ଏଲ୍ଏସିରେ ଗର୍ଜିବେ ରାଫେଲ, ସୁଖୋଇ
ଫେବ୍ରୁଆରୀ ୧ରୁ ୫ ଯାଏ ସମରାଭ୍ୟାସ ‘ପ୍ରଳୟ’
ନୂଆଦିଲ୍ଲୀ (ଏଜେନ୍ସି): ବାସ୍ତବ ନିୟନ୍ତ୍ରଣ ସୀମାରେଖା (ଏଲ୍ଏସି)ରେ ଚୀନ୍ ସହ ଲାଗି ରହିଥିବା ସୀମା ବିବାଦ ମଧ୍ୟରେ ଭାରତୀୟ ବାୟୁସେନା ପକ୍ଷରୁ ୫ ଦିନିଆ ସମରାଭ୍ୟାସ କରାଯିବା ନେଇ ଘୋଷଣା କରାଯାଇଛି । ଉତ୍ତରପୂର୍ବ ସୀମାରେଖା ଠାରେ ବାୟୁସେନା ଆସନ୍ତା ଫେବ୍ରୁଆରୀ ୧ରୁ ୫ତାରିଖ ଯାଏ ଯୁଦ୍ଧାଭ୍ୟାସ କରିବ । ତେବେ ଏହି ଯୁଦ୍ଧାଭ୍ୟାସରେ ରାଫେଲ୍ ଏବଂ ସୁଖୋଇ ଭଳି ଲଢ଼ୁଆ ବିମାନ ସେମାନେ ସାମର୍ଥ୍ୟ ପ୍ରତିପାଦିତ କରିବେ । ଭାରତୀୟ ବାୟୁସୀମା ମଧ୍ୟରେ ହେବାକୁ ଥିବା ଏହି ସମରାଭ୍ୟାସ ପ୍ରତିପକ୍ଷ ଚୀନ୍ ପାଇଁ ଯୁଦ୍ଧଂଦେହୀ ଡାକରା ହେବ ବୋଲି ଅନୁମାନ କରାଯାଉଛି । ପ୍ରାପ୍ତ ସୂଚନାନୁସାରେ ଉତ୍ତର ପୂର୍ବାଞ୍ଚଳରୁ ବର୍ତ୍ତମାନ ସମୟ ସୁଦ୍ଧା ଡ୍ରୋନ୍ ସ୍କ୍ୱାର୍ଡନ୍ଙ୍କୁ ପ୍ରତ୍ୟାହାର କରିନିଆଯାଇଛି । ଏହି ସ୍ଥାନରେ ସୁଖୋଇ ଏବଂ ରାଫେଲ୍ ଭଳି ଲଢ଼ୁଆ ବିମାନକୁ ମୁତୟନ କରାଯାଇଛି । ନିର୍ଦ୍ଧାରିତ ସମୟ ବ୍ୟବଧାନରେ ଏହି ଯୁଦ୍ଧ ବିମାନଗୁଡ଼ିକ ଆକାଶମାର୍ଗରେ ଉଡାଣ ଭରିବା ପୂର୍ବକ ପାଟ୍ରୋଲିଂ ମଧ୍ୟ କରୁଛନ୍ତି । ତେବେ ଫେବ୍ରୁଆରୀ ୧ରୁ ୫ ଯାଏ ଏଠାରେ ଯୁଦ୍ଧାଭ୍ୟାସ କରାଯିବ ବୋଲି ବାୟୁସେନା ଅଧିକାରୀ ସୂଚନା ଦେଇଛନ୍ତି । ଏତଦ୍ବ୍ୟତୀତ ଏଲଏସିର ପୂର୍ବ ଭାଗରେ ଏୟାର ଡିଫେନ୍ସ ସ୍କ୍ୱାର୍ଡନ୍ ଏସ୍-୪ଠଠକୁ ମୁତୟନ କରାଯିବା ସହ ସକ୍ରିୟ କରିଦିଆଯାଇଛି । ଏହା ଦୂରରୁ (୪ଠଠ କିଲୋମିଟର୍ ପର୍ଯ୍ୟନ୍ତ) ଆସୁଥିବା ଶତ୍ରୁପକ୍ଷର ଲଢୁଆ ବିମାନ ଅଥବା କ୍ଷେପଣାସ୍ତ୍ରକୁ ଆକାଶ ମାର୍ଗରେ ହିଁ ସଠିକ୍ ଟାର୍ଗେଟ୍ କରିବାରେ ସମର୍ଥ ।
ପ୍ରକାଶ, ଉତ୍ତର ପୂର୍ବ ସୀମାରେଖା ନିକଟରେ ଚୀନ୍ର ଡ୍ରାଗନ୍ ସେନା ପକ୍ଷରୁ ସାମରିକ କାର୍ଯ୍ୟକଳାପ ବଢ଼ିବାରେ ଲାଗିଛି । ଚୀନ୍ ମଧ୍ୟ ନିଜ ସୀମା ମଧ୍ୟରେ ସୈନ୍ୟବଳ ଠୁଳ କରିବା ସହ ଲଢ଼ୁଆ ବିମାନ ଏବଂ ପର୍ଯ୍ୟାପ୍ତ ଗୁୂଳିଗୋଳା ମହଜୁଦ୍ କରୁଥିବା ନେଇ ପ୍ରମାଣ ମିଳିବାରେ ଲାଗିଛି ।