ଘରେ କ୍ରମାଗତ ସପ୍ତମ ଶୃଙ୍ଖଳା ବିଜୟ
ଦ୍ୱିତୀୟ ଦିନିକିଆରେ ନୁ୍ୟଜିଲାଣ୍ଡକୁ ସହଜରେ ହରାଇଲା ଭାରତ
ରାୟପୁର, ୨୧ା୧ (ଏଜେନ୍ସି): ମହମ୍ମଦ ଶାମୀଙ୍କ ନେତୃତ୍ୱରେ ପ୍ରଭାବଶାଳୀ ବୋଲିଂ ପ୍ରଦର୍ଶନ ଓ ଅଧିନାୟକ ରୋହିତ ଶର୍ମାଙ୍କ ଅର୍ଦ୍ଧଶତକୀୟ ଇନିଂସ୍ ବଳରେ ଟିମ୍ ଇଣ୍ଡିଆ ଦ୍ୱିତୀୟ ଦିନିକିଆରେ ନୁ୍ୟଜିଲାଣ୍ଡକୁ ୮ ୱିକେଟ୍ରେ ସହଜରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ୨-୦ରେ ଅପରାଜେୟ ଅଗ୍ରଣୀ ରହି ତିନି ମ୍ୟାଚ୍ ବିଶିଷ୍ଟ ଶୃଙ୍ଖଳାକୁ କବ୍ଜା କରିଛି । ଶୃଙ୍ଖଳାର ଶେଷ ମ୍ୟାଚ୍ ଆସନ୍ତା ୨୪ରେ ଇନେ୍ଦାର ଠାରେ ଖେଳାଯିବ । ଟିମ୍ ଇଣ୍ଡିଆ ଘରେ କ୍ରମାଗତ ସପ୍ତମ ଦିନିକିଆ ଶୃଙ୍ଖଳା ଜିତିଛି । ଟିମ୍ ଗତ ଚାରି ବର୍ଷ ମଧ୍ୟରେ କୌଣସି ଘରୋଇ ଶୃଙ୍ଖଳା ହାରି ନାହିଁ । ଏହାଛଡ଼ା ଦିନିକିଆରେ ଏହା ଭାରତର କ୍ରମାଗତ ଷଷ୍ଠ ବିଜୟ । ୧୦୯ ରନ୍ର ସହଜ ବିଜୟ ଲକ୍ଷ୍ୟ ନେଇ ଖେଳିଥିବା ଭାରତୀୟ ଟିମ୍ ମାତ୍ର ୨୦.୧ ଓଭର୍ରେ ୨ ୱିକେଟ୍ ହରାଇ ୧୧୧ ରନ୍ କରି ବିଜୟୀ ହୋଇଥିଲା । ରୋହିତ ଶର୍ମା ଓ ଶୁଭମନ ଗିଲ୍ଙ୍କ ଓପନିଂ ଯୋଡ଼ି ୭୨ (୮୬ ବଲ୍ରୁ) ରନ୍ର ଭାଗୀଦାରୀ କରି ବିଜୟ ଲକ୍ଷ୍ୟକୁ ସହଜ କରି ଦେଇଥିଲେ । ପୂର୍ବ ପାଞ୍ଚ ଇନିଂସ୍ ମଧ୍ୟରେ ଉଭୟ ଚତୁର୍ଥ ଥର ୫୦+ ଭାଗୀଦାରୀ କରିଥିଲେ । ରୋହିତ ୪୭ ବଲ୍ରୁ ଦିନିକିଆ କ୍ୟାରିଅରର ୪୮ତମ ଅର୍ଦ୍ଧଶତକ ପୂରଣ କରିଥିଲେ । ତେବେ ଏହାର କିଛି ସମୟ ପରେ ହେନରୀ ଶିପଲେ ତାଙ୍କ ୱିକେଟ୍ ନେଇଥିଲେ । ଭାରତୀୟ ଅଧିନାୟକ ୫୦ ବଲ୍ରୁ ୭ ଚୌକା ଓ ୨ ଛକା ସହାୟତାରେ ୫୧ ରନ୍ର ଇନିଂସ୍ ଖେଳିଥିଲେ । ପରବର୍ତ୍ତୀ ବ୍ୟାଟର୍ ବିରାଟ କୋହଲି (୧୧) ସଅଳ ପାଭିଲିଅନ୍ ଫେରିଥିଲେ । ମିଚେଲ୍ ସାଣ୍ଟନର୍ ତାଙ୍କୁ ଷ୍ଟମ୍ପ୍ ଆଉଟ୍ କରିଥିଲେ । ଏହାପରେ ଗିଲ୍ ଓ ଈଶାନ କିଶନ ୨୧ତମ ଓଭର୍ରେ ଟିମ୍କୁ ଲକ୍ଷ୍ୟସ୍ଥଳରେ ପହଞ୍ଚାଇଥିଲେ । ଗିଲ୍ ୫୩ ବଲ୍ରୁ ୬ ଚୌକା ସହାୟତାରେ ୪୦ ଓ ଈଶାନ ୮ ରନ୍ କରି ଅପରାଜିତ ଥିଲେ । ଏହା ପୂର୍ବରୁ ରାୟପୁରର ଶହୀଦ ବୀର ନାରାୟଣ ସିଂହ ଷ୍ଟାଡିୟମ୍ରେ ଭାରତ ଟସ୍ ଜିତି ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା । ଉଭୟ ଟିମ୍ର ଚୂଡ଼ାନ୍ତ ଏକାଦଶ ଅପରିବର୍ତ୍ତିତ ରହିଥିଲା । ପ୍ରଥମେ ବ୍ୟାଟିଂ ଆମନ୍ତ୍ରଣ ପାଇଥିବା କିୱି ଟିମ୍ ବିପର୍ଯ୍ୟୟର ସମ୍ମୁଖୀନ ହୋଇ ୩୪.୩ ଓଭର୍ରେ ମାତ୍ର ୧୦୮ ରନ୍ କରି ଅଲ୍ଆଉଟ୍ ହୋଇଯାଇଥିଲା । ଟିମ୍ ପକ୍ଷରୁ ଗ୍ଲେନ୍ ଫିଲିପ୍ସ ସର୍ବାଧିକ ୩୬ ରନ୍ କରିଥିବା ବେଳେ ସାଣ୍ଟନର୍ ୨୭, ମିଚେଲ୍ ବ୍ରେସ୍ୱେଲ୍ ୨୨ ରନ୍ର ଇନିଂସ୍ ଖେଳିଥିଲେ । ସେମାନଙ୍କ ଛଡ଼ା ଅନ୍ୟ କେହି ଦୁଇ ଅଙ୍କ ଛୁଇଁପାରି ନ ଥିଲେ । ଭାରତ ପକ୍ଷରୁ ଶାମୀ ୧୮ ରନ୍ ଦେଇ ସର୍ବାଧିକ ୩ ୱିକେଟ୍ ନେଇଥିଲେ । ହାର୍ଦିକ ପାଣ୍ଡ୍ୟା ଓ ୱାଶିଂଟନ୍ ସୁନ୍ଦର ୨ ଲେଖାଏଁ ଏବଂ ମହମ୍ମଦ ସିରାଜ, ଶାର୍ଦ୍ଦୂଳ ଠାକୁର ଓ କୁଲଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ୍ ଅକ୍ତିଆର କରିଥିଲେ । ଭାରତୀୟ ବୋଲର୍ ମୋଟ୍ ୭ ଓଭର୍ ମେଡେନ୍ ପକାଇଥିଲେ । ସେଥିମଧ୍ୟରେ ହାର୍ଦିକ ସର୍ବାଧିକ ୩ ମେଡେନ୍ ଓଭର୍ ପକାଇଥିଲେ ।
୧୫ ରନ୍ ମଧ୍ୟରେ ଅଧା ଟିମ୍ ପାଭିଲିଅନ୍ ଫେରିଥିଲା । ଫିନ୍ ଆଲେନ୍ଙ୍କୁ ବିନା ସ୍କୋର୍ରେ ପାଭିଲିଅନ୍ ପଠାଇ ଶାମୀ ଭାରତକୁ ପ୍ରଥମ ସଫଳତା ଦେଇଥିଲେ । ଏହାପରେ ହେନରୀ ନିକୋଲ୍ସ (୨) ଓ ଡାରିଲ୍ ମିଚେଲ୍ (୧) ଯଥାକ୍ରମେ ସିରାଜ ଓ ଶାମୀଙ୍କ ବଲ୍ରେ ଆଉଟ୍ ହୋଇଥିଲେ । ଅନ୍ୟତମ ଓପନର୍ ଡେଭନ୍ କନୱେ (୭) ହାର୍ଦିକଙ୍କ ଶିକାର ହୋଇଥିଲେ । ଅଧିନାୟକ ଟମ୍ ଲାଥମ୍ (୧)ଙ୍କ ୱିକେଟ୍ ଶାର୍ଦ୍ଦୂଳଙ୍କ ଖାତାକୁ ଯାଇଥିଲା ।
ଫିଲିପ୍ସ ଓ ବ୍ରେସ୍ୱେଲ୍ ମଧ୍ୟରେ ଷଷ୍ଠ ୱିକେଟ୍ ପାଇଁ ୪୧ ରନ୍ର ଭାଗୀଦାରୀ ହୋଇଥିଲା । ବ୍ରେସ୍ୱେଲ୍, ଶାମୀଙ୍କ ଦ୍ୱିତୀୟ ଶିକାର ହୋଇଥିଲେ । ୫୬ ରନ୍ରେ ୬ ୱିକେଟ୍ ପଡ଼ିବା ପରେ ଫିଲିପ୍ସ ଓ ସାଣ୍ଟନର୍ ସପ୍ତମ ୱିକେଟ୍ ପାଇଁ ୪୭ ରନ୍ ଯୋଗ କରିଥିଲେ, ଯାହା ଫଳରେ ଇନିଂସ୍ ୧୦୦ ଅତିକ୍ରମ କରିପାରିଥିଲା । ସାଣ୍ଟନର, ହାର୍ଦିକଙ୍କ ବଲ୍ରେ ଓ ଫିଲିପ୍ସ, ସୁନ୍ଦରଙ୍କ ବଲ୍ରେ ପାଭିଲିଅନ୍ ଫେରିଥିଲେ । ଏହାପରେ ଶେଷ ଦୁଇ ବ୍ୟାଟର୍ – ଲୋକୀ ଫର୍ଗୁସନ୍ (୧) ଓ ବ୍ଲେୟାର୍ ଟିକ୍ନର୍ (୨) ଯଥାକ୍ରମେ ସୁନ୍ଦର ଓ କୁଲଦୀପଙ୍କ ବଲ୍ରେ ଆଉଟ୍ ହୋଇଥିଲେ ।