ପାକିସ୍ତାନ ଅନ୍ଧାର
ସୋମବାର ସକାଳୁ ବିଜୁଳି ଗାଏବ
ଦେଶ ସାରା ହାହାକାର
ଇସ୍ଲାମବାଦ, ୨୩ା୧: ପାକିସ୍ତାନରେ ବିଜୁଳି ସପ୍ଲାଏ ଠପ୍ ହୋଇଯିବା ଫଳରେ ଦେଶସାରା ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି । ପ୍ରାୟ ୨୨ କୋଟି ଲୋକ ବିଜୁଳି ସଂକଟ ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଛନ୍ତି । ହଜାର ହଜାର ଟ୍ରେନ୍ ଏଠି ସେଠି ଅଟକି ରହିଛି । ଆପାର୍ଟମେଣ୍ଟଗୁଡିକୁ ପାଣି ସପ୍ଲାଏ ହୋଇପାରୁ ନାହିଁ । ହସ୍ପିଟାଲର ଅପରେସନ୍ ଥିଏଟରଗୁଡିକ ବନ୍ଦ ହୋଇଯାଇଛି । ଗତ ୪ ମାସ ଭିତରେ ଏହା ଦ୍ୱିତୀୟ ବଡ ବିଜୁଳି ଆଉଟେଜ୍ । ଗତବର୍ଷ ଅକ୍ଟୋବରରେ ୧୨ ଘଣ୍ଟା ବିଦୁ୍ୟତ୍ ସରବରାହ ଦେଶସାରା ବନ୍ଦ ହୋଇଯାଇଥିଲା । ପୁନର୍ବାର ସୋମବାର ସେହି ସ୍ଥିତି ଉପୁଜିବାରୁ ଦେଶବାସୀ ଶରିଫ୍ ସରକାରଙ୍କ ଉପରେ କ୍ଷୁବ୍ଧ ହୋଇପଡିଛନ୍ତି । ସୋମବାର ଟ୍ରାନ୍ସମିଶନ ଲାଇନ୍ଗୁଡିକୁ ଅଚାନକ ଖରାପ ହୋଇଯିବାରୁ ଏଭଳି ସଂକଟ ଉପୁଜିଛି । ପ୍ରମୁଖ ସହର ଯଥା କରାଚୀ, ଲାହୋର, ଇସ୍ଲାମାବାଦ ଓ କ୍ୱେଟାରେ ସ୍ଥିତି ଅତ୍ୟନ୍ତ ଜଟିଳ ହୋଇପଡିଛି । ଶକ୍ତି ମନ୍ତ୍ରାଳୟ ପକ୍ଷରୁ ଏକ ବିବୃତିରେ କୁହାଯାଇଛି ଯେ ରାଷ୍ଟ୍ରୀୟ ଗ୍ରୀଡ୍ର ଫ୍ରିକ୍ୱେନ୍ସି ସୋମବାର ସ୍ଥାନୀୟ ସମୟ ସକାଳ ୭ଟା ୩୪ରେ କମ୍ ହୋଇଗଲା ଏବଂ ପରେ ପରେ ବିଦୁ୍ୟତ୍ ସରବରାହ ବ୍ୟବସ୍ଥାରେ ବ୍ୟାପକ ବିଭ୍ରାଟ ଦେଖାଦେଲା । ପରେ ମନ୍ତ୍ରାଳୟ ପକ୍ଷରୁ କୁହାଗଲା ଯେ ଗ୍ରୀଡ୍ ଷ୍ଟେସନ୍ଗୁଡିକର ମରାମତି ଆରମ୍ଭ ହୋଇଛି । ସ୍ୱାଭାବିକ ହେବାକୁ ଅତିକମ୍ରେ ୧୪ ଘଣ୍ଟା ଲାଗିବ । ଶକ୍ତିମନ୍ତ୍ରୀ ଖୁରମ ଦସ୍ତଗିର କହିଛନ୍ତି, ଶୀତ ଋତୁରେ ବିଦୁ୍ୟତ୍ ଚାହିଦା କମ୍ ହେଉଥିବାରୁ ଖର୍ଚ୍ଚ କାଟ୍ ଉଦେ୍ଦଶ୍ୟରେ ରାତିରେ ବିଦୁ୍ୟତ୍ ଉତ୍ପାଦନ ବନ୍ଦ କରିଦିଆଯାଉଛି । ରାତି ୮ଟା ପରେ ବଜାର ବନ୍ଦ କରିବା ଲାଗି ଆଦେଶ ଦିଆଯାଇଛି । ରାତି ୧୦ଟା ପରେ ଦେଶସାରା ବିଜୁଳି ସପ୍ଲାଏ ବନ୍ଦ ରହୁଛି । ସୋମବାର ସକାଳୁ ବିଜୁଳି ସିଷ୍ଟମ୍କୁ ଚାଲୁ କରାଯିବାରୁ ପ୍ରଡକ୍ସନ ୟୁନିଟ୍ଗୁଡିକରେ ଅଚାନକ ଭୋଲ୍ଟେଜ୍ କମ୍ ବେଶୀ ହେଉଛି । ପରେ ପରେ ଗୋଟିକ ପରେ ଗୋଟିଏ ଗ୍ରୀଡ୍ ଫେଲ୍ ହୋଇଗଲା । ପାକିସ୍ତାନର ନ୍ୟାସ୍ନାଲ୍ ଇଲେକ୍ଟ୍ରିସିଟି ଗ୍ରୀଡ୍ ହଠାତ୍ ଖରାପ ହୋଇଯିବାରୁ କିଭଳି ପରିସ୍ଥିତି ସୃଷ୍ଟି ହୋଇଛି ତା’ର ଏକ ଭିଡିଓ ଆସିଛି । ଟ୍ରେନ୍ଗୁଡିକ ଏଠି ସେଠି ଅଟକି ରହିଛି । ଲାହୋରରେ ମେଟ୍ରୋ ଟ୍ରେନ୍ ଅଧାବାଟରେ ଅଟକିବାରୁ ଯାତ୍ରୀମାନେ ଇମରଜେନ୍ସି ଗେଟ୍ ଖୋଲି ବାହାରକୁ ଚାଲିଆସୁଛନ୍ତି । ସେମାନେ ଟ୍ରାକ୍ କଡେ କଡେ ଷ୍ଟେସନ୍ ଅଭିମୁଖେ ଚାଲୁଥିବା ଏହି ଭିଡିଓରୁ ଦେଖିବାକୁ ମିଳିଛି ।