ଯୁବକଙ୍କ ଆତ୍ମହତ୍ୟା!
ଥାର୍ଡ ଡିଗ୍ରୀ ସହି ନ ପାରି
ବାରିପଦା, ୨୨ା୧ (ଆପ୍ର): ଘରୁ ପିଟିପିଟି ଥାନାକୁ ନେଲେ, ଥାନାରେ ସାରା ରାତି ମାଡ଼ ମାରିଲେ । ପୁଲିସ ପକ୍ଷରୁ ଦିଆଯାଇଥିବା ଥାର୍ଡ ଡିଗ୍ରୀ ନିର୍ଯ୍ରାତନା ସହି ନ ପାରି ଜରେ ଯୁବକ ନିକଟସ୍ଥ ଜଙ୍ଗଳରେ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ରବିବାର ସକାଳେ ତାଙ୍କ ଶବ ଗଛରେ ଝୁଲୁଥିବା ଅବସ୍ଥାରେ ଦେଖିବାକୁ ମିଳିଛି । ଗତ ରାତି ୧୨ଟାରେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ଥାନା ପୁଲିସ ଧାତିକା ପଞ୍ଚାୟତ ଶରଡିହା ଗାଁର ରଜପାଣି ପାତ୍ର ନାମକ କୌଣସି ଏକ ମାମଲାରେ ଘରୁ ପିଟିପିଟି ଥାନାକୁ
ନେଇ ରାତିସାରା ଅଟକ ରଖି ମାଡ଼ ମାରିଥିଲା । ରଜପାଣି ଲୋକ ଲଜ୍ଜା ଓ ପୁଲିସ୍ ଡରରେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ପତ୍ନୀ ଓ ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୁଲିସ ରଜପାଣିଙ୍କୁ ନେବା ସମୟରେ ମାଡ଼ ମାରିଥିଲା । ଯେତେ ନେହୁରା ହେଲେ ବି ପୁଲିସ ଶୁଣି ନ ଥିଲା । ଲୋକ ଲଜ୍ଜା ସହି ନ ପାରି ସେ ଆତ୍ମହତ୍ୟା କରିଛନ୍ତି ବୋଲି ତାଙ୍କ ସ୍ତ୍ରୀ କନ୍ଦି ପାଣି ପାତ୍ର, ଭାଉଜ ରୁମି ପାଣି ପାତ୍ର, ମା’ ରତନି ପାଣି ପାତ୍ର, ଭାଇ ବାବୁଲି ପାଣି ପାତ୍ର ଓ ଗ୍ରାମବାସୀ ଗଣମାଧ୍ୟମ ନିକଟରେ ଅଭିଯୋଗ କରିବା ସହିତ ଉଚ୍ଚସ୍ତରୀୟ ତଦନ୍ତ ଦାବି କରିଛନ୍ତିି । ଏଭଳି ଅମାନୁଷିକ ଘଟଣା ଜିଲ୍ଲାରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ଅପରପକ୍ଷେ ଏ ସମ୍ପର୍କରେ ପୁଲିସ୍ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରି ନାହିଁ ।