ଜର୍ମାନୀକୁ ବିଶ୍ୱ ମୁକୁଟ
ଏଫ୍ଆଇଏଚ୍
ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩
ଭୁବନେଶ୍ୱର, ୨୯ା୧ (ବିଶ୍ୱଜିତ୍ ମହାନ୍ତି)
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ରବିବାର ଖେଳାଯାଇଥିବା ରୋମାଞ୍ଚକ ଫାଇନାଲ୍ରେ ବେଲ୍ଜିୟମ୍କୁ ସଡନ୍ ଡେଥ୍ରେ ହରାଇ ଚାମ୍ପିଅନ୍ ହୋଇଛି ଜର୍ମାନୀ । ଜର୍ମାନ୍ ଟିମ୍ର ଏହା ତୃତୀୟ ବିଶ୍ୱକପ୍ ମୁକୁଟ । ଏହା ପୂର୍ବରୁ ଟିମ୍ ୨୦୦୨ ଓ ୨୦୦୬ ସଂସ୍କରଣରେ ଟ୍ରଫି ଉଠାଇଥିଲା । ଧାର୍ଯ୍ୟ ସମୟ ମଧ୍ୟରେ ଗୋଟିଏ ଓ ସୁଟ୍ଆଉଟ୍ରେ ଦୁଇଟି ଗୋଲ୍ କରିଥିବା ଜର୍ମାନୀର ନିକଲାସ୍ ୱେଲେନ୍ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
କ୍ରସ୍ଓଭର୍ ମ୍ୟାଚ୍ ଜରିଆରେ ଫାଇନାଲ୍ରେ ପହଞ୍ଚିଥିବା ଜର୍ମାନୀ ମୁକୁଟ ଲଢ଼େଇରେ ନିଜ ପୁଲ୍ ପର୍ଯ୍ୟାୟ ପ୍ରତିଦ୍ୱନ୍ଦ୍ୱୀ ତଥା ପୂର୍ବ ସଂସ୍କରଣର ଚାମ୍ପିଅନ୍ ବେଲ୍ଜିୟମ୍ ସହ ମୁହାଁମୁହିଁ ହୋଇଥିଲା । ସଂଯୋଗବଶତଃ, ପୁଲ୍ ପର୍ଯ୍ୟାୟ ଭଳି ଫାଇନାଲ୍ ମ୍ୟାଚ୍ରେ ମଧ୍ୟ ଉଭୟ ଟିମ୍ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍ ଧାର୍ଯ୍ୟ ସମୟ ମଧ୍ୟରେ ସମାନ ସ୍ଥିତିରେ ରହିଥିଲା ।
ସ୍କୋର୍ଲାଇନ୍ ୩-୩ ରହିବା ପରେ ଫଳାଫଳ ପାଇଁ ପେନାଲ୍ଟି ସୁଟ୍ଆଉଟ୍ର ସହାୟତା ନିଆଯାଇଥିଲା । ୫-୫ ସଟ୍ ବିଶିଷ୍ଟ ସୁଟ୍ଆଉଟ୍ ୩-୩ ସ୍ଥିତିରେ ରହିଥିଲା । ଏଥିରେ ଜର୍ମାନୀ ପକ୍ଷରୁ ନିକଲାସ୍ ୱେଲେନ୍, ହାନ୍ନେସ୍ ମୁଲର, ଥାଇସ୍ ପ୍ରିଞ୍ଜ୍ ସ୍କୋର୍ କରିଥିବା ବେଳେ ବେଲ୍ଜିୟମ୍ ପକ୍ଷରୁ ଫ୍ଲୋରେଣ୍ଟ ଭାନ୍ ଆଉବେଲ୍, ଟାନ୍ଗାଏ କସିନ୍ସ, କିନା ଆଣ୍ଟୋନୀ ଗୋଲ୍ ଦେଇଥିଲେ ।
ଏହାପରେ ମୁକାବିଲା ସଡନ୍ ଡେଥ୍ରେ ପହଞ୍ଚିଥିଲା । ପ୍ରଥମ ପ୍ରୟାସରେ ଜର୍ମାନୀ ପକ୍ଷରୁ ନିକଲାସ୍ ଓ ବେଲ୍ଜିୟମ୍ ପକ୍ଷରୁ ଫ୍ଲୋରେଣ୍ଟ ସ୍କୋର୍ କରିଥିଲେ । କିନ୍ତୁ ଦ୍ୱିତୀୟ ପ୍ରୟାସରେ ଜର୍ମାନ୍ ଟିମ୍ର ଥାଇସ୍ ଗୋଲ୍ କରିଥିବା ବେଳେ ବେଲ୍ଜିୟମ୍ର ଟାନ୍ଗାଏ ବିଫଳ ହୋଇଥିଲେ । ଏଥିସହିତ ୫-୪ରେ ବାଜିମାତ୍ କରି ଜର୍ମାନୀ ୧୭ ବର୍ଷର ମୁକୁଟ-ପ୍ରତୀକ୍ଷାର ଅନ୍ତ ଘଟାଇଥିଲା ।
ବିଶ୍ୱ ମାନ୍ୟତାରେ ବେଲ୍ଜିୟମ୍ ଦ୍ୱିତୀୟ ସ୍ଥାନରେ ଥିବା ବେଳେ ଜର୍ମାନୀ ତୃତୀୟ ସ୍ଥାନରେ ରହିଛି । ଜର୍ମାନୀ ସେମିଫାଇନାଲ୍ରେ ଅଷ୍ଟ୍ରେଲିଆକୁ ହରାଇଥିଲା ଯେତେବେଳେକି ବେଲ୍ଜିୟମ୍ ଟିମ୍ ନେଦରଲାଣ୍ଡ୍ସକୁ ହରାଇଥିଲା ।
ଧାର୍ଯ୍ୟ ସମୟ ମଧ୍ୟରେ ଜର୍ମାନୀ ପକ୍ଷରୁ ନିକଲାସ୍ (୨୯ତମ ମିନିଟ୍), ଗୋଞ୍ଜାଲୋ ପିଲାଟ୍ (୪୧ତମ) ଓ ଅଧିନାୟକ ମାଟ୍ସ ଗ୍ରାମବୁସ୍କ (୪୮ତମ) ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ । ଜବାବରେ ବେଲ୍ଜିୟମ୍ ପକ୍ଷରୁ ଫ୍ଲୋରେଣ୍ଟ (୧୦ମ), ଟାନ୍ଗାଏ (୧୧ତମ) ଓ ଟମ୍ ବୁନ୍ (୫୯ତମ) ଗୋଲ୍ ଦେଇଥିଲେ । ଷଷ୍ଠ ମିନିଟ୍ରେ ଜର୍ମାନୀକୁ କ୍ରମାଗତ ପେନାଲ୍ଟି କର୍ଣ୍ଣର ମିଳିଥିଲା । କିନ୍ତୁ ଗୋଟିଏ ବି କାମରେ ଆସି ନ ଥିଲା । ୧୦ମ ମିନିଟ୍ ପରେ ଫ୍ଲେରେଣ୍ଟ ଏକ ଫିଲ୍ଡ ଗୋଲ୍ ଦେଇ ବେଲ୍ଜିୟମ୍କୁ ଅଗ୍ରଣୀ କରିଥିଲେ । ପରବର୍ତ୍ତୀ ମିନିଟ୍ରେ ଟାନ୍ଗାଏ ରେଡ୍ଲାୟନ୍ସ ପକ୍ଷରୁ ଆଉ ଏକ ଗୋଲ୍ କରିଥିଲେ । ପ୍ରଥମ କ୍ୱାର୍ଟର୍ ସୁଦ୍ଧା ବେଲ୍ଜିୟମ୍ ଟିମ୍ ୨-୦ରେ ଆଗରେ ଥିଲା ।
ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେ ପ୍ରଥମ ପିସି ଜିତିଥିଲା ବେଲ୍ଜିୟମ୍; ହେଲେ ଏହା ନିଷ୍ଫଳ ହୋଇଥିଲା । ଏହାର ତିନି ମିନିଟ୍ ପରେ ଜର୍ମାନୀକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା; କିନ୍ତୁ ଏଥିରୁ ଗୋଲ୍ ହୋଇ ନ ଥିଲା । ମଧ୍ୟାନ୍ତରକୁ ଗୋଟିଏ ମିନିଟ୍ ଥିବା ବେଳେ ଖାତା ଖୋଲିଥିଲା ଜର୍ମାନୀ । ୨୯ତମ ମିନିଟ୍ରେ ଟିମ୍ କ୍ରମାଗତ ଦୁଇଟି ପିସି ଜିତିଥିଲା । ନିକଲାସ୍ ଦ୍ୱିତୀୟ ପିସିକୁ ଗୋଲ୍ରେ ପରିଣତ କରିଥିଲେ । ପ୍ରଥମାର୍ଦ୍ଧ ସୁଦ୍ଧା ବେଲ୍ଜିୟମ୍ ୨-୧ରେ ଆଗରେ ଥିଲା ।
ପାଶ୍ୱର୍ ପରିବର୍ତ୍ତନ ପରେ ୩୫ତମ ମିନିଟ୍ରେ ଜର୍ମାନୀର ତିମୁର ଓରୁଜ୍ ଓ ୪୦ତମ ମିନିଟ୍ରେ ବେଲ୍ଜିୟମ୍ର ନିକୋଲାସ୍ ଡି’ କେର୍ପେଲ୍ଙ୍କୁ ରେଫରୀ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରିଥିଲେ । ୪୧ତମ ମିନିଟ୍ରେ ପଞ୍ଚମ ପିସି ଜିତିଥିଲା ଜର୍ମାନ୍ ଟିମ୍ । ଗୋଞ୍ଜାଲୋ ଏଥିରୁ ଗୋଲ୍ କରି ସ୍କୋର୍ଲାଇନ୍କୁ ୨-୨ରେ ପହଞ୍ଚାଇଥିଲେ । ଏହି ସମୟରେ ମଧ୍ୟ ଟିମ୍କୁ ଆଉ ଏକ ପିସି ମିଳିଥିଲା ।
ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ମୁକାବିଲାର ରୋମାଞ୍ଚ ବଢ଼ିଯାଇଥିଲା । ୪୮ତମ ମିନିଟ୍ରେ ମାଟ୍ସ ଏକ ଚିତ୍ତାକର୍ଷକ ଗୋଲ୍ ଦେଇ ଜର୍ମାନୀକୁ ପ୍ରଥମ ଥର ଅଗ୍ରଣୀ କରିଥିଲେ । ଶେଷ ତିନି ମିନିଟ୍ରେ ବେଲ୍ଜିୟମ୍ ବରାବର ଗୋଲ୍ ଦେବାକୁ ଜୋର୍ଦାର ପ୍ରୟାସ କରିଥିଲା । ୫୮ତମ ମିନିଟ୍ରେ ଟିମ୍କୁ ମିଳିଥିବା ପିସିରୁ ଗୋଲ୍ ହୋଇ ନ ଥିଲା । ପରବର୍ତ୍ତୀ ମିନିଟ୍ରେ ଟିମ୍ କ୍ରମାଗତ ଦ୍ୱିତୀୟ ପିସି ଜିତିଥିଲା । ଦ୍ୱିତୀୟ ପିସିରୁ ଗୋଲ୍ କରି ଟମ୍ ମ୍ୟାଚ୍କୁ ୩-୩ ସମାନ ସ୍ଥିତିକୁ ଆଣିଥିଲେ ।