ହଜାର ହଜାର ଟଙ୍କା ଖର୍ଚ୍ଚ, ଫଳ ଶୂନ

ଶ୍ରୀକ୍ଷେତ୍ରକୁ ପଲିଥିନ୍ମୁକ୍ତ ଯୋଜନା ଫେଲ୍
ହାତ ଚିକ୍କଣ କରି ନିଘୋଡ଼ ନିଦ୍ରାରେ ପ୍ରଶାସନିକ ଅଧିକାରୀ
ପୁରୀ (ବୁ୍ୟରୋ): ପର୍ଯ୍ୟଟନ ସହରକୁ ପଲିଥିନ୍ମୁକ୍ତ କରିବା ପାଇଁ ସରକାର ଜିଲ୍ଲା ପ୍ରଶାସନକୁ ନିଦେ୍ର୍ଦଶ ଦେବା ସହିତ ଲୋକଙ୍କୁ ସଚେତନ କରିବା ଓ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିଦେ୍ର୍ଦଶ ଦେଇଥିଲେ । ହେଲେ ଫଳ ଶୂନ୍ । ଫଳରେ ସରକାରଙ୍କ ସଚେତନ ପାଇଁ ହଜାର ହଜାର ଟଙ୍କା ପାଣିରେ ପଡ଼ିଲା ବୋଲି ସହରରେ ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଶ୍ରୀକ୍ଷେତ୍ରକୁ ପଲିଥିନ୍ମୁକ୍ତ କରିବା ପାଇଁ ୨୦୧୯ ମସିହାରେ ପୂର୍ବତନ ଜିଲ୍ଲାପାଳ ଜ୍ୟୋତିପ୍ରକାଶ ଦାସ ନିଜେ ଥରେ କି ଦୁଇଥର ନୁହେଁ ବାରମ୍ବାର ଏନେଇ ସଚେତନ କରିଥିଲେ । ପରେ ପରେ ଜିଲ୍ଲାପାଳ ଭାବେ ବଲୱନ୍ତ ସିଂ ଯୋଗଦେବା ପରେ ସେ ମଧ୍ୟ ସହରକୁ ପଲିଥିନ୍ମୁକ୍ତ କରିବା ଲାଗି ଅଣ୍ଟା ଭିଡ଼ିବା ସହ ବିଭିନ୍ନ ବ୍ୟବସାୟ ଅନୁଷ୍ଠାନରେ ଚଢ଼ଉ କରିଥିଲେ । ସେହି ସମୟରେ ବଜାରରୁ ଏକପ୍ରକାର ପଲିଥିନ୍ମୁକ୍ତ ହୋଇଥିଲା । ତାଙ୍କର ବଦଳି ପରେ ଏବେ ଜିଲ୍ଲାପାଳ ଥିବା ସମର୍ଥ ବର୍ମା ପଲିଥିନ୍ କଟକଣାକୁ ସମ୍ପୂର୍ଣ୍ଣ ଭାବେ ଭୁଲି ଯାଇଛନ୍ତି । ଫଳରେ ଯୋଜନା ଆଜି ସଫଳ ହେବା ପରିବର୍ତ୍ତେ ବିଫଳ ହୋଇଛି । ସହରରୁ ପଲିଥିନ୍ମୁକ୍ତ ହେବା ପରିବର୍ତ୍ତେ ଖୋଲାଖୋଲି ସହରରେ ବିକ୍ରି ହେଉଛି । ଏହି ପଲିଥିନ୍ ଖୋଲାଖୋଲି ଭାବରେ ବଜାରରେ ବୁଲୁଥିବା ଜିଲ୍ଲା ପ୍ରଶାସନ ନିଜ ଆଖିରେ ଦେଖୁଥିଲେ ସୁଦ୍ଧା ସେଥିପ୍ରତି ଦୃଷ୍ଟି ନଦେଇ ଆଢ଼ୁଆଳରେ ପଳାଇ ଯାଉଛନ୍ତି । ଫଳରେ ସରକାରଙ୍କ ଯୋଜନା ଫେଲ୍ ମାରୁଛି । କେବଳ ସରକାରଙ୍କ ଟଙ୍କାକୁ ଖର୍ଚ୍ଚ କଲା ପରେ ଜିଲ୍ଲା ପ୍ରଶାସନ ଠାରୁ ଆରମ୍ଭ କରି ପୌରପାଳିକାର ଅଧିକାରୀମାନେ ନିଘୋଡ଼ ନିଦ୍ରାରେ ଶୋଇଛନ୍ତି ।
ଏପଟେ ପଲିଥିନ୍ ପାଇଁ ସହରରେ ବୁଲା ଗାଈଗୋରୁଙ୍କ ଠାରୁ ଆରମ୍ଭ କରି ଡ୍ରେନେଜ୍ ଅବସ୍ଥା ଘାଇଲା ହେଲାଣି । ସେଥିପ୍ରତି କାହାରି ଦୃଷ୍ଟି ନାହିଁ କେବଳ ସରକାରଙ୍କ ଅର୍ଥକୁ ଖର୍ଚ୍ଚ କରି ପ୍ରଶାସନ ବାହାବା ନେଉଥିଲା ବେଳେ ବାସ୍ତବରେ ତାହା କେତେ କାର୍ଯ୍ୟକାରୀ ହେଉଛି ଦେଖିବାକୁ କେହି ନାହାନ୍ତି । ପ୍ରଶାସନ ତରଫରୁ ସେହି ସମୟରେ ସହରର କିଛି ଛୋଟ ଦୋକାନ ଉପରେ ଚଢ଼ଉ କରି ଜରିମାନା ଆଦାୟ କରି ପ୍ରଶାସନ ସହରକୁ ପଲିଥିନ୍ମୁକ୍ତ କରାଯିବ ବୋଲି ଘୋଷଣା କରିଥିଲେ । ସେହି ସମୟ ଅତିବାହିତ ହେଲା ପରେ ସମସ୍ତେ ଚୁପ୍ । ଏଥିରୁ ସ୍ପଷ୍ଟ ହୋଇଛି ପ୍ରଶାସନ ପଲିଥିନ୍ ବନ୍ଦ ପାଇଁ କେତେ ସଜାଗ । ସୂଚନାଥାଉକି, ଗତ ୨୦୧୯ ମସିହା ଅକ୍ଟୋବର ୨ ତାରିଖ ତଥା ଗାନ୍ଧି ଜୟନ୍ତୀରୁ ସହରକୁ ପଲିଥିନ୍ମୁକ୍ତ କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଆରମ୍ଭ କରାଯାଇଥିଲା । ସେହି ଦିନ ଅତିକ୍ରାନ୍ତ ହେଲା ପରେ ଏବେ ସହରର ବଡ଼ଶଙ୍ଖ, ମାର୍କେଟ ଛକ, ଲକ୍ଷ୍ମୀମାର୍କେଟ, ଶ୍ରୀମନ୍ଦିର ପରିସର, ଆନନ୍ଦବଜାର ସମେତ ସହରରେ ଖୋଲିଖୋଲି ଭାବରେ ପଲିଥିନ୍ ବିକ୍ରି ହେଉଛି । ପ୍ରଶାସନ ତାହା ବିରୋଧରେ କିଛି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରି ଚୁପ୍ ହୋଇ ବସି ରହିବା ଘଟଣାକୁ ନେଇ ସହରର ବୁଦ୍ଧିଜୀବୀଙ୍କ ମନରେ ପ୍ରଶାସନର କାର୍ଯ୍ୟକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *