ମୋଗଲ ଗାର୍ଡେନ୍ ଏବେ ଅମୃତ ଉଦ୍ୟାନ
ନୂଆଦିଲ୍ଲୀ (ଏଜେନ୍ସି): ରାଷ୍ଟ୍ରପତି ଭବନର ପ୍ରସିଦ୍ଧ ମୋଗଲ ଗାର୍ଡେନ୍ର ନାମକୁ ବଦଳାଇ ଦିଆଯାଇଛି । ଶନିବାର ଠାରୁ ମୋଗଲ ଗାର୍ଡେନ୍ର ନୂଆ ନାମକରଣ ‘ଅମୃତ ଉଦ୍ୟାନ୍’ ଭାବେ କରାଯାଇଛି । ନାମ ପରିବର୍ତ୍ତନ ନେଇ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଭବନରୁ ବିଧିବଦ୍ଧ ସୂଚନା ଦିଆଯାଇଛି । ସମ୍ପ୍ରତି ଦେଶ ଆଜାଦି କା ଅମୃତ ମହୋତ୍ସବ ପାଳନ କରୁଥିବା ବେଳେ ଏହି ଅବସରରେ ମୋଗଲ ଗାର୍ଡେନ୍ର ନାମ ପରିବର୍ତ୍ତନ କରାଯାଇ ଅମୃତ ଉଦ୍ୟାନ୍ ରଖାଯାଇଛି । ଏଠାରେ ଲାଗିଥିବା ମୋଗଲ ଗାର୍ଡେନ୍ର ନାମ ଫଳକୁ ମଧ୍ୟ ଡ୍ରୋଜର ଲଗାଇ ହଟାଯିବା ସହ ‘ଅମୃତ ଉଦ୍ୟାନ୍’ ନାମଫଳକକୁ ଲଗାଯାଇଛି । ୧୫ ଏକର ପରିମିତ ଏହି ବିଶାଳ ଉଦ୍ୟାନ୍କୁ ରାଷ୍ଟ୍ରପତି ଭବନର ଆତ୍ମା ଭାବେ ମଧ୍ୟ ଅଭିହିତ କରାଯାଇଥାଏ । ସୂଚନାଯୋଗ୍ୟ, ଏଠାରେ ବିଭିନ୍ନ ଦେଶ ବିଦେଶରୁ ଅନେକ ପ୍ରଜାତିର ଖୁବ ମନଲୋଭା ଫୁଲ ଅଣାଯାଇ ରୋପଣ କରାଯାଇଛି । ପ୍ରତିବର୍ଷ ଏହି ଉଦ୍ୟାନ୍କୁ ଦର୍ଶକଙ୍କ ପାଇଁ ଉନ୍ମୁକ୍ତ କରାଯାଇଥାଏ । ଭାରି ସଂଖ୍ୟାରେ ଦର୍ଶକମାନେ ଏଠାକୁ ଆସି ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୁର ଏହି ଉଦ୍ୟାନ୍କୁ ବୁଲି ଦେଖିବା ସହ ଫଟୋ ଉଠାଇଥାନ୍ତି । ଦୀର୍ଘ ସମୟ ଧରି ରାଷ୍ଟ୍ରପତି ଭବନର ଏହି ବିଶାଳ ଉଦ୍ୟାନ ଦର୍ଶକ ତଥା ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି । ତେବେ ଆଗାମୀ ଦିନରେ ଏହି ଉଦ୍ୟାନ୍ ସାଧାରଣ ଲୋକଙ୍କ ପାଇଁ ଉନ୍ମୁକ୍ତ କରାଯିବ ବୋଲି ରାଷ୍ଟ୍ରପତି ଭବନ ପକ୍ଷରୁ ସୂଚନା ଦିଆଯାଇଛି । ତେବେ ସାଧାରଣତଃ ଏହି ଉଦ୍ୟାନ ପ୍ରତିବର୍ଷ ୩୧ ଜାନୁଆରୀରୁ ୨୬ ମାର୍ଚ୍ଚ ପର୍ଯ୍ୟନ୍ତ ଅର୍ଥାତ୍ ପ୍ରାୟ ୨ ମାସ ପର୍ଯ୍ୟନ୍ତ ଖୋଲା ରହିଥାଏ । ସାଧାରଣ ଲୋକେ ଟିକଟ କାଟି ସକାଳ ୧ଠରୁ ଅପରାହ୍ନ ୪ ପର୍ଯ୍ୟନ୍ତ ଉଦ୍ୟାନରେ ଭ୍ରମଣ କରିଥାନ୍ତି । ସେହିପରି ମାର୍ଚ୍ଚ ୨୮ରେ କୃଷକଙ୍କ ପାଇଁ, ମାର୍ଚ୍ଚ ୨୯ ରେ ଭିନ୍ନକ୍ଷମଙ୍କ ପାଇଁ ଏବଂ ମାର୍ଚ୍ଚ ୩ଠରେ ପୁଲିସ୍ ଏବଂ ସେନା କର୍ମଚାରୀଙ୍କ ପାଇଁ ଏହି ଉଦ୍ୟାନ ଖୋଲା ରହିଥାଏ ।