ସତରେ କ’ଣ ସର୍ଜିକାଲ ଷ୍ଟ୍ରାଇକ୍ ହୋଇଛି?
ପୁଣି ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଲେ ଦିଗ୍ବିଜୟ
ନୂଆଦିଲ୍ଲୀ (ଏଜେନ୍ସି): ଭାରତ ଯୋଡୋ ଯାତ୍ରା ଏବେ ଜମ୍ମୁ କାଶ୍ମୀରରେ ନିଜ ଅଭିଯାନ ଜାରି ରଖିଛି । ଏହି ଅବକାଶରେ ଦଳୀୟ ନେତାମାନେ ଏଠାରେ ଜନସଭା କରିବା ସହ ସ୍ଥାନୀୟ ଲୋକଙ୍କୁ ନିଜ ପକ୍ଷକୁ ଆଣିବାକୁ ଚେଷ୍ଟା କରୁଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ କଂଗ୍ରେସର ବରିଷ୍ଠ ନେତା ଦିଗ୍ବିଜୟ ସିଂହ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ୍ କରିବାକୁ ଯାଇ ପୁଣିଥରେ ସେନାର ସାମର୍ଥ୍ୟ ଉପରେ ପ୍ରଶ୍ନ ଉଠାଇଛନ୍ତି ।
ଦିଗ୍ବିଜୟ ସିଂହ କହିଛନ୍ତି, ୨ଠ୧୬ରେ ପାକିସ୍ତାନ ମାର୍ଟିରେ ଭାରତୀୟ ସେନା ସର୍ଜିକାଲ ଷ୍ଟ୍ରାଇକ୍ କରିଥିବା ବିଜେପି ସରକାର ଦାବି କରୁଛି । କିନ୍ତୁ ଯେତେବେଳେ ଏସମ୍ପର୍କୀତ ପ୍ରମାଣ ମଗାଯାଉଛି ସେତେବେଳେ ବିଜେପି ଚୁପ୍ ରହୁଛି । ସେହିପରି ୨ଠ୧୯ରେ ପୁଲୱାମା ଠାରେ ସିଆରପିଏଫ୍ କନ୍ଭୟ ଉପରେ ହୋଇଥିବା ଆତଙ୍କବାଦୀ ହମ୍ଲାର ପ୍ରତିଶୋଧ ଭାବେ ଭାରତୀୟ ସେନା ପାକିସ୍ତାନ୍ର ବାଲାକୋଟ୍ ଠାରେ ଭାରତୀୟ ସେନା ଆକାଶମାର୍ଗରୁ ଆଟାକ୍ (ଏୟାରଷ୍ଟ୍ରାଇକ୍) କରି ୩ଠଠରୁ ଅଧିକ ଆତଙ୍କବାଦୀ ଏବଂ ସେମାନଙ୍କ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଦେଇଥିବା ବିଜେପି ସରକାର କହିଆସୁଛି । କିନ୍ତୁ ଏସମ୍ପର୍କରେ କୌଣସି ପ୍ରମାଣ ଦେଇପାରିନାହିଁ । ସେହିପରି ସିଆରପିଏଫ୍ ପକ୍ଷରୁ ସମ୍ବେଦନଶୀଳ ଅଞ୍ଚଳରେ ଯବାନ୍ଙ୍କୁ ଏୟାରଲିଫ୍ଟ କରାଯିବା ନେଇ ଦିଆଯାଇଥିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗ୍ରହଣ ନକରିବାରୁ ଯବାନ୍ଙ୍କୁ ସ୍ଥଳମାର୍ଗରେ ଯିବାକୁ ପଡିଥିଲା । ଏହି ସମୟରେ କନ୍ଭୟ ଉପରେ ଆତଙ୍କବାଦୀ ହମ୍ଲା ହୋଇଥିଲା ଏବଂ ଦେଶର ୪ଠ ଯବାନ୍ ସହିଦ୍ ହୋଇଥିଲେ । ଏଥିପାଇଁ କେବଳ ମୋଦି ଏବଂ ତାଙ୍କ ସରକାର ହିଁ ଦାୟୀ । ସର୍ଜିକାଲ ଷ୍ଟ୍ରାଇକ୍ ଏବଂ ପୁଲୱାମା ଘଟଣା ପରେ ବାୟୁୂସେନା ପକ୍ଷରୁ କରାଯାଇଥିବା ଆକ୍ରମଣ ସମ୍ପର୍କରେ କୌଣସି ରିପୋର୍ଟ ସଂସଦରେ ଉପସ୍ଥାପନ କରାଯାଇନି । ଏସମ୍ପର୍କରେ ଦିଗ୍ବିଜୟଙ୍କୁ ଜଣେ ସାମ୍ବାଦିକ ଯେତେବେଳେ ଆଉ କିଛି ପ୍ରଶ୍ନ କରିଥିଲେ ସେତେବେଳେ ଦିଗ୍ବିଜୟଙ୍କ ସହ ଥିବା କଂଗ୍ରେସର ଅନ୍ୟତମ ବରିଷ୍ଠ ନେତା ଜୟରାମ ରମେଶ ସାମ୍ବାଦିକଙ୍କୁ ଠେଲିଦେଇଥିଲେ ଏବଂ ଦିଗ୍ବିଜୟଙ୍କୁ ବିବାଦୀୟ ମନ୍ତବ୍ୟ ଦେବାରୁ ରୋକିଦେଇଥିଲେ । ଅନ୍ୟପକ୍ଷେ ଦିଗ୍ବିଜୟଙ୍କ ଏପ୍ରକାର ମନ୍ତବ୍ୟକୁ ନେଇ ବିଜେପି ଏବେ ପ୍ରତିକ୍ରିୟାଶୀଳ ହୋଇପଡିବା ପରେ କଂଗ୍ରେସ ଏଥିରୁ ନିଜକୁ ଦୂରେଇ ନେଇଛି । ବିଜେପି କହିଛି, ଭାରତୀୟ ସେନାର ସାମର୍ଥ୍ୟକୁ ସନେ୍ଦହ କରିବା ଭଳି ମନ୍ତବ୍ୟକୁ କଦାପି ବରଦାସ୍ତ କରାଯିବନି । ଏହାର ଜବାବରେ କଂଗ୍ରେସ କହିଛି, ଦିଗ୍ବିଜୟଙ୍କ ମନ୍ତବ୍ୟ ତାଙ୍କ ନିଜସ୍ୱ । କଂଗ୍ରେସ ଏହାକୁ ସମର୍ଥନ କରୁନାହିଁ । ଭାରତୀୟ ସେନା ପ୍ରତି କଂଗ୍ରେସର ସମ୍ମାନ ଏବଂ ବିଶ୍ୱାସ ଅତୁଟ ରହିଛି ଏବଂ ଏଥିରେ କୌଣସି ସନେ୍ଦହ ନାହିଁ ।