ବଢିଲା କଲେଜ ଗ୍ରାଣ୍ଟ୍-ଇନ୍-ଏଡ୍

୧୨ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି
ଭୁବନେଶ୍ୱର, ୨୧ା୧(ବୁ୍ୟରୋ): ଶନିବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ବୈଠକରେ ୯ ବିଭାଗର ୧୨ଟି ପ୍ରସ୍ତାବକୁ ମଞ୍ଜୁର କରାଯାଇଛି । ଏହିକ୍ରମରେ ଅନୁଦାନପ୍ରାପ୍ତ ବେସରକାରୀ କଲେଜ ଅଧ୍ୟାପକ ଓ କର୍ମଚାରୀଙ୍କ ଦରମା ବୃଦ୍ଧି ପାଇଁ ନିଷ୍ପତ୍ତି ନିଆଯାଇଛି । ବର୍ଦ୍ଧିତ ଦରମା ପିଛିଲା ତାରିଖରୁ ଅର୍ଥାତ୍ ୨୦୨୨ ଜାନୁଆରୀ ୧ରୁ ଲାଗୁ ହେବ ।
କ୍ୟାବିନେଟ୍ ବୈଠକର ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ ରାଜ୍ୟ ଉନ୍ନୟନ କମିଶନର ପ୍ରଦୀପ କୁମାର ଜେନା କହିଛନ୍ତି, ଯେଉଁ ଶିକ୍ଷକ ଏବଂ ଅଣଶିକ୍ଷକ କର୍ମ·ରୀମାନେ ୨୦୦୮ ନିୟମ ଅନୁସାରେ ଦରମା ପାଇଆସୁଥିଲେ, ସେମାନଙ୍କ ଅସନ୍ତୋଷକୁ ଦୃଷ୍ଟିରେ ରଖି ୨୦୧୭ ନିୟମ ଅନୁସାରେ ଦରମା ବୃଦ୍ଧି କରାଯାଇଛି । ସପ୍ତମ ବେତନ ହାର ନିୟମ ଅନୁସାରେ ସେମାନେ ୨୦୨୨ ଜାନୁଆରୀ ୧ରୁ ବର୍ଦ୍ଧିତ ଦରମା ପାଇବେ । ଏହାଦ୍ୱାରା ସରକାର ଅଧିକ ୨୯୦ କୋଟିର ବ୍ୟୟ ବୋଝ ମୁଣ୍ଡାଇବେ । ନିଷ୍ପତ୍ତି ଫଳରେ ୧୫,୭୭୧ ଜଣ ଶିକ୍ଷକ ଓ କର୍ମଚାରୀ ଉପକୃତ ହେବେ ।
ଅନ୍ୟ ଏକ ନିଷ୍ପତ୍ତି ଅନୁଯାୟୀ, କେନ୍ଦ୍ର ସରକାରଙ୍କ ଓବିସି (ଅନ୍ୟାନ୍ୟ ପଛୁଆବର୍ଗ) ତାଲିକାରେ ଓଡ଼ିଶାର ଯେଉଁସବୁ ଜାତିକୁ ସାମିଲ କରାଯାଇଛି, ସେସମସ୍ତ ଜାତିକୁ ରାଜ୍ୟ ସରକାରଙ୍କ ଏସ୍ଇବିସି (ସାମାଜିକ ଓ ଶିକ୍ଷାଗତ ପଛୁଆ ବର୍ଗ) ତାଲିକାରେ ରଖିବା ପାଇଁ ଓଡ଼ିଶା ପଛୁଆବର୍ଗ କମିଶନ ଆଇନରେ ସଂଶୋଧନ କରାଯିବ । ଫଳତଃ କେନ୍ଦ୍ର ସରକାରଙ୍କ ଓବିସି ତାଲିକାରେ ଥିବା ୨୨ଟି ଜାତି ରାଜ୍ୟ ସରକାରଙ୍କ ଏସ୍ଇବିସି ତାଲିକାରେ ସାମିଲ ହେବେ । ସମ୍ବିଧାନର ଧାରା ୧୫(୪) ପଛୁଆବର୍ଗମାନଙ୍କ ନିମନ୍ତେ ସ୍ୱତନ୍ତ୍ର ବ୍ୟବସ୍ଥା କରିବା ପାଇଁ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରିଛି । ଏହାସହିତ ରାଜ୍ୟର ଦୁର୍ବଳ ବର୍ଗ ଲୋକଙ୍କୁ ସମସ୍ତ ପ୍ରକାରର ଶୋଷଣରୁ ସୁରକ୍ଷା ଦେବା ପାଇଁ ସମ୍ବିଧାନର ଧାରା ୪୬ରେ ରାଜ୍ୟ ସରକାରଙ୍କୁ କ୍ଷମତା ପ୍ରଦାନ କରାଯାଇଛି । ଏବେ ଓଡ଼ିଶାର ୨୨ଟି ଜାତି, ସମ୍ପ୍ରଦାୟ ଓ ଏହାର ସମାର୍ଥକ ଜାତିଗୁଡ଼ିକ ଭାରତ ସରକାରଙ୍କ ବିଭିନ୍ନ ବିଜ୍ଞପ୍ତି ମାଧ୍ୟମରେ ଓଡ଼ିଶା ରାଜ୍ୟ ପାଇଁ ଓବିସି ତାଲିକାଭୁକ୍ତ ହୋଇଥିଲେ ମଧ୍ୟ ରାଜ୍ୟ ସରକାରଙ୍କ ଏସ୍ଇବିସି ତାଲିକାରେ ନାହାନ୍ତି । ସେମାନଙ୍କୁ ରାଜ୍ୟ ସରକାରଙ୍କ ଏସ୍ଇବିସି ତାଲିକାରେ ରଖିବାର ଆବଶ୍ୟକତା ଥିବାରୁ ଓଡ଼ିଶା ରାଜ୍ୟ ପଛୁଆବର୍ଗ ଅଧିନିୟମ-୧୯୯୩ର ଧାରା -୯ ଉପଧାରା-୩କୁ ଅନ୍ତର୍ଭୁକ୍ତ କରିବା ସମ୍ବନ୍ଧୀୟ ସଂଶୋଧନ ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛନ୍ତି ।ଳତଃ ଏସ୍ଇବିସି ତାଲିକାଭୁକ୍ତ ଜାତି ସଂଖ୍ୟା ୨୩୦କୁ ବୃଦ୍ଧି ପାଇବ ।
କ୍ୟାବିନେଟ୍ ମଞ୍ଜୁରି ମିଳିଥିବା ଅନ୍ୟ ପ୍ରସ୍ତାବ ମଧ୍ୟରେ ଗ୍ରାମୀଣ ପାଇପ ଜଳ ଯୋଗାଣରେ ୨ଟି ପ୍ରକଳ୍ପକୁ ଅନୁମୋଦନ ଅନ୍ତର୍ଭୁକ୍ତ । ଯାଜପୁରର ବରୀ ଓ କୋରେଇ ବ୍ଲକରେ ନିର୍ମାଣ ହେବ ଏହି ପ୍ରକଳ୍ପ । ୫ ବର୍ଷରେ ପ୍ରକଳ୍ପ କାର୍ଯ୍ୟ ଶେଷ ହେବ । ସେହିପରି ନୟାଗଡ଼ରେ ୩ଟି ଓ ମାଲକାନଗିରିରେ ୪ଟି ପାନୀୟଜଳ ପ୍ରକଳ୍ପକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି । ନୟାଗଡ଼ର ଦଶପଲା, ଗଣିଆ ଓ ନୂଆଗାଁ ଏବଂ ମାଲକାନଗିରି ଜିଲ୍ଲାର ଖଇରିପୁଟ, ମାଲକାନଗିରି, ମାଥିଲି ଓ କାଲିମେଳାରେ ଏହି ପ୍ରକଳ୍ପ ହେବ ।
କ୍ୟାନସର ରୋଗୀଙ୍କ ରହଣି ପାଇଁ ଜମି ଯୋଗାଇ ଦେବେ ସରକାର । ବାଗଚୀ ଶ୍ରୀଶଙ୍କର କ୍ୟାନସର କେୟାର ସେଣ୍ଟରକୁ ୨ ଏକର ଜମି ମିଳିବ । ଚିକିତ୍ସା ବେଳେ ରୋଗୀ ରହିବା ପାଇଁ ଏହି ଜମିରେ ଘର ନିର୍ମାଣ କରାଯିବ । ଜଳେଶ୍ୱର ଗୋବରୀ ଘାଟରେ ସୁବର୍ଣ୍ଣରେଖା ନଦୀରେ ନିର୍ମାଣ ହେବ ବ୍ରିଜ୍ । ଏଥିପାଇଁ ପାଇଁ ଆହ୍ୱାନ କରାଯାଇଥିବା ଟେଣ୍ଡରକୁ କ୍ୟାବିନେଟ୍ ବୈଠକ ଅନୁମୋଦନ କରିଛି ।
ଓଡ଼ିଶା ଗ୍ରୁପ-ବି କର୍ମଚାରୀ ନିଯୁକ୍ତି ଓ ସେବା ସର୍ତ୍ତରେ ସଂଶୋଧନ, ଜିଏସ୍ଟି ଓ ସିଟିରେ ଡାଟା ଏଣ୍ଟ୍ରି ଅପରେଟର ନିଯୁକ୍ତି ଅଧିନିୟମରେ ସଂଶୋଧନ, ଓଡ଼ିଶା ଖାଦ୍ୟ ପରୀକ୍ଷାଗାର କର୍ମଚାରୀ ନିଯୁକ୍ତି ଅଧିନିୟମରେ ସଂଶୋଧନ, ଓଏସ୍ଜେଏସ୍ ଓ ଓଜେଏସ୍ ସେବା ଅଧିନିୟମରେ ସଂଶୋଧନ ଏବଂ ଖଣି, ଭୂତତ୍ତ୍ୱ ସେବା ନିଦେ୍ର୍ଦଶାଳୟର ୫ଟି କ୍ୟାଡର ନିଯୁକ୍ତିରେ ସଂଶୋଧନ ସଂପର୍କିତ ପ୍ରସ୍ତାବକୁ କ୍ୟାବିନେଟ୍ ମଞ୍ଜୁରି ମିଳିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *