ସୁଖୋଇ-ମିରାଜ କ୍ରାସ୍

ମୁରୈନା/ଭରତପୁର, ୨୮ା୧: ଶନିବାର ପୂର୍ବାହ୍ଣ ୧୦ରୁ ସାଢ଼େ ଦଶ ଭିତରେ ଗ୍ୱାଲିୟର ନିକଟ ମୁରୈନା ଆକାଶରେ ଭାରତୀୟ ବାୟୁସେନାର ଦୁଇଟି ଶକ୍ତିଶାଳୀ ଯୁଦ୍ଧ ଜାହାଜ ସୁଖୋଇ-୩୦ ଓ ମିରାଜ ୨୦୦୦ ମଧ୍ୟରେ ଧକ୍କା ଲାଗିବାରୁୁ ଦୁଇଟିଯାକ ବିମାନ ଜଳି ଯାଇଛି । ସୁଖୋଇରେ ଥିବା ଦୁଇଜଣ ପାଇଲଟ୍ ସୁରକ୍ଷିତ ଭାବେ ଇଜେକ୍ଟ ହୋଇ ମୃତୁ୍ୟ ମୁଖରୁ ବର୍ତ୍ତିଥିବାବେଳେ ମିରାଜର ପାଇଲଟ୍ ସହିଦ ହୋଇଛନ୍ତି । ତେବେ ସୁଖୋଇର ଦୁଇ ପାଇଲଟ୍ ଆହତ ହୋଇଥିବା ବାୟୁସେନା ପକ୍ଷରୁ କୁହାଯାଇଛି । ଏହି ଦୁଇ ପାଇଲଟ୍ଙ୍କ ମଧ୍ୟରୁ ଜଣେ ୱିଙ୍ଗ୍ କମାଣ୍ଡର ହନୁମନ୍ତ ରାଓ ସାରଥୀ । ତାଙ୍କ ସାଥୀ ପାଇଲଟ୍ ଏବଂ ସହିଦ ହୋଇଥିବା ମିରାଜ ପାଇଲଟଙ୍କ ନାମ ଜଣାପଡିନାହିଁ । ଦୁର୍ଘଟଣାର ତଦନ୍ତ ପାଇଁ ବାୟୁସେନା ପକ୍ଷରୁ କୋର୍ଟ ଅଫ୍ ଇନ୍କ୍ୱାରୀ ଗଠନ କରାଯାଇଛି ।
ପ୍ରତିରକ୍ଷା ସୂତ୍ର ଅନୁଯାୟୀ, ଦୁଇଟିଯାକ ବିମାନ ମଧ୍ୟପ୍ରଦେଶର ଗୁଆଲିୟର ଏୟାର ବେସ୍ରୁ ଉଡାଣ ଭରିଥିଲେ । ଦୁର୍ଘଟଣା ସେତେବେଳେ ହେଲା ଯେତେବେଳେ ରୁଟିନ୍ ଟ୍ରେନିଂରେ ଥିବା ଉଭୟ ବିମାନର ବେଗ ଅତି ଅଧିକ ହୋଇଥିଲା । ଦୁଇ ବିମାନ ଏତେ ଦ୍ରୁତ ବେଗରେ ଗତି କରୁଥିଲେ ଯେ, ଧକ୍କା ଲାଗିବା ପରେ ମିରାଜ ଅଗ୍ନିପିଣ୍ଡୁଳା ହୋଇ ମଧ୍ୟପ୍ରଦେଶର ପାହଡଗଡଠାରେ ତଳକୁ ଖସି ପଡିଥିବା ସ୍ଥଳେ ସୁଖୋଇ ୯୦ କିମି ଦୂର ରାଜସ୍ଥାନର ଭରତପୁର ଜିଲ୍ଲାର ପିଙ୍ଗୋରା ଠାରେ ପଡିଥିଲା । ମିରାଜରେ ନିଆଁ ଲାଗିନଥିଲେହେଁ ଡେଣା ଦୁଇଟି ଭାଙ୍ଗି ଯାଇଥିଲା ।
ବାୟୁସେନା ବିମାନ ଦୁର୍ଘଟଣା ଖବର ପୂର୍ବାହ୍ଣ ୧୧ଟାବେଳେ ମିଳିଥିଲା । ଠିକ୍ ସେହି ସମୟରେ ଭରତପୁର ଜିଲ୍ଲପାଳଙ୍କଠାରୁ ଜଣାପଡିଲା ଯେ ଭରତପୁର ନିକଟରେ ଚାର୍ଟର୍ଡ ବିମାନ ମଧ୍ୟ ଦୁର୍ଘଟଣାଗସ୍ତ ହୋଇଛି ।
ଫ୍ରାନ୍ସର ଦସାଲ୍ଟ କମ୍ପାନୀ ଦ୍ୱାରା ନିର୍ମିତ ମିରାଜ- ୨୦୦୦ ବାୟୁସେନାର ପ୍ରମୁଖ ଫାଇଟର ଜେଟ୍ । ଗୋଟିଏ ମିରାଜର ମୂଲ୍ୟ ପ୍ରାୟ ୧୬୭ କୋଟି ଟଙ୍କା । ସୁଖୋଇ-୩୦ ଚତୁର୍ଥ ପିଢ଼ିର ଯୁଦ୍ଧ ବିମାନ ଏହାର ମୂଲ୍ୟ ପ୍ରାୟ ୬୨ ନିୟୁତ ଡଲାର ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *