ଦର୍ଶନ ବ୍ୟବସ୍ଥାରେ ଦାଦାଗିରି
କମାଣ୍ଡରଙ୍କ ନାଁରେ ସେବାୟତଙ୍କ ପକ୍ଷରୁ ମାମଲା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ଶୃଙ୍ଖଳା ଉପରେ ଅଧିକ ଗୁରୁତ୍ୱ ଦେଇଛି ଶ୍ରୀମନ୍ଦିର ପ୍ରଶାସନ । ନୀତିକାନ୍ତି ଠାରୁ ଆରମ୍ଭ କରି ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଏକାଧିକ ନୀତି ନିୟମ ଲାଗୁ କରାଯାଉଛି । ଏହା ସତ୍ତ୍ୱେ ଶୃଙ୍ଖଳା ଭିତରେ ବି ଛିଦ୍ର ରହୁଛି । କେତେଜଣ ସୁରକ୍ଷା କର୍ମଚାରୀ(ଜେଟିପି)ଙ୍କ ପାଇଁ ବେଳେବେଳେ ମୁଦୁଲି ଦ୍ୱାର ଓ ଘଣ୍ଟି ଦ୍ୱାରରେ ବିଶୃଙ୍ଖଳା ହେଉଛି । ଏପରିକି ଏହି ଦ୍ୱାରରେ ଯଦି କୌଣସି ଭକ୍ତ ମୋଟା ଅଙ୍କର ହାତଗୁଞ୍ଜା ଦେଉଛନ୍ତି ସେମାନଙ୍କୁ ସହଜ ଦର୍ଶନ ମିଳିଯାଉଛି । ଯଦି କେହି ଟଙ୍କା ନ ଦେଇ ଯିବାକୁ ଚାହୁଁଛନ୍ତି, ତାଙ୍କୁ ହଟାହଟା ହେବାକୁ ପଡୁଛି । ଶ୍ରୀମନ୍ଦିର ପରିସରରେ କମାଣ୍ଡର ଦାୟିତ୍ୱରେ ଥିବା ବ୍ୟକ୍ତି ମୋଟା ଅଙ୍କର ଅର୍ଥ ନେଇ ଭକ୍ତଙ୍କୁ ସିଧାସଳଖ ଭିତରକାଠ ନିକଟକୁ ଛାଡ଼ିଥିଲେ, ଯାହାକୁ ବିରୋଧ କରିଥିଲେ ସୁଆରମହାସୁଆର ନିଯୋଗର ପୂର୍ବତନ ସଭାପତି ଦାମୋଦର ମହାସୁଆର । ଉକ୍ତ ଅଧିକାରୀ ଜଣଙ୍କ ସେବାୟତଙ୍କୁ ଦୁର୍ବ୍ୟବହାର ପ୍ରଦର୍ଶନ କରିବା ଧମକଚମକ ଦେଇଛନ୍ତି । ଏନେଇ ଦାମୋଦରଙ୍କ ସମେତ ୨୦ରୁ ଊଦ୍ଧ୍ୱର୍ ସେବାୟତ ସିଂହଦ୍ୱାର ଥାନାରେ ଅଭିଯୋଗ କରିଛନ୍ତି । ଏପରିକି ଉକ୍ତ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରା ନ ଗଲେ ଆଗାମୀ ଦିନରେ ଠାକୁରଙ୍କ କାର୍ଯ୍ୟରେ ବ୍ୟତିକ୍ରମ ଦେଖାଦେବ ବୋଲି ସ୍ପଷ୍ଟ କରିଛନ୍ତି । ଏନେଇ ସିଂହଦ୍ୱାର ଥାନା ପୁଲିସ କେବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି ତାହା ଉପରେ ସମସ୍ତଙ୍କ ନଜର ।
ଦାମୋଦର ମହାସୁଆର ଅଭିଯୋଗପତ୍ରରେ ଉଲ୍ଲେଖ କରିଛନ୍ତି ଯେ, ଗତ ୨୦ତାରିଖ ସକାଳେ ଶ୍ରୀମନ୍ଦିର ପରିସରରେ ଠାକୁରଙ୍କ ମଙ୍ଗଳଆଳତୀ ଜାରି ରହିଥିବା ବେଳେ କମାଣ୍ଡର ଦାୟିତ୍ୱରେ ଥିବା ସୁଧାଂଶୁ ପଟ୍ଟନାୟକ ୮ରୁ ୧୦ଜଣ ଭକ୍ତଙ୍କ ଠାରୁ ମୋଟାଅଙ୍କର ଅର୍ଥ ନେଇ ସିଧାସଳଖ ଭିତରକାଠ ନିକଟକୁ ଛାଡ଼ି ଦେଇଥିଲେ । ସେହି ସମୟରେ ଦାମୋଦର ଘଟଣାସ୍ଥଳରେ ଉପସ୍ଥିତ ଥିଲେ । ସେ ଏହାକୁ ବିରୋଧ କରି କମାଣ୍ଡର ଶ୍ରୀ ପଟ୍ଟନାୟକଙ୍କୁ ପଚାରିବାରୁ ସେ ଓଲଟି ଦାମୋଦରଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରିବା ସହ ମୋ’ର କିଏ କ’ଣ କରିବ, ମୋର ଯାହା ଇଛା ତାହା ହିଁ କରିବି, କାହାକୁ ଛାଡ଼ିବି ଓ ରଖିବି ତାହା ମୋର ଇଛା, ତୁମର କ’ଣ ଅଛି ଧମକ ଦେଇଥିଲା । ଫଳରେ ଏହାକୁ ନେଇ ଘଟଣାସ୍ଥଳରେ ଦାମୋଦରଙ୍କ ସହ ଅନ୍ୟ ସେବାୟତଙ୍କ ମଧ୍ୟରେ କମାଣ୍ଡରଙ୍କ ବ୍ୟବହାରକୁ ନେଇ ଉତ୍ତ୍ୟକ୍ତ ହୋଇଥିଲେ । ଶେଷରେ ଏନେଇ ସିଂହଦ୍ୱାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପରେ ପୁଲିସ ଓ ଶ୍ରୀମନ୍ଦିର ପ୍ରଶାସନ କ’ଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ତାହା ଉପରେ ରାଜ୍ୟର ଅଗଣିତ ଭକ୍ତଙ୍କ ନଜର ।