ସହଜ ବିଜୟ ସହ କ୍ୱାର୍ଟରରେ ଜର୍ମାନୀ

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩
ଭୁବନେଶ୍ୱର, ୨୩ା୧ (ବୁ୍ୟରୋ): ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ସୋମବାର କଳିଙ୍ଗ ହକି ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା କ୍ରସ୍ଓଭର୍ ମ୍ୟାଚ୍ରେ ଜର୍ମାନୀ ୫-୧ରେ ଫ୍ରାନ୍ସକୁ ହରାଇ କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛି । ଜର୍ମାନୀର ଅଧିନାୟକ ମାଟ୍ସ ଗ୍ରାମବୁସ୍କ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି । ଆସନ୍ତା ୨୫ରେ ହେବାକୁ ଥିବା କ୍ୱାର୍ଟରରେ ଜର୍ମାନ୍ ଟିମ୍ ଇଂଲଣ୍ଡ ଆହ୍ୱାନର ସମ୍ମୁଖୀନ ହେବ । ଫ୍ରାନ୍ସ କ୍ଲାସିଫିକେସନ୍ ମ୍ୟାଚ୍ ଖେଳିବ ।
ବିଶ୍ୱ ମାନ୍ୟତାର ଚତୁର୍ଥ ଟିମ୍ ଜର୍ମାନୀ ଓ ୧୨ତମ ଟିମ୍ ଫ୍ରାନ୍ସ ମଧ୍ୟରେ ତୃତୀୟ କ୍ରସ୍ଓଭର୍ ମ୍ୟାଚ୍ ଏକତରଫା ହୋଇଥିଲା । ପ୍ରଥମାର୍ଦ୍ଧ ସୁଦ୍ଧା ଦୁଇ ଥର ବିଜେତା ଜର୍ମାନ୍ ଟିମ୍ ଚାରି ଗୋଲ୍ରେ ଆଗୁଆ ରହି ନିଜ ଆଧିପତ୍ୟ ଜାହିର କରିଥିଲା । ଅନ୍ତିମ କ୍ୱାର୍ଟରରେ ଉଭୟ ଟିମ୍ ଗୋଟିଏ ଲେଖାଏଁ ଗୋଲ୍ କରିଥିଲେ । ଏହି ବିଜୟ ସହ ଜର୍ମାନ୍ ଟିମ୍ ଫ୍ରାନ୍ସ ବିପକ୍ଷରେ ବିଜୟଧାରା ଅବ୍ୟାହତ ରଖିଛି । ଜର୍ମାନୀ ଏ ଯାବତ ଫ୍ରାନ୍ସ ବିପକ୍ଷରେ ସମସ୍ତ ୧୩ ମ୍ୟାଚ୍ ଜିତିଛି ।
ଜର୍ମାନୀ ପକ୍ଷରୁ ମାର୍କୋ ମିଲତକାଉ (୧୪ତମ ମିନିଟ୍), ନିକଲାସ୍ ୱେଲେନ୍ (୧୮ତମ), ମାଟ୍ସ ଗ୍ରାମବୁସ୍କ (୨୩ତମ), ମୋରିଜ୍ ଟ୍ରୋପର୍ଜ (୨୪ତମ) ଓ ଗୋଞ୍ଜାଲୋ ପିଲାଟ୍ (୫୯ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ । ଫ୍ରାନ୍ସ ପକ୍ଷରୁ ଫ୍ରାନ୍କୋଇସ୍ ଗୋଏତ (୫୭ତମ) ଏକମାତ୍ର ଗୋଲ୍ ସ୍କୋର୍ କରିଥିଲେ । ମ୍ୟାଚ୍ରେ ମୋଟ୍ ୧୮ ପେନାଲ୍ଟି କର୍ଣ୍ଣର ହୋଇଥିଲା । ଉଭୟ ଟିମ୍ ୯ ଲେଖାଏଁ ପିସି ଜିତିଥିଲେ । ସେଥିମଧ୍ୟରୁ ଜର୍ମାନୀ ଦୁଇଟି ଓ ଫ୍ରାନ୍ସ ଗୋଟିଏ ପିସିରୁ ଗୋଲ୍ କରିଥିଲା ।
ଜର୍ମାନୀ ପୁଲ୍-ବି’ରେ ଦ୍ୱିତୀୟ ସ୍ଥାନରେ ରହିଥିବା ବେଳେ ଫ୍ରାନ୍ସ ପୁଲ୍-ଏ’ରେ ତୃତୀୟ ସ୍ଥାନରେ ରହିଥିଲା । ଜର୍ମାନ୍ ଟିମ୍ ଆକ୍ରମଣାତ୍ମକ ଶୈଳୀରେ ମ୍ୟାଚ୍ ଆରମ୍ଭ କରି ପ୍ରଥମ ଦୁଇ ମିନିଟ୍ରେ ଦୁଇଟି ପିସି ହାସଲ କରିଥିଲା, କିନ୍ତୁ ଦୁଇଟିଯାକ ବିଫଳ ହୋଇଥିଲା । ଏହାର ଚାରି ମିନିଟ୍ ପରେ ଫ୍ରାନ୍ସ ପ୍ରଥମ ପିସି ଜିତିଥିଲା, ହେଲେ ଏହା ବିଫଳ ହୋଇଥିଲା । ପ୍ରଥମ କ୍ୱାର୍ଟର ଶେଷ ହେବାକୁ ଗୋଟିଏ ମିନିଟ୍ ଥିବା ବେଳେ ଫ୍ରାନ୍ସର ଜାଭିଅର ଗାସ୍ପାର୍ଡଙ୍କୁ ରେଫରୀ ଗ୍ରୀନ୍ କାର୍ଡ ଦେଖାଇଥିଲେ । ଏହି ସମୟରେ ମାର୍କୋ ଏକ ଚିତ୍ତାକର୍ଷକ ଫିଲ୍ଡ ଗୋଲ୍ ଦେଇ ଜର୍ମାନୀକୁ ଅଗ୍ରଣୀ କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେ ଜର୍ମାନୀର ତିମୁର ଓରୁଜଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଏହାର ଦୁଇ ମିନିଟ୍ ପରେ ନିକଲାସ୍ ଏକ ଫିଲ୍ଡ ଗୋଲ୍ ଦେଇ ସ୍କୋର୍ଲାଇନ୍କୁ ୨-୦ରେ ପହଞ୍ଚାଇଥିଲେ । ୨୦ତମ ମିନିଟ୍ରେ ଜର୍ମାନୀକୁ କ୍ରମାଗତ ଦୁଇଟି ପିସି ମିଳିଥିଲା, କିନ୍ତୁ ଏଥିରୁ ଗୋଲ୍ ହୋଇ ନ ଥିଲା । ଇତ୍ୟବସରେ ୨୩ତମ ମିନିଟ୍ରେ ମାଟ୍ସ ଜର୍ମାନୀ ପକ୍ଷରୁ ତୃତୀୟ ଗୋଲ୍ ଦେଇଥିଲେ ।
ଏହାର ପର ମିନିଟ୍ରେ ଜର୍ମାନୀକୁ ପଞ୍ଚମ ପିସି ମିଳିଥିଲା । ମ୍ୟାଚ୍ରେ ପ୍ରଥମ ଥର ପିସିରୁ ଗୋଲ୍ କରିଥିଲା ଟିମ୍ । ମୋରିଜ୍ ଟ୍ରୋପର୍ଜଙ୍କ ଏହି ଗୋଲ୍ ବଳରେ ଟିମ୍ ୪-୦ରେ ଅଗ୍ରଣୀ ହୋଇଥିଲା । ୨୬ତମ ମିନିଟ୍ରେ ଜର୍ମାନୀର ମୋରିଜ୍ ଲୁଦୱିଗ୍ଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା । ମଧ୍ୟାନ୍ତରକୁ ଦୁଇ ମିନିଟ୍ ଥିବା ବେଳେ ଫ୍ରାନ୍ସକୁ ଦ୍ୱିତୀୟ ପିସି ମିଳିଥିଲା । କିନ୍ତୁ ଏହା ବି ଟିମ୍ର କାମରେ ଆସି ନ ଥିଲା ।
ମଧ୍ୟାନ୍ତର ସୁଦ୍ଧା ଏହି ସ୍ଥିତି ବଳବତ୍ତର ରହିଥିଲା । ପାଶ୍ୱର୍ ପରିବର୍ତ୍ତନ ପରେ ଚତୁର୍ଥ ମିନିଟ୍ରେ କ୍ରମାଗତ ଦୁଇଟି ଓ ୧୪ତମ ମିନିଟ୍ରେ ଗୋଟିଏ ପିସି ହାସଲ କରିଥିଲା ଜର୍ମାନୀ । ତିନିଟି ଯାକ ବିଫଳ ହୋଇଥିଲା । ୪୦ତମ ମିନିଟ୍ରେ ଫ୍ରାନ୍ସର ଟିମୋଥୀ କ୍ଲେମେଣ୍ଟଙ୍କୁ ଗ୍ରୀନ୍ କାର୍ଡ ମିଳିଥିଲା ।
ଅନ୍ତିମ କ୍ୱାର୍ଟରରେ ଫ୍ରାନ୍ସ ଖାତା ଖୋଲିବା ପାଇଁ ଜୋର୍ଦାର ପ୍ରୟାସ କରିଥିଲା । ମ୍ୟାଚ୍ ଶେଷ ହେବାକୁ ତିନି ମିନିଟ୍ ଥିବା ବେଳେ ଫ୍ରାନ୍ସ ଲଗାତାର ଚାରି ପିସି ଜିତିଥିଲା । ଚତୁର୍ଥ ପିସିକୁ ଗୋଲ୍ରେ ପରିଣତ କରିଥିଲେ ଫ୍ରାନ୍କୋଇସ୍ । ଏହା ପର ମିନିଟ୍ରେ ବି ଫ୍ରାନ୍ସ ଆଉ ଦୁଇଟି ପିସି ଜିତିଥିଲା, କିନ୍ତୁ ତାହା ଜର୍ମାନ୍ର ରକ୍ଷଣାତ୍ମକ ପ୍ରାଚୀର ଭେଦ କରିପାରି ନ ଥିଲା ।
୫୯ତମ ମିନିଟ୍ରେ ନବମ ପିସି ପାଇଥିଲା ଜର୍ମାନୀ । ଗୋଞ୍ଜାଲୋ ଆଦୌ ତ୍ରୁଟି ନ କରି ଏଥିରୁ ସୁନ୍ଦର ଗୋଲ୍ କରିଥିଲେ । ଏହି ସମୟରେ ଫ୍ରାନ୍ସ ବି ପିସି ଜିତିଥିଲା, ହେଲେ ଟିମ୍ ଏହାର ସଦୁପଯୋଗ କରିପାରି ନ ଥିଲା । ଶେଷରେ ୫-୧ରେ ବାଜିମାତ୍ କରିଥିଲା ଜର୍ମାନୀ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *