ଶସ୍ତା ହେବ ଚାଉଳ
୩୪ ଟଙ୍କାରେ ଯୋଗାଇବ ଏଫ୍ସିଆଇ
କେନ୍ଦ୍ର ଜାରି କଲା ଗାଇଡ୍ଲାଇନ୍
ନୂଆଦିଲ୍ଲୀ, ୨୮ା୧: ଗହମ ଓ ଅଟା ଦର ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ବିଭିନ୍ନ ପଦକ୍ଷେପ ସ୍ୱରୂପ ଏହାର ରପ୍ତାନୀ ଉପରେ କଟକଣା ଲଗାଇଛନ୍ତି । ଏ ଭିତରେ ଖବର ଆସିଛି ଯେ ଆଗାମୀ ଦିନରେ ଚାଉଳ ଅଭାବ ଦେଖାଦେଇପାରେ । ଚାଉଳ କିଣା ନେଇ କେନ୍ଦ୍ର ପକ୍ଷରୁ ସବୁ ରାଜ୍ୟକୁ ଗାଇଡ୍ଲାଇନ୍ ଜାରି କରିଛନ୍ତି । ସେଥିରେ କୁହାଯାଇଛି ଯେ ରାଜ୍ୟ ସରକାରମାନେ ଭାରତୀୟ ଖାଦ୍ୟ ନିଗମ (ଏଫ୍ସିଆଇ)ଠାରୁ କ୍ୱିଣ୍ଟାଲ ପିଛା ୩୪୦୦ ଟଙ୍କା ଦରରେ ଚାଉଳ କିଣି ପାରିବେ । ଅର୍ଥାତ୍ ରାଜ୍ୟମାନଙ୍କୁ କେଜି ପିଛା ୩୪ ଟଙ୍କାରେ ଚାଉଳ ମିଳିବ । ଗରିବ ଲୋକମାନଙ୍କ ବିକାଶ ପାଇଁ ଅନେକ ଯୋଜନା ଜାରି ରହିଥିବା ବେଳେ ସେଗୁଡିକର ପରିଚାଳନା ପାଇଁ ମଧ୍ୟ ଏହି ଦରରେ ଏଫ୍ସିଆଇଠାରୁ ଚାଉଳ କିଣିବାକୁ ହେବ ।
ଗାଇଡ୍ଲାଇନ୍ରେ ବିଭିନ୍ନ କିଷମର ଚାଉଳ ପାଇଁ ଭିନ୍ନ ଭିନ୍ନ ଦର ନିର୍ଦ୍ଧାରଣ କରାଯାଇଛି । ସେହି ଅନୁସାରେ ଏଫ୍ସିଆଇ ରାଜ୍ୟମାନଙ୍କୁ ଚାଉଳ ବିକିବ । କିନ୍ତୁ କେଉଁ ରାଜ୍ୟକୁ କେବେ ଓ କେତେ ଚାଉଳ ଦିଆଯିବ ସେ କଥା ସ୍ଥିର ହୋଇନାହିଁ । ତେବେ ଏ ସମ୍ବନ୍ଧୀୟ ପୂର୍ଣ୍ଣ ଅଧିକାର ଏଫ୍ସିଆଇ ପାଖରେ ଅଛି । ଅର୍ଥାତ୍ ଏଫ୍ସିଆଇ ଯେଉଁ ରାଜ୍ୟକୁ ଚାହିଁବ ଧାନ/ଚାଉଳ ବିକ୍ରି କରିପାରିବ । ଧାନ/ଚାଉଳ କିଣିବା ପାଇଁ କୌଣସି ଟେଣ୍ଡର
ବା ଇ-ନିଲାମ ଆବଶ୍ୟକ ହେବ ନାହିଁ । ରାଜ୍ୟମାନଙ୍କୁ ଦିଆଯିବାକୁ ଥିବା ଚାଉଳ ମଧ୍ୟରେ ଫୋର୍ଟିଫାଏଡ୍ ଚାଉଳ ମଧ୍ୟ ଏଫ୍ସିଆଇ ପାଖରେ ମହଜୁଦ ଅଛି । ଯେଉଁ ରାଜ୍ୟରେ ଧାନ କିଣା କମ୍ ବା କ୍ରୟ ଲକ୍ଷ୍ୟ ପୂରଣ ହୋଇପାରି ନାହିଁ, ସେଠାରେ ଘରୋଇ କମ୍ପାନୀମାନେ ଚାଉଳ କିଣିପାରିବେ । ଏଥିପାଇଁ ଇ-ନିଲାମ ବ୍ୟବସ୍ଥା ରହିବ । ଅନୁମତି ଦେବ ଖାଦ୍ୟ ମନ୍ତ୍ରାଳୟ ।