ବିଜେପି-ବିଜେଡି ମୁହାମୁହିଁ
ତେଜିଲା ଆବାସ କଳି
ଭୁବନେଶ୍ୱର, ୨୩ା୧ (ବୁ୍ୟରୋ): ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତା ଅଭିଯୋଗରେ ଆନେ୍ଦାଳନକୁ ଓହ୍ଲାଇବ ରାଜ୍ୟ ବିଜେପି । ରାଜ୍ୟରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କୁ ଗୃହ ଆବଣ୍ଟିତ ହୋଇଥିବା ଅଭିଯୋଗ କରିଛି ଦଳ । ଏହାର ପ୍ରତିବାଦରେ ଆସନ୍ତା ୨୫ ତାରିଖରୁ ରାଜ୍ୟର ସମସ୍ତ ୩୧୪ ବ୍ଲକ୍ରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଦଳ ପକ୍ଷରୁ ଚେତାବନୀ ପତ୍ର ପ୍ରଦାନ କରାଯିବ । ଆସନ୍ତା ୩୧ ତାରିଖରେ ସମସ୍ତ ବ୍ଲକ୍ କାର୍ଯ୍ୟାଳୟ ଘେରାଓ କରିବ । ଆବଶ୍ୟକ ପଡିଲେ ଦଳ କୋର୍ଟଙ୍କ ଦ୍ୱାରସ୍ଥ ହେବ ବୋଲି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି । ସେପଟେ ଯୋଜନାରେ ଅନିୟମିତତା ଅଭିଯୋଗ ରାଜନୈତିକ ପ୍ରଣୋଦିତ ବୋଲି ବିଜେଡି କହିଛି । ଏହି ଅଭିଯୋଗକୁ ବିଜେଡି ଖଣ୍ଡନ କରିଥିବା ବେଳେ ରାଜ୍ୟ ସରକାର ସମସ୍ତ ପ୍ରକାର ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି ବୋଲି ପଞ୍ଚାୟତିରାଜ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି । ସୂଚନାଯୋଗ୍ୟ, ରାଜ୍ୟରେ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ବ୍ୟାପକ ଅନିୟମିତତା ହୋଇଥିବା ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା । ଏପରି କି ଅନେକ ଅଯୋଗ୍ୟ ହିତାଧିକାରୀ ଏହି ଯୋଜନାର ଫାଇଦା ନେଇଥିବା ବେଳେ ହଜାର ହଜାର ଯୋଗ୍ୟ ହିତାଧିକାରୀ ଏହି ଯୋଜନାରୁ ବାଦ ପଡିଛନ୍ତି । ସବୁଠାରୁ ସାଂଘାତିକ କଥା ହେଉଛି ଦଳୀୟ ଭିତ୍ତିରେ ଆବାସ ଗୃହ ଆବଣ୍ଟିତ ହୋଇଥିବା ବିଜେପି ପକ୍ଷରୁ ବାରମ୍ବାର ଅଭିଯୋଗ ହୋଇଥିଲା । ରାଜ୍ୟ ସରକାର ବିଧାନସଭାରେ ୨୭ ଲକ୍ଷ ଘର ଆବଶ୍ୟକ ବୋଲି କହିଥିଲେ । କେନ୍ଦ୍ର ସରକାର ଓଡ଼ିଶାକୁ ଅଦ୍ୟାବଧି ୨୮ଲକ୍ଷରୁ ଊଦ୍ଧ୍ୱର୍ ପ୍ରଧାନମନ୍ତ୍ରୀ ଆବାସ ଯୋଗାଇ ଦେଇଛନ୍ତି । ହେଲେ ଓଡ଼ିଶାରେ ଏହି ଯୋଜନାକୁ ବିଜେଡି ସରକାର ବିଭିନ୍ନ ଷଡଯନ୍ତ୍ର କରି ବିଭ୍ରାଟ କରିବା ପାଇଁ ଅପଚେଷ୍ଟା କରିଆସୁଛି । ରାଜ୍ୟ ସରକାର ଦଳୀୟ ଭିତ୍ତିରେ ଅଯୋଗ୍ୟ ହିତାଧିକାରୀଙ୍କ ନାମକୁ ତାଲିକାରେ ରଖିଛନ୍ତି । ଯୋଗ୍ୟ ହିତାଧିକାରୀ ତାଲିକାରୁ ବାଦ୍ ପଡିଛନ୍ତି ବୋଲି ଅଭିଯୋଗ କରିଛନ୍ତି ବିଜେପିର ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ । ମଙ୍ଗଳବାର ଅଯୋଗ୍ୟ ତାଲିକା ନେଇ ଅଭିଯୋଗର ଶେଷ ତାରିଖ ରହିଛି । ଏହି ତାଲିକାରେ ଅନେକ ଅଯୋଗ୍ୟ ହିତାଧିକାରୀଙ୍କ ନାମ ରହିଥିବାରୁ ଏହାକୁ ଆପତ୍ତି ଉଠାଇଛି ଦଳ । ଏହାର ପ୍ରତିବାଦରେ ଜାନୁୟାରୀ ୨୫ ତାରିଖରେ ରାଜ୍ୟର ସମସ୍ତ ୩୧୪ ବ୍ଳକ୍ କାର୍ଯ୍ୟାଳୟରେ ମୁଖ୍ୟମନ୍ତ୍ରୀଙ୍କ ଉଦେ୍ଦଶ୍ୟରେ ଚେତାବନୀ ପତ୍ର ପ୍ରଦାନ କରାଯିବ । ଜାନୁୟାରୀ ୩୧ ତାରିଖରେ ସବୁ ବ୍ଲକ୍ ଅଫିସକୁ ଘେରାଓ କରାଯିବ । ତାପରେ ଆଯୋଗ୍ୟ ତାଲିକାକୁ ନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ । ଆବଶ୍ୟକ ହେଲେ ଦଳ ନ୍ୟାୟାଳୟର ଦ୍ୱାରସ୍ଥ ହେବା ସହିତ ଆନେ୍ଦାଳନକୁ ଓହ୍ଲାଇବ ବୋଲି କହିଛନ୍ତି ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ ।
ସେପଟେ ଏହି ଅଭିଯୋଗକୁ ଖଣ୍ଡନ କରିଛି ଶାସକ ବିଜେଡି । ଦଳର ବିଧାୟକ ଅମର ପ୍ରସାଦ ଶତପଥୀ କହିଛନ୍ତି, ଆନେ୍ଦାଳନ କରିବା ମନା ନୁହେଁ । ତେବେ ଗୃହ ଆବଣ୍ଟନରେ କେନ୍ଦ୍ର ବାଧକ ସାଜିଛି । ସେହିପରି ପଞ୍ଚାୟତିରାଜ ଓ ପାନୀୟ ଜଳ ମନ୍ତ୍ରୀ ପ୍ରଦୀପ କୁମାର ଅମାତ କହିଛନ୍ତି, ଆବାସ ଯୋଜନାରେ ରାଜ୍ୟ ସରକାର ସମ୍ପୂର୍ଣ୍ଣ ସ୍ୱଚ୍ଛତା ଅବଲମ୍ବନ କରୁଛନ୍ତି । ଏହା ସରକାରଙ୍କ ପଲିସି ମଧ୍ୟ । ବିଜ୍ଞାପନ ଜରିଆରେ ଅଭିଯୋଗ କରିବାର ମାଧ୍ୟମ ଭଲ ଭାବରେ କରାଯାଇଛି ।
ଯେଉଁମାନେ ଆବାସ ଯୋଜନାରେ ଅନିୟମିତା ହୋଇଛି ବୋଲି କହୁଛନ୍ତି, ସେମାନେ ବ୍ୟକ୍ତିଗତ ଭାବରେ କେତେ ଅଭିଯୋଗ କରିଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ । ସେ କହିଛନ୍ତି, ଯୋଜନାରେ ସ୍ୱଚ୍ଛତା ଅବଲମ୍ବନ ପାଇଁ ସବୁବେଳେ ତତ୍ପର ରହିଛନ୍ତି । ଜାନୁୟାରୀ ୧୬ ରୁ ୨୪ ପର୍ଯ୍ୟନ୍ତ ଅଭିଯୋଗର ଅବଦ୍ଧି ରହିଛି । ଏହାରି ମଧ୍ୟରେ ଅଭିଯୋଗ ମଧ୍ୟ ଆସିଛି । ମଙ୍ଗଳବାର ଅଭିଯୋଗ ଅବଦ୍ଧିର ଶେଷ ତାରିଖ ରହିଛି । ଅବଦ୍ଧି ଶେଷ ପରେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ । ଅନେକ ଲୋକେ ଅଭିଯୋଗ କରିବାକୁ ଡରୁଛନ୍ତି । ସେମାନଙ୍କ ପାଇଁ ଇ-ମେଲ୍ କରିବାର ବ୍ୟବସ୍ଥା ମଧ୍ୟ ରହିଛି । ଭୟ କରୁଥିବା ଲୋକଙ୍କୁ ସୁରକ୍ଷା ଦେବା ଲାଗି ରାଜ୍ୟ ସରକାର ସମସ୍ତ ବ୍ୟବସ୍ଥା କରଛିନ୍ତି । ତେବେ ବିଜେପି ରାଜନୈତିକ ଉଦେ୍ଦଶ୍ୟ ରଖି ଏଭଳି କରିଥାଇପାରନ୍ତି । ଗୋଦରୀ ଲୋ ନିଜ ଗୋଡକୁ ଅନା । ଆଲୋଚନା ହେଲେ ସବୁ ସତ ପଦାକୁ ଆସିବ ବୋଲି ଦମ୍ଭୋକ୍ତି ବାଢିଛନ୍ତି ବିଭାଗୀୟ ମନ୍ତ୍ରୀ ଶ୍ରୀ ଅମାତ ।