ନେପାଳରୁ ଆସୁଛି ବିଶାଳ ଶାଳଗ୍ରାମ

ନିର୍ମାଣ ହେବ ରାମ-ସୀତାଙ୍କ ପ୍ରତିମା
ମାର୍ଗରେ ଶ୍ରଦ୍ଧାଳୁଙ୍କ ଜମୁଛି ଭିଡ଼, କରୁଛନ୍ତି ପୂଜାପାଠ
୬ କୋଟି ବର୍ଷ ପୁରୁଣା ଦାବି, ୨ରେ ଅଯୋଧ୍ୟା ପହଞ୍ଚôବ
ଅଯୋଧ୍ୟା (ଏଜେନ୍ସି): ନେପାଳରୁ ଅଯୋଧ୍ୟାକୁ ୨ଟି ବୃହତ୍ ଆକାରର ଶାଳଗ୍ରାମ ଶିଳା ଅଣାଯାଉଛି । ଅଯୋଧ୍ୟା ଆସୁଥିବା ଏହି ୨ ପଥର ଖଣ୍ଡ ମଧ୍ୟରୁ ଗୋଟିକର ଓଜନ ପ୍ରାୟ ୨୬ ଟନ୍ ଥିବା ବେଳେ ଅନ୍ୟଟିର ଓଜନ ୧୪ ଟନ୍ ରହିଥିବା ସୂଚନା ମିଳିଛି । ଏଥିରେ ପ୍ରଭୁ ଶ୍ରୀରାମଚନ୍ଦ୍ର ଏବଂ ମାତା ସୀତାଙ୍କ ପ୍ରତିମା ତିଆରି ହେବ । ଏହି ପଥରଗୁଡିକ ପ୍ରାୟ ୬ କୋଟି ବର୍ଷ ପୁରୁଣା ବୋଲି ଦାବି କରାଯାଉଛି । ତେବେ ଏହି ଶାଳଗ୍ରାମ ପଥରରେ ନିର୍ମିତ ହେବାକୁ ଥିବା ଭଗବାନ ରାମଚନ୍ଦ୍ର ଏବଂ ମାତା ସୀତାଙ୍କ ପ୍ରତିମାଗୁଡ଼ିକୁ ମନ୍ଦିରର ଗର୍ଭଗୃହରେ ସ୍ଥାପନ କରାଯିବ କିମ୍ବା ମନ୍ଦିର ପରିସରରେ ଅନ୍ୟତ୍ର କେଉଁଠି ସ୍ଥାନିତ କରାଯିବ ସେନେଇ ବର୍ତ୍ତମାନ ସୁଦ୍ଧା ନିଷ୍ପତ୍ତି ନିଆଯାଇନାହିଁ । ଏସମ୍ପର୍କରେ ରାମ ମନ୍ଦିର ଟ୍ରଷ୍ଟ ହିଁ ଚୂଡ଼ାନ୍ତ ନିଷ୍ପତ୍ତି ନେବ । ଅଯୋଧ୍ୟା ଆସୁଥିବା ବିଶାଳ ଶାଳଗ୍ରାମ ପଥର ଦୁଇଟିକୁ ନେପାଳର ପୋଖରା ଠାରେ ଅବସ୍ଥିତ ଶାଳଗ୍ରାମୀ ନଦୀ (କଳା ଗଣ୍ଡକୀ)ରୁ ଅଣାଯାଉଛି । ଭୂତତ୍ତ୍ୱବିତ୍ ଏବଂ ପ୍ରତ୍ନତତ୍ତ୍ୱବିତ୍ଙ୍କ ତତ୍ତ୍ୱାବଧାନରେ ଏହି ଦୁଇ ବିଶାଳ ଶାଳଗ୍ରାମ ପଥର ଖଣ୍ଡ ଦୁଇଟିକୁ ବାହାର କରାଯାଇଛି । ୨୬ ଜାନୁଆରୀରେ ଏହି ପଥର ଖଣ୍ଡ ଦ୍ୱୟକୁ ୨ଟି ଟ୍ରକ୍ରେ ଲୋଡ୍ କରାଯିବା ପରେ ପୂଜାପାଠ କରାଯାଇଥିଲା । ପରେ ଟ୍ରକ୍ ଅଯୋଧ୍ୟା ଅଭିମୁଖେ ଯାତ୍ରା ଆରମ୍ଭ କରିଛି । ତେବେ ଏସମ୍ପର୍କରେ ସୂଚନା ପ୍ରସାରିତ ହୋଇଯିବା ପରେ ଟ୍ରକ୍ ଆସୁଥିବା ମାର୍ଗରେ ଶ୍ରଦ୍ଧାଳୁମାନେ ଶାଳଗ୍ରାମ ପଥର ଦ୍ୱୟକୁ ଦେଖିବା ଏବଂ ସ୍ୱାଗତ କରିବା ପାଇଁ ଏକତ୍ରିତ ହେଊଛନ୍ତି । କିଛି ଲୋକେ ମାର୍ଗରେ ହିଁ ଧୂପ, ଦୀପ, ଶଙ୍ଖ, ହୁଳହୁଳି ଦେଇପୂଜାପାଠ କରିବା ଆରମ୍ଭ କରିଦେଉଛନ୍ତି । ରାମ ମନ୍ଦିର ଟ୍ରଷ୍ଟର ଟ୍ରଷ୍ଟି କାମେଶ୍ୱର ଚୌପାଲ କହିଛନ୍ତି, ଏହି ପଥର ଦ୍ୱୟ ଫେବୃଆରୀ ୨ସୁଦ୍ଧା ଅଯୋଧ୍ୟାରେ ପହଞ୍ଚôବ ବୋଲି ଅନୁମାନ କରାଯାଉଛି । ଶନିବାର ସୁଦ୍ଧା ଟ୍ରକ୍ ଏହି ଦୁଇ ପଥର ଖଣ୍ଡକୁ ନେଇ ଜନକପୁର ଠାରେ ପହଞ୍ଚôଛି । ବିହାରର ମଧୁବାଣୀର ବେନିପାଟ୍ଟୀ ଦେଇ ସାହାରାଟ ଏବଂ ଦରଭଙ୍ଗା ମୁଜାଫରପୁରରେ ପହଞ୍ଚôବ । ଜାନୁଆରୀ ୩୧ରେ, ଏହା ଗୋପାଳଗଞ୍ଜ ଦେଇ ଉତ୍ତରପ୍ରଦେଶରେ ପ୍ରବେଶ କରିବ । ଚୌପାଲ୍ କହିଛନ୍ତି, ନଦୀରୁ ପଥର ଖଣ୍ଡ ବାହାର କରାଯିବା ପୂର୍ବରୁ ଏଠାରେ ପ୍ରଥମେ ସ୍ୱତନ୍ତ୍ର ପୂଜା ସହ ନଦୀରେ କ୍ଷମାପ୍ରାର୍ଥନା କରାଯାଇଥିଲା । ସେହିପରି ଗତ ୨୬ ତାରିଖରେ ଗଲେଶ୍ୱର ମହାଦେବ ମନ୍ଦିରରେ ମଧ୍ୟ ରୁଦ୍ରାଭିଷେକ କରାଯାଇଥିଲା । ଚୌପାଲ୍ କହିଛନ୍ତି, ଟ୍ରକ୍ରେ ଶାଳଗ୍ରାମ ପଥର ଆସୁଥିବା ବେଳେ ଏହି ଯାତ୍ରାରେ ପ୍ରାୟ ୧ଠଠ ଲୋକ ସାମିଲ ହୋଇଛନ୍ତି । ଏମାନଙ୍କ ବ୍ୟତୀତ ଅନେକ ମହନ୍ତ, ସାଧୁସନ୍ଥ ମଧ୍ୟ ଆସୁଛନ୍ତି । ନେପାଳର ପୂର୍ବତନ ଉପ ପ୍ରଧାନମନ୍ତ୍ରୀ କମଳେନ୍ଦ୍ର ନିଧି, ଜନକପୁରର ମହନ୍ତ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି । ମାର୍ଗରେ ଏମାନଙ୍କ ବିଶ୍ରାମ ପାଇଁ ସ୍ଥାନେ ସ୍ଥାନେ ବ୍ୟବସ୍ଥା କରାଯାଇଛି ।
ନେପାଳର ଶାଳିଗ୍ରାମୀ ନଦୀ, ଭାରତରେ ପ୍ରବେଶ କରିବା ପରେ ନାରାୟଣୀ ନାମ ବହନ କରୁଛି । ସରକାରୀ ଦସ୍ତାବିଜ୍ ଅନୁସାରେ ଏହି ନଦୀର ନାମ ବୁଢ଼ୀ ଗଣ୍ଡକୀ (କାଳୀ ଗଣ୍ଡକୀ) ରହିଛି । ଶାଳିଗ୍ରାମୀ ନଦୀରେ ହିଁ କେବଳ ଶାଳଗ୍ରାମ ପଥର (କଳା ପଥର) ଦେଖିବାକୁ ମିଳିଥାଏ । ଏହିଠାରୁ ହିଁ କଳାପଥର ନିଆଯାଇ ଶାଳଗ୍ରାମ ଭାବେ ଘରେ ଘରେ ପୂଜାର୍ଚ୍ଚନା କରାଯାଇଥାଏ । ଏହି ନଦୀ ଦାମୋଦର କୁଣ୍ଡରୁ ବାହାରି ବିହାରର ସୋନପୁର ଠାରେ ଗଙ୍ଗା ନଦୀରେ ମିଶିଛି । ସୂଚନାଯୋଗ୍ୟ, ୨ଠ୨୪ ଜାନୁଆରୀ ୧ରେ ଅଯୋଧ୍ୟାରେ ନିର୍ମାଣ ଚାଲିଥିବା ଭବ୍ୟ ରାମ ମନ୍ଦିରରେ ଭଗବାନ ଶ୍ରୀରାମଲାଲାଙ୍କ ପ୍ରତିମୂର୍ତ୍ତି ସ୍ଥାପନା ସହ ପ୍ରାଣପ୍ରତିଷ୍ଠା କରାଯିବା ନେଇ ଟ୍ରଷ୍ଟର ମହାସଚିବ ଚମ୍ପତ୍ ରାୟ ପୂର୍ବରୁ ଘୋଷଣା କରିସାରିଛନ୍ତି । ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ୍ ଶାହା ମଧ୍ୟ ସମାନ ଘୋଷଣା କରିସାରିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *