ୟୁପିର ସବୁ ଆସନରେ ବିଜେପି ପରାସ୍ତ ହେବ

ଅଖିଳେଶଙ୍କ ପୂର୍ବାନୁମାନ
ଲକ୍ଷ୍ନୌ(ଏଜେନ୍ସି): ସମାଜବାଦୀ ପାର୍ଟି (ଏସ୍ପି) ମୁଖ୍ୟ ଅଖିଳେଶ ଯାଦବ, ବିଜେପି ସମ୍ପର୍କରେ ରବିବାର ଏକ ବଡ଼ ଦମ୍ଭୋକ୍ତି କରିଛନ୍ତି । ତାଙ୍କ କହିବାନୁସାରେ ୨ଠ୨୪ରେ ହେବାକୁ ଥିବା ଲୋକସଭା ନିର୍ବାଚନରେ ବିଜେପି, ଉତ୍ତରପ୍ରଦେଶ (ୟୁପି)ର ସମସ୍ତ ଅର୍ଥାତ୍ ୮ଠଟି ଯାକ ଲୋକସଭା ଆସନରେ ପରାଜିତ ହେବ । ବିଜେପି ଉତ୍ତରପ୍ରଦେଶରେ ଗୋଟିଏ ହେଲେ ଲୋକସଭା ଆସନ ଜିତିପାରିବ ନାହିଁ । ତେବେ ସେ ନିଜର ଏହି ମନ୍ତବ୍ୟକୁ ନେଇ ଆଶ୍ୱସ୍ତ ନଥିଲେ ମଧ୍ୟ ପୂର୍ବାନୁମାନ ପୂର୍ବକ ଏପ୍ରକାର ଦମ୍ଭୋକ୍ତି କରଛନ୍ତି ।
ୟୁପିର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଖିଳେଶ କହିଛନ୍ତି, ବିଜେପି ଏବଂ ଏହାର ନେତାମାନେ ଆଗମୀ ୫ଠ ବର୍ଷ (୫ ଦଶନ୍ଧି) ପର୍ଯ୍ୟନ୍ତ ଦେଶରେ ରାଜ୍ (କ୍ଷମତାସୀନ) କରିବା ନେଇ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି । କିନ୍ତୁ ବର୍ତ୍ତମାନ ସମୟ ପରିବର୍ତ୍ତନ ହୋଇଯାଇଛି । ବିଜେପି ଏବେ ନିଜର ବଳକା ଦିନକୁ ଓଲଟା ଗଣିବା ଆରମ୍ଭ କରିଛି । ବିଜେପି ପାଖରେ ଆଉ ଅଳ୍ପ ଦିନ ବାକି ରହିଯାଇଛି । ତଥାପି ଯଦି ଏଥିରେ ବିଜେପିର କୌଣସି ସନେ୍ଦହ ରହିଛି ତେବେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଥରେ ଉତ୍ତରପ୍ରଦେଶର ୨ଟି ମେଡିକାଲ କଲେଜ ପରିଦର୍ଶନ କରିଆସିବା ଉଚିତ୍ ହେବ । ଏହାଦ୍ୱାରା ସେମାନେ ଆଗାମୀ ଲୋକସଭା ନିର୍ବାଚନରେ କେତେ ଆସନ ଜିତିବେ ସେନେଇ ତାଙ୍କୁ ଏକ ସ୍ପଷ୍ଟ ଚିତ୍ର ମିଳିଯାଇପାରିବ ।
ଅଖିଳେଶଙ୍କ ଅନୁସାରେ ବିଜେପି, ୨ଠ୧୪ରେ ମିଛ ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା । ଗତ ୯ ବର୍ଷ ଧରି ଦେଶବାସୀଙ୍କୁ ଦେଇଥିବା ପ୍ରତିଶ୍ରୁତି ମଧ୍ୟରୁ ଗୋଟିଏ ବି ପୂରଣ କରିନାହିଁ । ଓଲଟା ନିର୍ବାଚନ ଜିତିବା ପାଇଁ ନୂଆ ଯୋଜନା ଆଳରେ କେବଳ ଜୁମ୍ଲା କରିଚାଲିଛି, ଦେଶବାସୀଙ୍କୁ ଗୋଟିଏ ପରେ ଗୋଟିଏ ମିଛ ପ୍ରତିଶ୍ରୁତି ଦେଇ ଚାଲିଛି । ତେବେ ଦେଶବାସୀ ଏବେ ବିଜେପିର ଏହି ଚାଲାକିକୁ ବେଶ୍ ଭଲଭାବେ ବୁଝିସାରିଛନ୍ତି । ସେହିପରି ରାଜ୍ୟ ବିଜେପି ସରକାର ମଧ୍ୟ ଉତ୍ତରପ୍ରଦେଶବାସୀଙ୍କୁ ବୋକା ବନେଇବାକୁ ଚେଷ୍ଟା କରୁଛନ୍ତି । ଆମେରିକା, ଲଣ୍ଡନ ଭଳି ଦେଶରୁ ପୁଞ୍ଜି ଆଣିବାକୁ କହି ଏବେ ପଡୋଶୀ ରାଜ୍ୟରେ ନିବେଶ କରିଥିବା ନିବେଶକଙ୍କ ସହ ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଲୋଚନା କରୁଛନ୍ତି । ଏହା ବିଜେପିର ପ୍ରକୃତ ପରିଚୟ ବୋଲି ଅଖିଳେଶ କହିଛନ୍ତି ।
ଏହି ପରିପ୍ରେକ୍ଷୀରେ ରାଜ୍ୟ ପୁଲିସ୍ କଷ୍ଟଡିରେ ଥିବା ବଲୱନ୍ତ ସିଂହ ନାମକ ଜଣେ ୨୭ ବର୍ଷୀୟ ବ୍ୟବସାୟୀଙ୍କ ସନେ୍ଦହଜନକ ମୃତୁ୍ୟ ଏବଂ ଏନେଇ ରାଜ୍ୟ ସରକାରଙ୍କ ୧ କୋଟି ଟଙ୍କା ମୃତକଙ୍କ ପରିବାରକୁ ଆର୍ଥିକ ସହାୟତା ତଥା ଜଣକୁ ସରକାରୀ ନିଯୁକ୍ତିର ପ୍ରତିଶ୍ରୁତି ଦିଆଯିବାକୁ ମଧ୍ୟ ଅଖିଳେଶ ପ୍ରହସନ ବୋଲି ଅଭିହିତ କରିଛନ୍ତି । ଏପ୍ରକାର ଘଟଣାରେ ରାଜ୍ୟ ସରକାରଙ୍କୁ ବିଧାନସଭାରେ ଏକ ପ୍ରସ୍ତାବ ପାରିତ କରାଇବା ଉଚିତ୍ ବୋଲି ଅଖିଳେଶ କହିଛନ୍ତି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *