ପଦକ ଦୌଡ଼ରୁ ଭାରତ ବାଦ୍

ଭୁବନେଶ୍ୱର, ୨୨ା୧ (ବୁ୍ୟରୋ): ପୁଣି ଥରେ ଅଧୁରା ରହିଯାଇଛି ଭାରତର ଦ୍ୱିତୀୟ ବିଶ୍ୱକପ୍ ବିଜୟ ସ୍ୱପ୍ନ । ୪୭ ବର୍ଷର ପ୍ରତୀକ୍ଷା ପ୍ରତୀକ୍ଷାରେ ରହିଯାଇଛି । ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ରବିବାର କଳିଙ୍ଗ ହକି ଷ୍ଟାଡିୟମ୍ ଠାରେ ଖେଳାଯାଇଥିବା ଦ୍ୱିତୀୟ କ୍ରସ୍ଓଭର୍ ମ୍ୟାଚ୍ରେ ଭାରତ ସଡନ୍ ଡେଥ୍ରେ ନୁ୍ୟଜିଲାଣ୍ଡଠାରୁ ପରାଜିତ ହୋଇଛି । ନୁ୍ୟଜିଲାଣ୍ଡର ସିନ୍ ଫିଣ୍ଡଲେ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ଅପ୍ରତ୍ୟାଶିତ ବିଜୟ ସହ କିୱି ଟିମ୍ କ୍ୱାର୍ଟର୍-ଫାଇନାଲ୍କୁ ଉନ୍ନୀତ ହୋଇଛି, ଯେଉଁଠି ଆସନ୍ତା ୨୪ରେ ତା’ର ଡିଫେଣ୍ଡିଂ ଚାମ୍ପିଅନ୍ ବେଲ୍ଜିୟମ୍ ସହ ଭେଟ ହେବ । ଅନ୍ୟପଟେ, ପରାଜୟ ସହ ଆୟୋଜକ ଟିମ୍ ପଦକ ଦୌଡ଼ରୁ ବାଦ୍ ପଡ଼ିଛି । ଟୋକିଓ ଅଲିମ୍ପିକ୍ସ କାଂସ୍ୟ ପଦକ ବିଜେତା ଭାରତ ଏହାପରେ ଆସନ୍ତା ୨୬ରେ ହେବାକୁ ଥିବା କ୍ଲାସିଫିକେସନ୍ ପର୍ଯ୍ୟାୟରେ ଜାପାନକୁ ଭେଟିବ । ଫେଭରିଟ୍ ଥିବା ସତ୍ତ୍ୱେ ଭାରତର ପରାଜୟ ବିଶ୍ୱ ମାନ୍ୟତାରେ ଭାରତ ଷଷ୍ଠ ସ୍ଥାନରେ ଥିବା ବେଳେ ନୁ୍ୟଜିଲାଣ୍ଡ ୧୨ତମ ସ୍ଥାନରେ ଥିଲା । ମାନ୍ୟତା, ପୂର୍ବ ରେକର୍ଡ, ପୁଲ୍ ପର୍ଯ୍ୟାୟରେ ପ୍ରଦର୍ଶନ ଓ ଘରୋଇ ଦର୍ଶକଙ୍କ ସମର୍ଥନ ଯୋଗୁଁ ଭାରତକୁ ଫେଭରିଟ୍ ବିବେଚନା କରାଯାଉଥିଲା । ପୁଲ୍-ଡି’ରେ ଭାରତ ଟପ୍ପର ହୋଇପାରି ନ ଥିଲେହେଁ ଇଂଲଣ୍ଡ ସହ ସମାନ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲା । ଅନ୍ୟପଟେ, ନୁ୍ୟଜିଲାଣ୍ଡ ପୁଲ୍-ସି’ରେ ମାତ୍ର ୩ ପଏଣ୍ଟ ପାଇଥିଲା ।
ଏହି ଦୁଇ ଟିମ୍ ମଧ୍ୟରେ ଏହା ପୂର୍ବରୁ ୪୪ ମ୍ୟାଚ୍ ଖେଳାଯାଇଥିଲା । ସେଥିମଧ୍ୟରୁ ଭାରତୀୟ ଟିମ୍ ୨୪ ମ୍ୟାଚ୍ ଜିତିଥିବା ବେଳେ କିୱି ଟିମ୍କୁ ୧୫ ମ୍ୟାଚ୍ରେ ସଫଳତା ମିଳିଥିଲା । ଅନ୍ୟ ପାଞ୍ଚ ମ୍ୟାଚ୍ ଅମୀମାଂସିତ ରହିଥିଲା । ଭାରତ ଶେଷ ଥର ୨୦୨୨-୨୩ ଏଫ୍ଆଇଏଚ୍ ପ୍ରୋ ଲିଗ୍ରେ ନୁ୍ୟଜିଲାଣ୍ଡକୁ ମାତ୍ ଦେଇଥିଲେ । ପୁଲ୍ ପର୍ଯ୍ୟାୟ ଭଳି ନକ୍ଆଉଟ୍ରେ ମଧ୍ୟ ଭାରତର ପେନାଲ୍ଟି କର୍ଣ୍ଣର ରୂପାନ୍ତରଣ ସମସ୍ୟା ବଳବତ୍ତର ରହିଥିଲା । ପୁଲ୍ ପର୍ଯ୍ୟାୟରେ ଆୟୋଜକ ଟିମ୍ ୨୦ ପିସି ହାସଲ କରିଥିଲା ବେଳେ ମାତ୍ର ତିନିଟିକୁ ଗୋଲ୍ରେ ପରିଣତ କରିଥିଲା ଯେତେବେଳେକି ପୁଲ୍-ଡି’ରେ ଅନ୍ୟ ସମସ୍ତ ଟିମ୍ ମିଶି ୨୦ ପିସି ଜିତିଥିଲେ । କ୍ରସ୍ଓଭର୍ ମ୍ୟାଚ୍ରେ ମଧ୍ୟ ଭାରତ ୧୦ ପିସି ହାସଲ କରିଥିଲା । କିନ୍ତୁ ମାତ୍ର ଦୁଇ କାମରେ ଆସିଥିଲା । ଅନ୍ୟପଟେ, ନୁ୍ୟଜିଲାଣ୍ଡ ଦୁଇ ପିସି ଜିତିଥିଲା ଏବଂ ଉଭୟରୁ ଗୋଲ୍ କରିଥିଲା । ଏହି ବିଫଳତା ହରମନପ୍ରୀତ ସିଂହଙ୍କ ଟିମ୍ ପାଇଁ ମହଙ୍ଗା ପଡ଼ିଥିଲା ଏବଂ ମୁକାବିଲା ସୁଟ୍ଆଉଟ୍କୁ ଯାଇଥିଲା ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *