୨ଠ% କ୍ୟାନ୍ସର ରୋଗୀ ଭାରତରେ

ନୂଆଦିଲ୍ଲୀ, ୨୧ା୧: ପୃଥିବୀସାରା ଯେତେ କ୍ୟାନ୍ସର ରୋଗୀ ଅଛନ୍ତି, ସେଥିରୁ ୨୦ ପ୍ରତିଶତ ରୋଗୀ ଭାରତୀୟ । କ୍ୟାନ୍ସର ଯୋଗୁଁ ପ୍ରତିବର୍ଷ ୭୫ ହଜାର ଲୋକ ପ୍ରାଣ ହରାଉଛନ୍ତି । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ’) ରିପୋର୍ଟରେ ଏଭଳି ତଥ୍ୟ ଦିଆଯାଇଛି । ସେଥିରେ କୁହାଯାଇଛି ଯେ ଭାରତରେ କ୍ୟାନ୍ସର ରୋଗୀ ସଂଖ୍ୟା ଦ୍ରୁତବେଗରେ ବଢ଼ୁଛି । ଦେଶରେ ଗତ ୮ ବର୍ଷରେ ୩୦ କୋଟି ଗୁରୁତର କ୍ୟାନ୍ସର ମାମଲା ସାମ୍ନାକୁ ଆସିଥିବା ଦୃଷ୍ଟିରୁ ସ୍ଥିତି କେତେ ବିକରାଳ ଅନୁମାନ କରାଯାଇପାରେ ।
ହୁ’ ରିପୋର୍ଟରେ ଦର୍ଶାଯାଇଛି ଯେ, ଅନେକ କ୍ୟାନସର ରୋଗୀ ଚିକିତ୍ସା ସୁବିଧା ପାଇପାରୁନାହାନ୍ତି । ପୀଡ଼ିତ ହେବାର ପ୍ରଥମ ପର୍ଯ୍ୟାୟରେ କ୍ୟାନ୍ସର ଚିହ୍ନଟ ହୋଇପାରୁନାହିଁ । କୀଟନାଶକର ବ୍ୟାପକ ପ୍ରୟୋଗ, ଅନିୟମିତ ଦିନଚର୍ଯ୍ୟା, ଧୂମପାନ ଓ ଗୁଟ୍ଖା-ତମାଖୁ ସେବନ ଯୋଗୁଁ କ୍ୟାନସର ରୋଗୀସଂଖ୍ୟା କ୍ରମାଗତ ବଢ଼ୁଛି । ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବ୍ୟା ଗତବର୍ଷ ଡିସେମ୍ବର ୧୩ ତାରିଖ ଦିନ ରାଜ୍ୟସଭାରେ କହିଥିଲେ ଯେ ଭାରତୀୟ ଭେଷଜ ଗବେଷଣା ପରିଷଦ (ଆଇସିଏମ୍ଆର୍) ରାଷ୍ଟ୍ରୀୟ କ୍ୟାନ୍ସର ପଞ୍ଜୀକରଣ କାର୍ଯ୍ୟକ୍ରମ ଅନୁଯାୟୀ, ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶର କ୍ୟାନସର ମାମଲାର ବିସ୍ତୃତ ବିବରଣୀ ମିଳିଛି । ବିବରଣୀ ଅନୁଯାୟୀ, ୨୦୨୦ରେ ୧୩,୯୨,୧୭୯ କ୍ୟାନସର ରୋଗୀ ଥିଲେ । ସେବର୍ଷ ଭିତରୁ ୭,୭୦,୨୩୦ ଜଣଙ୍କ ମୃତୁ୍ୟ ହୋଇଥିଲା । ୨୦୨୧ରେ କ୍ୟାନସର ରୋଗୀ ସଂଖ୍ୟା ୧୪,୨୬,୪୪୭କୁ ଏବଂ ୨୦୨୨ରେ ୧୪,୬୧,୪୨୭କୁ ବୃଦ୍ଧି ପାଇଛି । ଅର୍ଥାତ୍ ରୋଗୀ ସଂଖ୍ୟା ପ୍ରତିବର୍ଷ ୧୨.୮ ପ୍ରତିଶତ ବଢ଼ୁଛି । ଆକଳନ ଅନୁଯାୟୀ ୨୦୨୫ରେ ଭାରତରେ କ୍ୟାନସର ୧୫,୬୯,୭୯୩ ଜଣଙ୍କ ମୃତୁ୍ୟର କାରଣ ହେବ । ବିଭିନ୍ନ କ୍ୟାନସର ଚିହ୍ନଟ କେନ୍ଦ୍ରରୁ ମିଳିଥିବା ତଥ୍ୟ ଅନୁସାରେ ୧୬ କୋଟି ଲୋକ ମୁଖଗହ୍ୱର କର୍କଟରେ ପୀଡ଼ିତ । ୮ କୋଟି ବ୍ରେଷ୍ଟ କ୍ୟାନ୍ସର ଓ ୫.୫୩ କୋଟି ସର୍ଭାଇକଲ୍ କ୍ୟାନସର ମାମଲା ସାମ୍ନାକୁ ଆସିଛି ବୋଲି ମନ୍ତ୍ରୀ ସୂଚନା ଦେଇଥିଲେ ।
ଆମେରିକାର ଓହିଓ ସ୍ଥିତ କ୍ଲିବ୍ଲାଣ୍ଡ କ୍ଲିନିକ୍ର କ୍ୟାନ୍ସର ବିଭାଗ ଅଧ୍ୟକ୍ଷ ଡାକ୍ତର ଜାମେ ଆବ୍ରାହମ୍ଙ୍କ ମତରେ ଆଗାମୀ ଦିନରେ ଭାରତରେ କ୍ୟାନସର ସୁନାମୀ ଦେଖାଦେଇପାରେ । ଭାରତୀୟ ଆୟୁର୍ବିଜ୍ଞାନ ଅନୁସନ୍ଧାନ ପରିସର ରିପୋର୍ଟରେ କୁହାଯାଇଛି ଯେ, ଆସନ୍ତା ୫ ବର୍ଷ ଭିତରେ ଭାରତରେ କ୍ୟାନସର ରୋଗୀ ସଂଖ୍ୟା ୧୨ ପ୍ରତିଶତ ବଢ଼ିବ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *