ମିଳିତ ନବମ ସ୍ଥାନରେ ଭାରତ
ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨ଠ୨୩
ଭୁବନେଶ୍ୱର/ରାଉରକେଲା, ୨୮ା୧ (ବୁ୍ୟରୋ/ଆପ୍ର): ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଭାରତୀୟ ଟିମ୍ ଆର୍ଜେଣ୍ଟିନା ସହ ମିଳିତ ନବମ ସ୍ଥାନ ହାସଲ କରିଛି । ପୁରୁଷ ବିଶ୍ୱକପ୍ରେ କୌଣସି ଆୟୋଜକ ଦେଶର ଏହା ସର୍ବନିମ୍ନ ପ୍ରଦର୍ଶନ । ଶନିବାର ରାଉରକେଲାସ୍ଥିତ ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ୯ମ/୧୨ତମ ସ୍ଥାନ ପାଇଁ ଖେଳାଯାଇଥିବା କ୍ଲାସିଫିକେସନ୍ ମ୍ୟାଚ୍ରେ ଆୟୋଜକ ଟିମ୍ ଦକ୍ଷିଣ ଆଫ୍ରିକାକୁ ୫-୨ ଗୋଲ୍ରେ ମାତ୍ ଦେଇଛି । ଭାରତର ଅଭିଷେକ କ୍ରମାଗତ ଦ୍ୱିତୀୟ ମ୍ୟାଚ୍ରେ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଏହି ମ୍ୟାଚ୍ ଜରିଆରେ ଟିମ୍ର ମନଦୀପ ସିଂହ କ୍ୟାରିଅରର ୨୦୦ତମ ଆନ୍ତର୍ଜାତିକ ମ୍ୟାଚ୍ ଖେଳିବାର ଗୌରବ ଅର୍ଜନ କରିଛନ୍ତି ।
ହରମନପ୍ରୀତ ସିଂହଙ୍କ ଟିମ୍ ଏହା ପୂର୍ବରୁ ୯ମ/୧୬ତମ ସ୍ଥାନ ପାଇଁ ହୋଇଥିବା ମ୍ୟାଚ୍ରେ ଅନ୍ୟତମ ଏସୀୟ ଟିମ୍ ଜାପାନକୁ ୮-୦ରେ ପରାସ୍ତ କରିଥିଲା । କ୍ରସ୍ଓଭର୍ ମ୍ୟାଚ୍ରେ ନୁ୍ୟଜିଲାଣ୍ଡ ଠାରୁ ସଡନ୍ ଡେଥ୍ରେ ହାରି ପଦକ ଦୌଡ଼ରୁ ବାଦ୍ ପଡ଼ିବା ପରେ ଭାରତ ଦୁଇଟିଯାକ କ୍ଲାସିଫିକେସନ୍ ମ୍ୟାଚ୍ରେ ଦମ୍ଦାର ପ୍ରଦର୍ଶନ କରିଛି । ଏହା ସହିତ ଟିମ୍ର ଅଭିଯାନ ଶେଷ ହୋଇଛି । ଦର୍ଶକ-ଭର୍ତ୍ତି ଷ୍ଟାଡିୟମ୍ରେ ଭାରତ ପକ୍ଷରୁ ଅଭିଷେକ (୫ମ ମିନିଟ୍), ହରମନପ୍ରୀତ ସିଂହ (୧୨ତମ), ଶମଶେର ସିଂହ (୪୫ତମ), ଆକାଶଦୀପ ସିଂହ (୪୯ତମ) ଓ ସୁଖଜିତ୍ ସିଂହ (୫୯ତମ) ମିନିଟ୍ରେ ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସମକେଲୋ ମ୍ବିମ୍ବି (୪୯ତମ) ଓ ମୁସ୍ତଫା କାସିମ୍ (୬୦ତମ) ଗୋଲ୍ ଦେଇଥିଲେ । ପୂରା ମ୍ୟାଚ୍ରେ ଭାରତ ୬ ପେନାଲ୍ଟି କର୍ଣ୍ଣର ଜିତିଥିବା ବେଳେ ସେଥିରୁ ଗୋଟିଏରୁ ଗୋଲ୍ ହୋଇଥିଲା । ଦକ୍ଷିଣ ଆଫ୍ରିକା ୨ ପେନାଲ୍ଟି କର୍ଣ୍ଣର ଓ ଗୋଟିଏ ପେନାଲ୍ଟି ଷ୍ଟ୍ରୋକ୍ ହାସଲ କରିଥିଲା । ଟିମ୍ ପେନାଲ୍ଟି ଷ୍ଟ୍ରୋକ୍ରୁ ଗୋଲ୍ କରିଥିଲା । ଉଭୟ ଟିମ୍ ଜୋର୍ଦାର ଢଙ୍ଗରେ ଖେଳ ଆରମ୍ଭ କରିଥିଲେ । ଦକ୍ଷିଣ ଆଫ୍ରିକାର ଦୁଇ ଖେଳାଳି – ନିକୋଲାସ୍ ସ୍ପୁନର୍ଙ୍କୁ ଚତୁର୍ଥ ମିନିଟ୍ରେ ଓ ନୋବିଲ୍ ନତୁଲିଙ୍କୁ ସପ୍ତମ ମିନିଟ୍ରେ ରେଫରୀ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରିଥିଲେ । ପଞ୍ଚମ ମିନିଟ୍ରେହିଁ ଭାରତ ଡେଡ୍ଲକ୍ ଭାଙ୍ଗିଥିଲା । ଅଭିଷେକ ଏକ ସୁନ୍ଦର ଫିଲ୍ଡ ଗୋଲ୍ କରିଥିଲେ । ୧୨ତମ ମିନିଟ୍ରେ ଭାରତକୁ ପ୍ରଥମ ପିସି ମିଳିଥିଲା । ଅଧିନାୟକ ହରମନପ୍ରୀତ ଏହାକୁ ଗୋଲ୍ରେ ପରିଣତ କରି ଭାରତକୁ ୨-୦ରେ ଅଗ୍ରଣୀ କରିଥିଲେ । ପ୍ରଥମ କ୍ୱାର୍ଟରରେ ଏହି ସ୍ଥିତି ବଳବତ୍ତର ରହିଥିଲା । ଦ୍ୱିତୀୟ କ୍ୱାର୍ଟରରେ ଆକ୍ରମଣାତ୍ମକ ପ୍ରଦର୍ଶନ ଯୋଗୁଁ ଭାରତକୁ ତିନିଟି ପିସି (୨୩ତମ, ୨୪ତମ ଓ ୨୫ତମ) ମିଳିଥିଲା । କିନ୍ତୁ କୌଣସିଟି କାମରେ ଆସି ନ ଥିଲା । ଅନ୍ୟପଟେ, ଆଫ୍ରିକୀୟ ଟିମ୍ କ୍ରମାଗତ ଦ୍ୱିତୀୟ କ୍ୱାର୍ଟରରେ ବି ଖାତା ଖୋଲିପାରି ନ ଥିଲା । ମଧ୍ୟାନ୍ତର ସୁଦ୍ଧା ଭାରତୀୟ ଟିମ୍ ୨-୦ରେ ଆଗରେ ରହିଥିଲା । ପାଶ୍ୱର୍ ପରିବର୍ତ୍ତନ ପରେ ଦକ୍ଷିଣ ଆଫ୍ରିକା ତିନି ମିନିଟ୍ ମଧ୍ୟରେ ଦୁଇ ପିସି ଜିତିଥିଲା । କିନ୍ତୁ ଉଭୟ ନିଷ୍ଫଳ ହୋଇଥିଲା । ଇତ୍ୟବସରେ ୩୩ତମ ମିନିଟ୍ରେ ଭାରତର ଉପ-ଅଧିନାୟକ ଅମିତ ରୋହିଦାସଙ୍କୁ ୟେଲୋ କାର୍ଡ ଓ ୪୦ତମ ମିନିଟ୍ରେ ନୀଳକାନ୍ତ ଶର୍ମାଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହି କ୍ୱାର୍ଟର ଶେଷ ମିନିଟ୍ରେ ଶମଶେର ଏକ ଫିଲ୍ଡ ଗୋଲ୍ ଦେବା ଫଳରେ ଭାରତ ୩-୦ରେ ଅଗ୍ରଣୀ ହୋଇଥିଲା ।
ଅନ୍ତିମ କ୍ୱାର୍ଟରରେ ରୋମାଞ୍ଚ ବଢ଼ିଥିଲା । ୪୯ତମ ମିନିଟ୍ରେ ଆକାଶଦୀପ ଭାରତ ପକ୍ଷରୁ ଚତୁର୍ଥ ଗୋଲ୍ ସ୍କୋର୍ କରିଥିଲେ । ଉକ୍ତ ମିନିଟ୍ରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ସମକେଲୋ ଗୋଲ୍ କରି ସ୍କୋର୍ ବ୍ୟବଧାନରେ ସାମାନ୍ୟ ହ୍ରାସ ଘଟାଇଥିଲେ । ଏହା ପର ମିନିଟ୍ରେ ଭାରତ ପଞ୍ଚମ ପିସି ହାସଲ କରିଥିଲା । ଏହାପରେ ୫୦ତମ ମିନିଟ୍ରେ ଟିମ୍କୁ ଆଉ ଏକ ପିସି ମିଳିଥିଲା । କିନ୍ତୁ କେଉଁଥିରୁ ଗୋଲ୍ ହୋଇ ନ ଥିଲା ।
୫୧ତମ ମିନିଟ୍ରେ ସୁଖଜିତ୍ ସିଂହଙ୍କୁ ୟେଲୋ କାର୍ଡ ପ୍ରଦର୍ଶନ କରାଯାଇଥିଲା । ତେବେ ସୁଖଜିତ୍ ପଡ଼ିଆକୁ ଫେରିବା ପରେ ୫୯ତମ ମିନିଟ୍ରେ ଭାରତ ପକ୍ଷରୁ ପଞ୍ଚମ ଗୋଲ୍ ଦେଇଥିଲେ । ଶେଷ ମିନିଟ୍ରେ ଦକ୍ଷିଣ ଆଫ୍ରିକାକୁ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା । ମୁସ୍ତଫା ଏଥିରୁ ଟିମ୍ ପାଇଁ ସାନ୍ତ୍ୱନା ଗୋଲ୍ ଦେଇଥିଲା । ଶେଷରେ ଭାରତ ୫-୨ରେ ବାଜିମାତ୍ କରିଥିଲା ।