ଲଦାଖରେ ବଢ଼ିବ ଭାରତ-ଚୀନ୍ ସଂଘର୍ଷ
ନୂଆଦିଲ୍ଲୀ/ ବେଜିଂ (ଏଜେନ୍ସି): ଆଗାମୀ ଦିନରେ ଲଦାଖ ସୀମାରେଖାରେ ଭାରତ-ଚୀନ୍ ମଧ୍ୟରେ ସେନା ସଂଘର୍ଷ ଘଟଣା ବୃଦ୍ଧି ପାଇବ । ଏନେଇ ଏକ ରିପୋର୍ଟ ସାମ୍ନାକୁ ଆସିଛି । ସୀମାରେଖାରେ ଚୀନ୍ ସେନା ନିଜ ସାମରିକ ଭିତ୍ତିଭୂମୀକୁ ସୁଦୃଢ଼ କରୁଥିବା ବେଳେ ଭାରତୀୟ ସେନା ମଧ୍ୟ ନିଜ ହିସାବରେ ପ୍ରସ୍ତୁତି ଜାରି ରଖିଛନ୍ତି । ତେବେ ସୀମାରେଖାରେ ପାଟ୍ରୋଲିଂ କରୁଥିବା ଉଭୟ ଦେଶର ସେନା ଯବାନଙ୍କ ମଧ୍ୟରେ ସାମାନ୍ୟ ଉଚ୍ଚବାଚ ଉଭୟ ସେନା ମଧ୍ୟରେ ସଂଘର୍ଷର ସୂତ୍ରପାତ କରିପାରେ ବୋଲି ରିପୋର୍ଟରେ ଦର୍ଶାଯାଇଛି ।
ନିକଟରେ (୨ଠରୁ ୨୨ ମଧ୍ୟରେ) ଇଣ୍ଟେଲିଜେନ୍ସ ବୁ୍ୟରୋ (ଆଇବି) ପକ୍ଷରୁ ଆୟୋଜିତ ହୋଇଯାଇଥିବା ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଯୋଗଦେଇଥିବା ବେଳେ ଏପ୍ରକାର ରିପୋର୍ଟକୁ ଉପସ୍ଥାପନ କରାଯାଇଛି । ଏଥିରେ ଲଦାଖ ପୁଲିସ୍ର ବରିଷ୍ଠ ଅଧିକାରୀମାନେ ଯୋଗଦେଇଥିଲେ । ତେବେ ଲଦାଖ ପୁଲିସ ପକ୍ଷରୁ ଏଭଳି ଗୋପନୀୟ ଗବେଷଣା କାଗଜପତ୍ରର ତଥ୍ୟ ଦାଖଲ କରାଯାଇଥିଲା । ଲଦାଖ ପୁଲିସ୍ ପକ୍ଷରୁ ଦିଆଯାଇଥିବା ଏହି ତଥ୍ୟ ଆଧାରରେ ଉପରେ ଉକ୍ତ ରିପୋର୍ଟ ପ୍ରସ୍ତୁତ କରାଯାଇଛି । ଏସବୁ ମଧ୍ୟରେ ଆମେରିକା ପକ୍ଷରୁ ମଧ୍ୟ ଏକ ରିପୋର୍ଟ ପ୍ରକାଶ ପାଇଛି । ଏଥିରେ ଭାରତ, ଚୀନ୍ ଉପରେ ନଜର ରଖିବା ସହ ପରମାଣୁ ଅସ୍ତ୍ରାଗାରର ଆଧୁନିକୀକରଣ କରୁଥିବା ଉଲ୍ଲେଖ କରାଯାଇଛି । ଫେଡେରେସନ୍ ଅଫ୍ ଆମେରିକାନ୍ ସାଇଟିଷ୍ଟ (ଏଫ୍ଏଏସ୍)ର ୨ଠ୨୨ ରିପୋର୍ଟ ଅନୁସାରେ ଭାରତ ଏବେ ପାକିସ୍ତାନ ଅପେକ୍ଷା ଚୀନ୍ ଉପରେ ଅଧିକ ଧ୍ୟାନ କେନ୍ଦ୍ରୀଭୂତ କରୁଛି ।