ରାହୁଲ-କେଜରିୱାଲ
କାହିଁକି ପରସ୍ପରକୁ ସାମ୍ନା କରିବେନି
ଆପ୍, ବିଜେପିର ବି ଟିମ୍ ବୋଲି ବିଶ୍ୱାସ କରୁଛି କଂଗ୍ରେସ
କଂଗ୍ରେସ ସମେତ ଦେଶର ଅନେକ ରାଜନୈତିକ ଦଳ ବିଶ୍ୱାସ କରନ୍ତି ଯେ, ଆନ୍ନା ହଜାରେଙ୍କ ଭ୍ରଷ୍ଟାଚାର ବିରୋଧୀ ଅନଶନ କାର୍ଯ୍ୟକ୍ରମ ଏକ ରାଜନୈତିକ ଏଜେଣ୍ଡା ଥିଲା । ଏହା ପଛରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆରଏସ୍ଏସ୍)ର ହାତ ରହିଛି । ବିଜେପିକୁ ଏକଛତ୍ରବାଦୀ ଶାସକ କରାଇବା ଉଦେ୍ଦଶ୍ୟରେ କଂଗ୍ରେସ ବିରୋଧରେ ଏକ ରାଜନୈତିକ ଦଳ ଗଠନ ହିଁ ଆରଏସ୍ଏସ୍ର ମୁଖ୍ୟ ଏଜେଣ୍ଡା ଥିଲା । ଏହି କାରଣରୁ ଆମ୍ ଆଦ୍ମୀ ପାର୍ଟି, ବାସ୍ତବରେ ବିଜେପିର ବି-ଟିମ୍ ବୋଲି କଂଗ୍ରେସ ବିବେଚନା କରିଆସୁଛି । ଏସବୁ ବ୍ୟତୀତ ଗୁଜରାଟ ପରାଜୟ ପାଇଁ ମଧ୍ୟ କଂଗ୍ରେସ ଆପ୍କୁ ହିଁ ଦୋଷାରୋପ କରିଥିଲା । ଗୁଜରାଟରେ କଂଗ୍ରେସକୁ କ୍ଷତି ପହଞ୍ଚାଇବା ଉଦେ୍ଦଶ୍ୟରେ ହିଁ ଆପ୍ ନିର୍ବାଚନ ଲଢ଼ିଥିଲା ବୋଲି କଂଗ୍ରେସ ଅଭିଯୋଗ କରିଥିଲା । ଏହି ଚିନ୍ତାଧାରା ହିଁ କଂଗ୍ରେସକୁ ଆମ୍ ଆଦ୍ମୀ ପାର୍ଟି ବିରୋଧରେ ବେଶୀ ଭଡକାଇ ଦେଇଛି ।
କଂଗ୍ରେସର ଅସ୍ତିତ୍ୱକୁ ସ୍ୱୀକାର କରୁନାହାନ୍ତି କେଜରିୱାଲ୍
ଅନ୍ୟପକ୍ଷେ ବର୍ତ୍ତମାନ ସମୟରେ କଂଗ୍ରେସର ସ୍ଥିତିକୁ ହିଁ କେଜରିୱାଲ ସ୍ୱୀକାର କରୁନାହାନ୍ତି । ସେ ଜାତୀୟ ସ୍ତରରେ ନିଜ ଦଳ ଆପ୍କୁ ଦେଶର ଉଦୀୟମାନ ତଥା ପ୍ରମୁଖ ବିରୋଧୀ ଦଳ ବିବେଚନା କରିବାରେ ଲାଗିପଡିଛନ୍ତି । କେଜରିୱାଲ୍ଙ୍କ କଂଗ୍ରେସ ପ୍ରତି ଅସୂୟାଭାବ ଏତେମାତ୍ରାରେ ବଢ଼ିଯାଇଛି ଯେ, କଂଗ୍ରେସର ଭାରତ ଯୋଡୋ ଯାତ୍ରାରେ ଦେଶର ସବୁ ଅଣ ବିଜେପି ଦଳର ନେତାମାନେ ନିଜ ହିସାବରେ ସାମିଲ ହୋଇଥିବା ବେଳେ କେଜରିୱାଲ୍ କିନ୍ତୁ ଏଥିରେ ଯୋଗଦେଇନାହାନ୍ତି । ଦିଲ୍ଲୀରେ ଯେତେବେଳେ ରାହୁଲଙ୍କ ନେତୃତ୍ୱରେ ଭାରତ ଯୋଡୋ ଯାତ୍ରା ଆରମ୍ଭ ହେଲା ସେତେବେଳେ କେଜରିୱାଲ୍ ଏଥିରୁ ଦୂରେଇ ରହିଥିଲେ । ସୁତରାଂ କଂଗ୍ରେସ ଏବେ ଭାରତ ଯୋଡୋ ଶେଷ ପର୍ଯ୍ୟାୟକୁ ମଧ୍ୟ କେଜରିୱାଲଙ୍କୁ ଆମନ୍ତ୍ରଣ କରିନାହିଁ । ଏବେ ଯେତେବେଳେ କାଶ୍ମୀରରେ ଭାରତ ଯୋଡୋ ଯାତ୍ରା ପହଞ୍ଚôଛି ଏବଂ ଆସନ୍ତା ୩ଠରେ ଯାତ୍ରା ଶେଷ ହେବାକୁ ଯାଉଛି ସେତେବେଳେ କଂଗ୍ରେସ ଶ୍ରୀନଗରରେ ଏକ ବିଶାଳ ରାଲିର ଆୟୋଜନ କରୁଛି । ଏଥିପାଇଁ କଂଗ୍ରେସ ପକ୍ଷରୁ ଦେଶର ସବୁ ଅଣିବିଜେପି ଦଳଗୁଡ଼ିକୁ ଆମନ୍ତ୍ରଣ କରାଯାଇଛି । କିନ୍ତୁ ଆପ୍କୁ ଆମନ୍ତ୍ରଣ କରାଯାଇନାହିଁ । ତେବେ ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ ।
ବଢ଼ିଛି ରାହୁଲ-କେଜରିୱାଲ ବାକ୍ୟୁଦ୍ଧ
୨ଠ୧୯ ଲୋକସଭା ନିର୍ବାଚନ ସମୟରେ ଉଭୟ କେଜରିୱାଲ ଏବଂ ରାହୁଲ ଗାନ୍ଧୀଙ୍କ ମଧ୍ୟ ଟ୍ୱିଟର ଯୁଦ୍ଧ ଦେଖିବାକୁ ମିଳିଥିଲା । ଉଭୟ ଉଭୟଙ୍କ ନେତୃତ୍ୱକୁ ସମାଲୋଚନା କରିଥିଲେ । ୨ଠ୧୯ ପାଇଁ ବିଜେପି ବିରୋଧରେ ଏକ ସାମ୍ମୁଖ୍ୟ ଗଠନ ପାଇଁ ଆଲୋଚନା ଜୋର ଧରିଥିବା ବେଳେ ଉଭୟ ନେତାଙ୍କ ମଧ୍ୟରେ ଏପ୍ରକାର ତିକ୍ତତା ସୃଷ୍ଟି ହୋଇଥିଲା, ଯାହାଫଳରେ ସାମ୍ମୁଖ୍ୟ ଗଠନ ହୋଇପାରିନଥିଲା । ଏହାର ପରବର୍ଷ ଅର୍ଥାତ୍ ୨ଠ୨ଠରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ଦେଶର ସବୁ ଅଣବିଜେପି ଦଳଗୁଡ଼ିକଙ୍କ ସହ ବୈଠକ କରିଥିଲେ କିନ୍ତୁ ଏହି ବୈଠକକୁ ଆପ୍କୁ ଡକାଯାଇନଥିଲା । ପରେ ଆପ୍ ପକ୍ଷରୁ କୁହାଯାଇଥିଲା ଯେ, ବୈଠକକୁ ଆମନ୍ତ୍ରଣ କରାଯାଇନଥିଲା । ଯାହାର ଜବାବରେ କଂଗ୍ରେସ କହିଥିଲା, ଏହା ପୂର୍ବରୁ ଯେତେଥର ବୈଠକ ହୋଇଛି ଆପ୍ ଏଥିରେ ଯୋଗଦେଇନାହିଁ, ଏହି କାରଣରୁ ବୈଠକକୁ ଆପ୍କୁ ଡକାଯାଇନଥିଲା । ସେହିପରି ଗତ ବର୍ଷ ଫେବ୍ରୁଆରୀରେ ପଞ୍ଜାବରେ ଯେତେବେଳେ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଜୋର ଧରିଥିଲା, ସେତେବେଳେ ରାହୁଲ, ୨ଠ୧୭ରେ ପଞ୍ଜାବରେ ଜଣେ ଖଲିସ୍ତାନୀ ଆତଙ୍କବାଦୀଙ୍କ ଘରକୁ କେଜରିୱାଲ ଯାଇଥିବା ପ୍ରସଙ୍ଗକୁ ଉଠାଇ କେଜରିୱାଲ୍ଙ୍କୁ ତୀବ୍ର ସମାଲୋଚନା କରିଥିଲେ । ୨ଠ୧୮ରେ ଯେତେବେଳେ କର୍ଣ୍ଣାଟକରେ ଜେଡିଏସ୍ ସରକାର ଗଠନ କଲା ଏବଂ ଏଚ୍ଡି କୁମାରାସ୍ୱାମୀ ମୁଖ୍ୟମନ୍ତ୍ରୀ ଭାବେ ଶପଥଗ୍ରହଣ କଲେ, ସେତେବେଳେ ଉଭୟ ରାହୁଲ ଏବଂ କେଜରିୱାଲ୍ଙ୍କୁ ଆମନ୍ତ୍ରଣ କରାଯାଇଥିଲା । କିନ୍ତୁ ଉଭୟ ନେତା ଗୋଟିଏ ଷ୍ଟେଜ୍ରେ ଉପସ୍ଥିତ ରହିଥିଲେ ମଧ୍ୟ ପରସ୍ପର ଠାରୁ ଦୂରେଇ ବସିଥିଲେ ଏବଂ ପରସ୍ପର ପ୍ରତି ଅଭିବାଦନ ମଧ୍ୟ ଜଣାଇନଥିଲେ । ଏପରିକି ୨ଠ୨୨ ଗୁଜରାଟ ବିଧାନସଭା ନିର୍ବାଚନ କାଳରେ ଯେତେବେଳେ କଂଗ୍ରେସକୁ କ୍ଷତି ପହଞ୍ଚାଇବା ପାଇଁ ଆପ୍ ଏଠାରେ ନିର୍ବାଚନ ଲଢ଼ୁଛି କି ବୋଲି କିଛି ଗଣମାଧ୍ୟମ ପ୍ରତିନିଧି କେଜରିୱାଲଙ୍କୁ ପ୍ରଶ୍ନ କରିଥିଲେ ସେତେବେଳେ ସେ କହିଥିଲେ କଂଗ୍ରେସକୁ କ୍ଷତି ପହଞ୍ଚାଇବା ପାଇଁ କେବଳ ରାହୁଲ ହିଁ ଯଥେଷ୍ଟ । ଅନ୍ୟ କାହାର ଆବଶ୍ୟକତା ନାହିଁ । କେଜରିୱାଲ ଏହା ମଧ୍ୟ କହିଆସୁଛନ୍ତି ଯେ, କଂଗ୍ରେସ ଏବେ ଶେଷ ହୋଇଯାଇଛି । ତେବେ କଂଗ୍ରେସ-ଆପ୍ ବିବାଦ ବହୁ ପୂର୍ବର । ବାସ୍ତବରେ ଦିଲ୍ଲୀରେ ଶୀଲା ଦୀକ୍ଷିତଙ୍କ ନେତୃତ୍ୱାଧୀନ କଂଗ୍ରେସ ସରକାରକୁ ହରାଇ ଯେତେବେଳେ କେଜରିୱାଲଙ୍କ ଦଳ ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ଗଠନ କଲା ସେବେଠାରୁ ହିଁ ଉଭୟ ଦଳ ମଧ୍ୟରେ ବିବାଦର ମୂଳଦୁଆ ପଡିଥିଲା । କଂଗ୍ରେସକୁ ଦିଲ୍ଳୀରେ କ୍ରମାଗତ ୩ଥର (୨ଠ୧୩, ୨ଠ୧୫, ୨ଠ୨ଠ) ପରାଜିତ କରିସାରିଛି ଆପ୍ ।
ଆପ୍ର ଉତ୍ଥାନକୁ ସହ୍ୟ କରିପାରୁନି କଂଗ୍ରେସ
ଆପ୍ ପ୍ରକୃତରେ ଏକ ଦଳ ଭାବେ ରାଜନୀତିରେ ପ୍ରବେଶ କରିନଥିଲା । କେଜରିୱାଲ ଯେତେବେଳେ ଆମ୍ ଆଦ୍ମୀ ପାର୍ଟି (ଆପ୍)ର ପରିକଳ୍ପନା କରିଥିଲେ ସେତେବେଳେ ଏହାର ଉଦେ୍ଦଶ୍ୟ ଭିନ୍ନ ଥିଲା । କିନ୍ତୁ ଧୀରେ ଧୀରେ କରି ଏହା ନିଜ ଉପରେ ଏକ ରାଜନୈତିକ ପରଦା ଢ଼ାଙ୍କି ହୋଇଯାଇଛି । ଆପ୍ ଏବେ ନିଜ ଦେହରେ ରାଜନୈତିକ ରଙ୍ଗ ଏପରି ବୋଳି ହେବାରେ ଲାଗିଛି ଯେ, ଗୋଟିଏ ପରେ ଗୋଟିଏ ରାଜ୍ୟକୁ ନିଜ ଗୋଡ ବଢ଼ାଇବାରେ ଲାଗିଛି । ପ୍ରଥମେ ଦିଲ୍ଲୀ, ପରେ ପଞ୍ଜାବରେ ଆମ୍ ଆଦ୍ମୀ ପାର୍ଟି (ଆପ୍) ସରକାର ଗଠନ କରିଛି । ସେହିପରି ବିଜେପିର ଗଡ଼ କୁହାଯାଉଥିବା ଗୁଜରାଟ ଭଳି ରାଜ୍ୟରେ ମଧ୍ୟ ଆପ୍ ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ୫ଟି ଆସନ ଜିତିବାରେ ସଫଳ ହୋଇଛି । ଗୋଆରେ ବିଜେପି ସରକାର ରହିଥିବା ସତ୍ତ୍ୱେ ଆପ୍ ଏଠାରେ ମଧ୍ୟ ଖାତା ଖୋଲିବାରେ ସଫଳ ହୋଇଛି । ଏହି କାରଣରୁୂ ଆପ୍ ଭଳି ଏକ କ୍ଷୁଦ୍ର ଦଳ ଏବେ ଜାତୀୟ ଦଳର ମାନ୍ୟତା ହାସଲ କରିଛି । ବର୍ତ୍ତମାନ ସମୟରେ କଂଗ୍ରେସକୁ ବାଦ୍ ଦେଲେ ଆପ୍ ହିଁ ବର୍ତ୍ତମାନ ସମୟରେ ବିଜେପିକୁ ଟକ୍କର ଦେବାରେ ସଫଳ ହେଉଥିବା ଦେଖିବାକୁ ମିଳୁଛି । ଆଉ ବିଜେପି ପାଇଁ ଏବେ କଂଗ୍ରେସ ଅପେକ୍ଷା ଆମ୍ ଆଦ୍ମୀ ପାର୍ଟି ତଥା କେଜରିୱାଲ ହିଁ ମୁଖ୍ୟ ଚ୍ୟାଲେଞ୍ଜ୍ ଭାବେ ଉଭା ହୋଇଛନ୍ତି । ଏହା ହିଁ କଂଗ୍ରେସ ପାଇଁ ଅସହ୍ୟ ହୋଇପଡିଛି । କଂଗ୍ରେସ ଏହାକୁ ବରଦାସ୍ତ କରିପାରୁନାହିଁ ।
ଉଭୟଙ୍କ ଲକ୍ଷ୍ୟ ସମାନ କିନ୍ତୁ ଚିନ୍ତାଧାରାରେ ପାର୍ଥକ୍ୟ
କଂଗ୍ରେସକୁ ବାଦ୍ ଦେଲେ ଅନ୍ୟ ଅଣବିଜେପି ଶାସିତ ଦଳଗୁଡ଼ିକ ଯେତେ ଏକଜୁଟ୍ ହେଲେ, ଯେଉଁ ସାମ୍ମୁଖ୍ୟ ଗଠନ କଲେ ମଧ୍ୟ ବିଜେପି ଭଳି ଏକ ବୃହତ୍ ଦଳକୁୂ ପରାସ୍ତ କରିବା ଅସମ୍ଭବ ପ୍ରତୀତ ହେଉଛି । କିନ୍ତୁ ଆପ୍ ଏବଂ କଂଗ୍ରେସ ଯଦି ହାତ ମିଳାନ୍ତି ତେବେ ହୁଏତ ବିଜେପି ଉପରେେ ଏହାର କିଛି ଆଖି ଦୃଶିଆ ପ୍ରଭାବ ପଡ଼ିପାରନ୍ତା ବୋଲି ରାଜନୈତିକ ବିଶେଷଜ୍ଞମାନେ କହୁଛନ୍ତି । କିନ୍ତୁ ଏହା ସମ୍ଭବ ହେବନି । ଉଭୟ ଦଳର ମୁଖିଆଙ୍କ ମଧ୍ୟରେ ଯଦିଓ ଏକକ ଲକ୍ଷ୍ୟ ରହିଛି କିନ୍ତୁ ବିଚାରଗତ, ନୀତିଗତ ତଥା ଆଦର୍ଶଗତ ବିଭେଦ ରହିଛି । ଆପ୍ ଭଳି ଏକ କ୍ଷୁଦ୍ର ଦଳର ଜାତୀୟ ରାଜନୀତିରେ ଏପ୍ରକାର ଅଭୁ୍ୟଦୟକୁ କଂଗ୍ରେସ ବରଦାସ୍ତ କରିପାରୁନଥିବା ବେଳେ କଂଗ୍ରେସ ଶେଷ ହୋଇଯାଇଛି କହି ଆପ୍ ନିଜ ଆତ୍ମ ବଡିମା ଦେଖାଇବାର କୌଣସି ସୂଯୋଗ ହାତ ଛଡା କରୁନାହିଁ ।
ଏପରିସ୍ଥିତିରେ ଯଦି ୨ଠ୨୪ ଲୋକସଭା ନିର୍ବାଚନ ସମ୍ପର୍କରେ ଚର୍ଚ୍ଚା କରାଯାଏ ତେବେ ବିଜେପି ବା ମୋଦିଙ୍କୁ କେବଳ ରାହୁଲ ଏବଂ କେଜରିୱାଲ ହିଁ ଚ୍ୟାଲେଞ୍ଜ୍ ଦେଇପାରିବେ ବୋଲି ପ୍ରତୀତ ହେଉଛି । ୨ଠ୨୪ରେ ପୁନର୍ବାର ନିର୍ବାଚନ ଜିତି ହାଟି୍ରକ୍ କରିବା ନେଇ ଦାବି କରୁଥିବା ବିଜେପି ପାଇଁ କେବଳ ଆଉ କେବଳ ଏହି ଦୁଇଜଣ ହିଁ ରାସ୍ତାର କଣ୍ଟା ସାଜିବାର ସାମର୍ଥ୍ୟ ରଖୁଛନ୍ତି । ଅର୍ଥାତ୍ ଉଭୟ ନେତା ଯଦି ଏକଜୁଟ୍ ହୋଇଯାଆନ୍ତି, ତେବେ ହୁଏତ ବିଜେପି ପାଇଁ ୨ଠ୨୪ ନିର୍ବାଚନ ଜିତିବା ଆହୁରି ଅଧିକ କଷ୍ଟକର ବ୍ୟାପାର ହୋଇପାରନ୍ତା । କିନ୍ତୁ ଏହି ଦୁଇ ନେତା ପରସ୍ପରର ଛାଇ ମଧ୍ୟ ମାଡ଼ିବାକୁ ଚାହୁଁନାହାନ୍ତି ।
ସୋର୍ସ: ଇଣ୍ଡିଆ ଟୁ-ଡେ