ସଂସଦରେ ଶାଣିତ ହେବ ବିଜେଡି ସ୍ୱର
ସଂସଦୀୟ ଦଳ ବୈଠକ
ଭୁବନେଶ୍ୱର, ୨୮ା୧(ବୁ୍ୟରୋ): ଆସନ୍ତା ୩୧ତାରିଖରୁ ସଂସଦର ବଜେଟ୍ ଅଧିବେଶନ ବସିବାକୁ ଯାଉଛି । ତା’ପୂର୍ବରୁ ଓଡ଼ିଶାର ସ୍ୱାର୍ଥରକ୍ଷା ଲାଗି ଦିଲ୍ଲୀ ଦରବାରରେ ନିଜ ସ୍ୱରକୁ ଶାଣିତ କରିବ ବିଜେଡି । ଉଭୟ ଲୋକସଭା ଓ ରାଜ୍ୟସଭାରେ ରାଜ୍ୟର ସ୍ୱାର୍ଥ ସମ୍ବଳିତ ପ୍ରସଙ୍ଗକୁ କିଭଳି ପ୍ରଭାବୀ ଢଙ୍ଗରେ ଉପସ୍ଥାପନ କରାଯାଇପାରିବ, ସେ ନେଇ ଦଳୀୟ ସାଂସଦଙ୍କୁ ଟିପ୍ସ ଦେଇଛନ୍ତି ଦଳ ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ଏନେଇ ଶନିବାର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବିଜେଡି ସଂସଦୀୟ ଦଳର ବୈଠକ ବସିଥିଲା । ବୈଠକ ପରେ ଗଣମାଧ୍ୟମକୁ ସୂଚନା ଦେଇ ସାଂସଦ ପିନାକୀ ମିଶ୍ର କହିଛନ୍ତି, ବିଜେପିର ଅପପ୍ରଚାର ଯୋଗୁ ରାଜ୍ୟବାସୀଙ୍କ ସ୍ୱାର୍ଥ ହାସଲ ହୋଇପାରୁନି । ବଳକା ଉଷୁନା ଚାଉଳଠାରୁ ଆରମ୍ଭ କରି ମହିଳା ସଂରକ୍ଷଣ ବିଲ୍କୁ ପାରିତ କରାଇବା ପାଇଁ ଦଳ ତା’ର ସ୍ୱରକୁ ଶାଣିତ କରିବା ଲାଗି ମୁଖ୍ୟମନ୍ତ୍ରୀ ନିଦେ୍ର୍ଦଶ ଦେଇଛନ୍ତି । ‘ଅହିଂସା’କୁ ସମ୍ବିଧାନର ମୁଖବନ୍ଧରେ ସ୍ଥାନୀତ କରିବାକୁ ମୁଖ୍ୟମନ୍ତ୍ରୀ ବାରମ୍ବାର ଦାବି କରିଆସୁଛନ୍ତି । ଆସନ୍ତା ଅଧିବେଶନରେ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ କରିଛି ବିଜେଡି । ସେହିଭଳି ୧୬୯ ଜନଜାତିଙ୍କୁ ତାଲିକାଭୁକ୍ତ କରିବାକୁ ଦାବି ଜୋର୍ଦାର୍ କରାଯିବ ।
ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ କେନ୍ଦ୍ର ସରକାର ଅନ୍ୟାୟ ଭାବେ ୪ ଲକ୍ଷ ହିତାଧିକାରୀଙ୍କ ନାମ ତାଲିକାରୁ କାଟି ଦେଇଛନ୍ତି । ଓଡିଶାରେ ଆହୁରି ୧୫ ଲକ୍ଷ ହିତାଧିକାରୀ ଆବାସ ଯୋଜନାରେ ସାମିଲ ହେବାର ଆବଶ୍ୟକତା ରହିଛି । ଏନେଇ ସଂସଦରେ କେନ୍ଦ୍ର ସରକାରଙ୍କୁ ଦୃଷ୍ଟି ଆକର୍ଷଣ କରାଯିବ । ଜାତୀୟ ରାଜପଥ, ଟେଲିକମ୍ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ବୈମାତୃକ ମନୋଭାବ ପ୍ରସଙ୍ଗକୁ ଅଧିକ ଶାଣିତ କରାଯିବ । ଦୀର୍ଘଦିନ ଧରି ଓଡ଼ିଶାକୁ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଁ ଦାବି ହୋଇଆସୁଥିଲେ ମଧ୍ୟ କେନ୍ଦ୍ର ଏ ନେଇ କର୍ଣ୍ଣପାତ କରୁନାହାନ୍ତି । ସେହିପରି ଭୂମିଜ ଭାଷାକୁ ସମ୍ବିଧାନର ଅଷ୍ଟମ ଅନୁଚ୍ଛେଦରେ ସାମିଲ କରିବା ଆଦି ପ୍ରସଙ୍ଗକୁ ବିଜେଡି ସଂସଦରେ ଉଠାଇ କେନ୍ଦ୍ର ସରକାରଙ୍କୁ ଘେରିବାକୁ ରଣନୀତି ପ୍ରସ୍ତୁତ ହୋଇଥିବା ସାଂସଦ ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି ।