ଯୁବଶକ୍ତି ଭାରତର ବାସ୍ତବ ଶକ୍ତି
ଏନ୍ସିସି ବାର୍ଷିକ ରାଲିରେ ମୋଦି
ନୂଆଦିଲ୍ଲୀ (ଏଜେନ୍ସି): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଶନିବାର ଦିଲ୍ଲୀର କରିୟପ୍ପା ପରେଡ୍ ଗ୍ରାଉଣ୍ଡ୍ରେ ଆୟୋଜିତ ନ୍ୟାସନାଲ କ୍ୟାଡେଟ୍ କର୍ପସ (ଏନ୍ସିସି)ର ବାର୍ଷିକ ରାଲିରେ ସାମିଲ ହୋଇଛନ୍ତି । କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ମଧ୍ୟ ଉପସ୍ଥିତ ଥିଲେ । ଏନ୍ସିସି ଚଳିତ ବର୍ଷ ୭୫ତମ ସ୍ଥାପନା ଦିବସ ପାଳନ କରୁଛି । ଏହି ଅବସରରେ ମୋଦି, ୭୫ଟଙ୍କା ମୂଲ୍ୟର ଏକ ସ୍ମାରକୀ କଏନ୍ ମଧ୍ୟ ଉନ୍ମୋଚନ କରିଥିଲେ ।
ପ୍ରଧାନମନ୍ତ୍ରୀ ନିଜ ସମ୍ବୋଧନରେ କହିଛନ୍ତି, ଏବେ ଭାରତର ସମୟ ଆସିଛି । ବର୍ତ୍ତମାନ ସମୟରେ ସମଗ୍ର ବିଶ୍ୱ ଏବେ କେବଳ ଭାରତ ଆଡକୁ ହିଁ ଦୃଷ୍ଟି ନିବଦ୍ଧ କରି ରହୁଛି । ତେବେ ଏସବୁ ପାଇଁ ଦେଶର ଯୁବଶକ୍ତି ହିଁ ମୂଳ କାରଣ । ଦେଶର ବିକାଶ ଯାତ୍ରାର ଡ୍ରାଇଭିଂ ଫୋର୍ସ ଯୁବ ଶକ୍ତି ହିଁ ସାଜିଛନ୍ତି । ଯେଉଁ ଦେଶର ଯୁବଶକ୍ତି ଉତ୍ସାହ ଏବଂ ଜୋସ୍ରେ ଭରପୁୂର ରହିଥିବେ, ସେହି ଦେଶର ପ୍ରାଥମିକତା ସଦାସର୍ବଦା ଯୁବଗୋଷ୍ଠୀ ହିଁ ରହିବେ । ଏବେର ଭାରତ ଯୁବଶକ୍ତିକୁ ଆଗକୁ ବଢ଼ିବା ପାଇଁ ପ୍ରଶସ୍ତ ମାର୍ଗ ପ୍ରସ୍ତୁତ କରିଛି । କେବଳ ଯୁବଗୋଷ୍ଠୀ ନିଜ ସ୍ୱପ୍ନ ସାକାର କରିବା ଦିଗରେ ବ୍ରତୀ ହେଲେ ବାକି ସବୁକିଛି ଆପଣାଛାଏ ହୋଇଯିବ । କିଛି ଲୋକ ଦେଶରେ ବିଭାଜନ ସୃଷ୍ଟି କରିବାକୁ ଚାହୁଁଛନ୍ତି କିନ୍ତୁ ସେମାନେ କେବେ ହେଲେ ସଫଳ ହେବେ ନାହିଁ । ସେମାନଙ୍କୁ କେବଳ ଯୁବଶକ୍ତି ହିଁ ଉଚିତ୍ ଜବାବ ଦେବ । ଏକତାର ମନ୍ତ୍ର ହିଁ ଭାରତକୁ ବୈଭବ ପ୍ରାପ୍ତ ଦିଗରେ ଏକମାତ୍ର ଉପାୟ ।