରୀ ଇଶାକ ଦାର୍ କହିଛନ୍ତି, ତୈଳ ଏବଂ ଗ୍ୟାସ୍ ନିୟାମକ ପ୍ରାଧିକରଣ ବିଭାଗ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫଙ୍କୁ ତୁରନ୍ତ ପେଟ୍ରୋଲ ଅଭାବକୁ ନେଇ ଅସ୍ଥାୟୀ ହୋର୍ଡିଂକୁ ରୋକିବା ପାଇଁ ମୂଲ୍ୟ ବଢାଇବାକୁ ଅନୁରୋଧ କରିଥିଲେ । ଏହାପରେ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଧାନମନ୍ତ୍ରୀ ଶେହବାଜ୍ ଶରିଫ୍ଙ୍କ ଏପ୍ରକାର ପେଟ୍ରୋଲ-ଡିଜେଲ୍ ମୂଲ୍ୟ ବୃଦ୍ଧି ନିଷ୍ପତ୍ତିକୁ ନେଇ ସାଧାରଣ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ସୃଷ୍ଟି ହୋଇଛି ।
ପ୍ରକାଶ, ପାକିସ୍ତାନର ଅର୍ଥନୀତି ଏବେ ଧ୍ୱସ୍ତ ହୋଇସାରିଛି । ଆଇଏମ୍ଏଫ୍, ବିଶ୍ୱ ବ୍ୟାଙ୍କ୍ ଠାରୁ ପାକିସ୍ତାନ ଋଣ ଚାହୁଁଥିଲେ ମଧ୍ୟ ବିଦେଶୀ ମୁଦ୍ରା ଭଣ୍ଡାର ସମାପ୍ତ ହୋଇସାରିଥିବାରୁ ପାକିସ୍ତାନ ସରକାରଙ୍କୁ ଋଣ ମଧ୍ୟ ମଞ୍ଜୁର କରାଯାଇପାରୁନାହିଁ । ଏପରିସ୍ଥିତିରେ ପାକିସ୍ତାନରେ ଏବେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ପ୍ରାୟ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀର ମୂଲ୍ୟ ଆକାଶ ଛୁଆଁ ହୋଇଥିବା ବେଳେ ଗରିବ ତଥା ଶ୍ରମିକ ବର୍ଗର ଲୋକେ ଖାଇବାକୁ ମଧ୍ୟ ପାଉନାହାନ୍ତି । ସେହିପରି ମଧ୍ୟବିତ୍ତଙ୍କ ସ୍ଥିତି ମଧ୍ୟ ଅତ୍ୟନ୍ତ ଖରାପ ହୋଇପଡିଛି ।