କେନାଲକୁ ଖସିପଡ଼ିଲା ପିକ୍ନିକ୍ ବସ୍

ଢେଙ୍କାନାଳ, ୨୩ା୧ (ଆପ୍ର): ଢେଙ୍କାନାଳ ଜିଲ୍ଲା ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥରେ ରବିବାର ବିଳମ୍ବିତ ରାତିରେ ଏକ ପର୍ଯ୍ୟଟକ ବସ୍ ଦୁର୍ଘଟଣାଗ୍ରସ୍ତ ହେବାରୁ ୨ଜଣ ମହିଳାଙ୍କ ମୃତୁ୍ୟ ଘଟିଛି ଏବଂ ୩୦ରୁ ଅଧିକ ଆହତ ହୋଇଛନ୍ତି । ଆହତ ଯାତ୍ରୀଙ୍କୁ କଟକ ଓ ଢେଙ୍କାନାଳ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ଦୁର୍ଘଟଣା ଯୋଗୁ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି । ଦୀର୍ଘ ୫ ବର୍ଷ ହେଲା ଉକ୍ତ କେନାଲ ରାସ୍ତା ଅଧପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବାରୁ ଦୁର୍ଘଟଣା ଘଟିଲା ବୋଲି ଅଭିଯୋଗ ହୋଇଛି । ହେଲେ ଠିକାଦାର ଉପରେ ଦୋଷ ଲଦି ପ୍ରଶାସନ ଖସିଯିବାକୁ ଉଦ୍ୟମ କରିଛି । କେନ୍ଦ୍ରାପଡା ଜିଲ୍ଲା ଇଛାପୁର ଗ୍ରାମର ୪୫ରୁ ଅଧିକ ଯାତ୍ରୀ ନୀଳମାଧବ ନାମକ ଏକ ଘରୋଇ ବସରେ ପିକ୍ନିକ୍ କରିବାକୁ ଯାଇଥିଲେ । ସେମାନେ ବଲାଙ୍ଗିର ଜିଲ୍ଲାର ନୃସିଂହନାଥ, ହରିଶଙ୍କର ଏବଂ ସମଲେଶ୍ୱରୀ ଦର୍ଶନ ସାରି ଅପ୍ ଲାଇନରେ ୫୫ ନମ୍ବର ଜାତୀୟ ରାଜପଥ ଦେଇ ଫେରୁଥିବା ବେଳେ ରାତି ପ୍ରାୟ ୩.୧୫ରେ ସଦର ଥାନା ଅନ୍ତର୍ଗତ ପଞ୍ଚୁପଟି ନିକଟରେ ରୋଡ୍ ଡାଇଭରର୍ସନ ମାର୍କର ନ ଥିବାରୁ ଡାଉନ ଲାଇନକୁ ଯାଇ ନ ପାରି ସିଧାସଳଖ
ନିର୍ମାଣାଧୀନ ରେଙ୍ଗାଳୀ ବାମ କେନାଲକୁ ଖସିପଡିଥିଲା ବସ୍ ୩୦ଫୁଟ ତଳକୁ ଖସି ନିର୍ମାଣଧୀନ ପୋଲ ଖମ୍ବରେ ଧକ୍କା ହୋଇଥିଲା । ଦୁର୍ଘଟଣା ଶବ୍ଦ ଶୁଣି ନିକଟରେ ରହୁଥିବା କିଛି ଲୋକ ଓ ଡ୍ରାଇଭର୍ ସଙ୍ଘ ସଦସ୍ୟମାନେ ତୁରନ୍ତ ଘଟଣା ସ୍ଥଳରେ ପହଞ୍ଚି ଉଦ୍ଧାର କରିବା ସହିତ ପୁଲିସ ଓ ଆମ୍ବୁଲାନସକୁ ଖବର ଦେଇଥିଲେ । ବସ୍ଟି ଝୁଲି ରହିଥିବାରୁ ଏହାର ପଛ କାଚ ଭାଙ୍ଗି ଯାତ୍ରୀମାନଙ୍କୁ ଉଦ୍ଧାର କରାଯାଇ ପୁଲିସ ସହାୟତାରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ଜିଲ୍ଲା ଚିକିତ୍ସାଳୟରେ ୨୨ ଜଣ ଓ ୮ରୁ ଅଧିକ ଯାତ୍ରୀଙ୍କୁ କଟକ ସ୍ଥାନାନ୍ତର କରାଯାଇଥିଲା । ଇଛାପୁର ଗ୍ରାମର ରେଣୁବାଳା ସ୍ୱାଇଁ ଏବଂ ବିଜୟଲକ୍ଷ୍ମୀ ସ୍ୱାଇଁଙ୍କର ମୃତୁ୍ୟଘଟିଛି । ମହିଳା ଦୁଇ ଜଣ ବାହାରିବା ସମୟରେ ତଳେ ପଡ଼ିଯାଇଥିଲେ । ଦୁର୍ଘଟଣା ସ୍ଥଳ ସମ୍ପୁର୍ଣ୍ଣ ଅନ୍ଧାର ଥିବାରୁ ସେମାନଙ୍କୁ କେହି ଦେଖିପାରି ନ ଥିଲେ ଓ ଯାତ୍ରୀମାନେ ଜୀବନ ବିକଳରେ ବାହାରିବାକୁ ଉଦ୍ୟମ କରି ସେମାନଙ୍କୁ ଦଳି ପକାଇଥିଲେ । ଅନ୍ଧାର ଓ ପାଟିତୁଣ୍ଡ ଯୋଗୁ ରେଣୁବାଳା ଏବଂ ବିଜୟଲକ୍ଷ୍ମୀଙ୍କ ଚିକ୍ରାର କେହି ଶୁଣି ପାରି ନ ଥିଲେ ବୋଲି କୁହାଯାଉଛି ।
ମୁଖ୍ୟ ଚିକିତ୍ସାଧିକାରୀ ଡା. ଅଶୋକ କୁମାର ଦାଶଙ୍କ ସୂଚନା ଅନୁଯାୟୀ, ୨୨ ଜଣଙ୍କ ଆହତଙ୍କ ମଧ୍ୟରେ ଜଣେ ନାବାଳକ, ୨ ବାଳିକା, ୧୪ ପୁରୁଷ ଓ ୬ ମହିଳା ଅନ୍ତର୍ଭୁକ୍ତ । ସମସ୍ତଙ୍କର ଅଙ୍ଗପ୍ରତ୍ୟଙ୍ଗ କ୍ଷତିଗ୍ରସ୍ତ ହୋଇଛି । ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରିଥିଲେ । ପୁଲିସ ସେମାନଙ୍କୁ ବୁଝାସୁଝା କରିବା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଘଟଣା ସ୍ଥଳରେ ଜିଲ୍ଳାପାଳ ସରୋଜ କୁମାର ସେଠୀ, ଉପଜିଲ୍ଲାପାଳ ସ୍ନିଗ୍ଧାରାଣୀ ଧଳ, ଏସ୍ପି, ଡିଏସ୍ପି, ଜିଲ୍ଲାପରିଷଦ ସଦସ୍ୟ ବାଳକୃଷ୍ଣ ସାହୁ, ସରପଞ୍ଚଞ୍ଚଅଜିଜ କୁମାର ସିଂହ ଏବଂ ସଦର ପୁଲିସ ପହଞ୍ଚି ଉଦ୍ଧାରରେ ସହଯୋଗ କରିଥିଲେ । ସାମାନ୍ୟ ଆହତ ଯାତ୍ରୀଙ୍କୁ ପ୍ରଶାସନ ତରଫରୁ ଖାଦ୍ୟ ପାନୀୟ ସହିତ ଅନ୍ୟାନ୍ୟ ସୁବିଧା ସହ ସ୍ୱତନ୍ତ୍ର ବସରେ ଘରକୁ ପଠାଇ ଦିଆଯାଇଛି ।
ଦୀର୍ଘ ଦିନ ହେବ ୫୫ ନମ୍ବର ଜାତୀୟ ରାଜପଥ ବିପର୍ଯ୍ୟସ୍ତ ହୋଇପଡିଥିବାରୁ ଢେଙ୍କାନାଳ ଆଡକୁ ଅପ୍ ଏବଂ ଅନୁଗୁଳ ଆଡକୁ ଡାଉନ୍ ଲାଇନରେ ଗାଡି ଚଳାଚଳ କରୁଛି । ଢେଙ୍କାନାଳ ଆଡକୁ ଗାଡିଗୁଡିକ ଯାଉଥିବା ସମୟରେ ନିର୍ମାଣାଧୀନ କେନାଲ ପୋଲର ମାତ୍ର ୨୦ ମିଟର ଦୂରରେ ଡାଇଭର୍ସନ ରହିଛି । କିନ୍ତୁ ରାତିରେ ଲାଇଟ୍ କି ରେଡିୟମ ମାର୍କର ନାହିଁ । ଫଳରେ ସିଧାସଳଖ କେନାଲ ମଧ୍ୟକୁ ବସ୍ ଖସିପଡିଥିଲା ।
କେନାଲରେ ପାଣି ଆସି ଜମିକୁ ଜଳଯୋଗାଣ ହୋଇଥିଲେ ମଧ୍ୟ ୭ ବର୍ଷ ହେବ କେନାଲ ପୋଲ କାମ ଶେଷ ହେଉନାହିଁ । ଠିକାଦାର କେବଳ ଖମ୍ବ ନିର୍ମାଣ କରି ଚାଲିଯାଇଛି । କେନାଲ ଉଭୟ ପାଶ୍ୱର୍ରେ ଚାରିଥାକିଆ ରାସ୍ତା ଥିବା ବେଳେ କେନାଲ ଉପରେ ମାତ୍ର ଗୋଟିଏ ରାସ୍ତା ରହିଛି ଓ ଏହା ଖାଲଖମାରେ ପରିପୂର୍ଣ୍ଣ ହୋଇଯାଇଛି । ଠିକାଦାର, ପ୍ରଶାସନର ଅବହେଳା ଓ ସ୍ଥାନୀୟ ଆର୍ଟିଓଙ୍କ ଖାମଖିଆଲୀ ନୀତି ଦୁର୍ଘଟଣା ପାଇଁ ଦାୟୀ ବୋଲି ଆଲୋଚନା ହେଉଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *