ବିବିସି ଡକୁ୍ୟମେଣ୍ଟାରୀ ବ୍ଲକ୍
ନୂଆଦିଲ୍ଲୀ, ୨୧ା୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମ୍ପର୍କରେ ବିବିସିର ଡକୁ୍ୟମେଣ୍ଟାରୀ ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ୍’ ସେୟାର କରିଥିବା ଟ୍ୱିଟ୍ଗୁଡ଼ିକୁ ବ୍ଲକ୍ କରିବା ପାଇଁ କେନ୍ଦ୍ର ସରକାର ଆଦେଶ ଦେଇଛନ୍ତି । ଜାନୁୟାରୀ ୧୭ ତାରିଖ ଦିନ ଏହି ଡକୁ୍ୟମେଣ୍ଟାରୀର ପ୍ରଥମ ଏପିସୋଡ୍ ୟୁଟୁ୍ୟବ୍ରେ ରିଲିଜ୍ ହୋଇଥିଲା । ଦ୍ୱିତୀୟ ଏପିସୋଡ୍ ଆସନ୍ତା ୨୪ରେ ରିଲିଜ୍ ହୋଇଥାନ୍ତା । ପ୍ରଥମ ଏପିସୋଡ୍ର ବିଷୟବସ୍ତୁ ବର୍ଣ୍ଣନାରେ ୨୦୦୨ର ଗୁଜୁରାଟ ଦଙ୍ଗା ପରିପ୍ରେକ୍ଷୀରେ କୁହାଯାଇଥିଲା ଯେ, ଏଥିରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସଂଖ୍ୟାଲଘୁ ମୁସଲିମ୍ଙ୍କ ଭିତରେ ଉତ୍ତେଜନା ଉପରେ ଆଲୋକପାତ କରାଯାଇଛି । ତଦନ୍ତରୁ ଜଣାଯାଇଛି ଏହି ଡକୁ୍ୟମେଣ୍ଟାରୀରେ ସରକାରଙ୍କ ତଥା ପ୍ରଧାନମନ୍ତ୍ରୀଙ୍କ ଭାବମୂର୍ତ୍ତି କ୍ଷୁଣ୍ଣ କରିିବା ଉଦ୍ୟମ ହୋଇଛି । ସରକାରଙ୍କ କାର୍ଯ୍ୟାନୁଷ୍ଠାନକୁ କଂଗ୍ରେସ ଓ ଟିଏମ୍ସି ‘ସେନ୍ସର୍ସିପ୍’ କହି ସମାଲୋଚନା କରିଥିବାବେଳେ ଶନିବାର ୧୩ ଜଣ ଅବସରପ୍ରାପ୍ତ ବିଚାରପତି, ୧୩୩ ଅବସରପ୍ରାପ୍ତ ବୁ୍ୟରୋକ୍ରାଟ ସମେତ ୩୦୨ ଜଣ ବିଶିଷ୍ଟ ବ୍ୟକ୍ତି ବିବିସିକୁ ପତ୍ର ଲେଖି ଡକୁ୍ୟମେଣ୍ଟାରୀର ଦୃଢ଼ ବିରୋଧ କରିଛନ୍ତି । ସେମାନେ ଲେଖିଛନ୍ତି, ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ୍’ ଏକ ପ୍ରୋପାଗଣ୍ଡାର ଅଂଶ ବିଶେଷ । ଏହାକୁ ପ୍ରସାର କରି ବିବିସି ବ୍ରିଟିସ୍ ରାଜର ପୁନରୁତ୍ଥାନ ଭ୍ରମ ସୃଷ୍ଟି କରିଛି । ବିବାଦୀୟ ଡକୁ୍ୟମେଣ୍ଟାରୀ ଭାରତରେ ଉପଲବ୍ଧ ନୁହେଁ । ତେବେ ଯେଉଁ ୫୦ରୁ ଅଧିକ ଟ୍ୱିଟ୍ ଜରିଆରେ ଡକୁ୍ୟମେଣ୍ଟାରୀର ୟୁଟୁ୍ୟବ୍ ଲିଙ୍କ୍ ସେୟାର କରାଯାଇଛି, ସେଗୁଡ଼ିକୁ ବ୍ଲକ୍ କରିଦିଆଯାଇଛି । ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ପକ୍ଷରୁ ଆଇଟି ଅଧିନିୟମ, ୨୦୨୧ ବଳରେ ଜରୁରୀକାଳୀନ କ୍ଷମତା ପ୍ରୟୋଗ ପୂର୍ବକ ଏହି ନିଦେ୍ର୍ଦଶ ଜାରି କରାଯାଇଛି । ସୂଚନା ଅନୁଯାୟୀ, ୟୁଟୁ୍ୟବ୍ ଓ ଟ୍ୱିଟର ଉଭୟେ କେନ୍ଦ୍ର ସରକାରଙ୍କ ଆଦେଶ ପାଳନ କରି ଡକୁ୍ୟମେଣ୍ଟାରୀର ପ୍ରଥମ ଇପିସୋଡ୍କୁ ପୁନର୍ବାର ନିଜ ପ୍ଲାଟଫର୍ମରେ ଅପ୍ଲୋଡ୍କୁ ବ୍ଲକ୍ କରିଦେଇଛନ୍ତିି ।
ଉଲ୍ଲେଖଯୋଗ୍ୟ ଯେ କେନ୍ଦ୍ର ସରକାର ଏଭଳି ଡକୁ୍ୟମେଣ୍ଟାରୀ ପ୍ରସାର କରି ବିବିସି ଅପପ୍ରଚାର ସହ ନିଜ ପକ୍ଷପାତ ଓ ଔପନିବେଶିକ ମାନସିକତା ପ୍ରଦର୍ଶନ କରିଛି । ଏହା ପଛରେ କି ଏଜେଣ୍ଡା ରହିଛି ଆମକୁ ଜଣାନାହିଁ । ସେହିପରି ବ୍ରିଟେନ୍ ପ୍ରଧାନମନ୍ତ୍ରୀ ଋଷି ସୁନକ ‘ଇଣ୍ଡିଆ: ଦ ମୋଦି କ୍ୱେଶ୍ଚିନ୍’ ନେଇ ଆପତ୍ତି ଉଠାଇଛନ୍ତି । ବ୍ରିଟିଶ ପାର୍ଲିଆମେଣ୍ଟରେ ପାକିସ୍ତାନୀ ବଂଶଜ ସାଂସଦ ଇମ୍ରାନ୍ ହୁସେନ୍ ଗୁଜୁରାଟ ଦଙ୍ଗା ପାଇଁ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦି ସିଧାସଳଖ ଦାୟୀ ଏବଂ ଏ ପର୍ଯ୍ୟନ୍ତ ଦଙ୍ଗା ପୀଡ଼ିତଙ୍କୁ ନ୍ୟାୟ ମିଳିନାହିଁ ବୋଲି କହିବାରୁ ପ୍ରଧାନମନ୍ତ୍ରୀ ସୁନକ ଡକୁ୍ୟମେଣ୍ଟାରୀରେ ମୋଦିଙ୍କ ସମ୍ପର୍କରେ ଯାହା କୁହାଯାଇଛି, ସେଥିରେ ସେ ସହମତ ନୁହନ୍ତି ବୋଲି ଜବାବ ରଖିଥିଲେ ।