ସୁପ୍ରିମ୍ କୋର୍ଟରେ ଜନପ୍ରତିନିଧି ଜରୁରୀ

କଲିଜିଅମ୍ ବିବାଦ
ନୂଆଦିଲ୍ଲୀ, ୨୨ା୧: ବିଚାରପତି ନିଯୁକ୍ତି ନେଇ ନ୍ୟାୟପାଳିକା ଓ ସରକାରଙ୍କ ମଧ୍ୟରେ ଟଣାଓଟରା ଚାଲିଥିବାବେଳେ କେନ୍ଦ୍ର ଆଇନମନ୍ତ୍ରୀ କିରେନ ରିିଜିଜୁ କଲିଜଅମ୍ ବ୍ୟବସ୍ଥାର ନାମ ନନେଇ ରବିବାର କହିଛନ୍ତି, ଏମାନେ ସେହି ବ୍ୟକ୍ତି ଯେ ସମ୍ବିଧାନରେ ଥିବା ବ୍ୟବସ୍ଥା ଏବଂ ଲୋକଙ୍କ ଜନାଦେଶକୁ ଅବହେଳା କରୁଛନ୍ତି । ସେମାନେ ନିଜକୁ ଭାରତର ସମ୍ବିଧାନଠାରୁ ବଡ ମନେ କରୁଛନ୍ତି ।
ହାଇକୋର୍ଟର ସେବା ନିବୃତ୍ତ ବିଚାରପତି ଆର୍ଏସ୍ ସୋଢି କିଛି ଦିନ ପୂର୍ବେ ଏକ ସାକ୍ଷାତକାରରେ କହିଥିଲେ ଯେ ସୁପ୍ରିମ୍କୋର୍ଟ ସମ୍ବିଧାନକୁ ହାଇଜାକ୍ କରିନେଇଛନ୍ତି । ନଭେମ୍ବର ୨୩ରେ ଅପ୍ଲୋଡ୍ ୟୁଟୁ୍ୟବ୍ରେ ଅପ୍ଲୋଡ କରାଯାଇଥିବା ଏହି ସାକ୍ଷାତକାରର ଭିଡିଓ କ୍ଲିପ୍ ସେୟାର କରି ଆଇନମନ୍ତ୍ରୀ ରିଜିଜୁ କହିଛନ୍ତି, ଏହା ଜଣେ ବିଚାରପତିଙ୍କ ସ୍ୱର । ଭାରତୀୟ ଗଣତନ୍ତ୍ରର ଅସଲ ସୌନ୍ଦର୍ଯ୍ୟ ତାର ସଫଳତା । ଦେଶବାସୀ ନିଜ ନିଜ ପ୍ରତିନିଧିମାନଙ୍କ ମାଧ୍ୟମରେ ସ୍ୱୟଂ ଶାସନ କରୁଛନ୍ତି । ନିର୍ବାଚିତ ପ୍ରତିନିଧି ଲୋକଙ୍କ ହିତସାଧନର ପ୍ରତିନିଧିତ୍ୱ କରି ଆଇନ ପ୍ରଣୟନ କରିଥାନ୍ତି । ଆମ ନ୍ୟାୟପାଳିକା ସ୍ୱାଧୀନ, କିନ୍ତୁ ଆମ ସମ୍ବିଧାନ ସର୍ବୋଚ୍ଚ । ଜଷ୍ଟିସ୍ ସୋଢି ସାକ୍ଷତକାରରେ କହିଛନ୍ତି, ହାଇକୋର୍ଟ ସୁପ୍ରିମ୍କୋର୍ଟଙ୍କ ଅଧୀନ ନୁହନ୍ତି । ହାଇକୋର୍ଟ ସମ୍ପୃକ୍ତ ରାଜ୍ୟର ସ୍ୱାଧୀନ ଅନୁଷ୍ଠାନ । ଏବେ କ’ଣ ସବୁ ହେଉଛି… ସୁପ୍ରିମ୍କୋର୍ଟ ହାଇକୋର୍ଟ ଜଜ୍ମାନଙ୍କୁ ନିଯୁକ୍ତି ଦେଉଛନ୍ତି । … ତେଣୁ ହାଇକୋର୍ଟ ଜଜ୍ମାନେ ସର୍ବଦା ସୁପ୍ରିମ୍କୋର୍ଟ ଆଡକୁ ଚାହିଁ ସୁପ୍ରିମ୍କୋର୍ଟର ଅଧୀନ ହୋଇଯାଇଛନ୍ତି । ସର୍ବୋଚ୍ଚ ନ୍ୟାୟାଳୟ ଦ୍ୱାରା ନ୍ୟାୟାଧୀଶ ନିଯୁକ୍ତି ଫଇସଲା ହେବା ଫଳରେ ସମ୍ବିଧାନ ଅପହୃତ ହୋଇଛି । ନ୍ୟାୟମୂର୍ତ୍ତି ସୋଢି ଏକଥା ମଧ୍ୟ କହିଛନ୍ତି ଯେ ସୁପ୍ରିମ୍କୋର୍ଟ ଆଇନ ପ୍ରଣୟନ କରିପାରିବେ ନାହିଁ, କାରଣ ତାଙ୍କୁ ଏପରି ଅଧିକାର ଦିଆଯାଇ ନାହିଁ । ଆଇନ ପ୍ରଣୟନ କରିପାରିବ କେବଳ ସଂସଦ । ସମ୍ବିଧାନ ସଂଶୋଧନ ମଧ୍ୟ କେବଳ ସଂସଦ ଦ୍ୱାରା ସମ୍ଭବ । ଏବେ କିନ୍ତୁ ମନେ ହେଉଛି ସୁପ୍ରିମ୍କୋର୍ଟ ସମ୍ବିଧାନକୁ ଅପହରଣ କରିନେବା ପରେ ନ୍ୟାୟାଧୀଶ ନିଯୁକ୍ତିରେ ସରକାରଙ୍କ କୌଣସି ଭୂମିକା ନାହିଁ ବୋଲି ଜୋର ଦେଇ କହୁଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *