୧୯ ପୁଲିସ୍ କର୍ମୀ ଗୁରୁତର
ଆଇଏସ୍ଏଫ୍- ଟିଏମ୍ସି କର୍ମୀ ତୁମୁଳକାଣ୍ଡ
କୋଲକାତା (ଏଜେନ୍ସି): ଶନିବାର ଇଣ୍ଡିଆନ୍ ସିକୁ୍ୟଲାର ଫ୍ରଣ୍ଟ୍ (ଆଇଏସ୍ଏଫ୍) କର୍ମୀ ଏବଂ କୋଲକାତା ପୁଲିସ୍ ମଧ୍ୟରେ ତୁମୁଳ କାଣ୍ଡ ସଂଘର୍ଷ ସଂଘଠିତ ହୋଇଯାଇଛି । ଏହି ଘଟଣାରେ ଉଭୟ ପକ୍ଷର ଅନେକ ଆହତ ହୋଇଛନ୍ତି । ପ୍ରାପ୍ତ ସୂଚନାନୁସାରେ ଶନିବାର ଅପରାହ୍ନରେ ଆଇଏସ୍ଏଫ୍ ଏବଂ ଶାସକ ଦଳ ତୃଣମୂଳ କଂଗ୍ରେସ (ଟିଏମ୍ସି)କର୍ମୀଙ୍କ ମଧ୍ୟରେ ଭାଙ୍ଗୋର ଅଞ୍ଚଳରେ ଦଳୀୟ ପତାକା ଉଡାଇବାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା । ପରେ ଏହା ଉତ୍ତେଜକ ରୂପ ଧାରଣ କରିଥିଲା । ସ୍ଥିତି ସମ୍ଭାଳିବାକୁ ଘଟଣାସ୍ଥଳକୁ ପୁଲିସ୍ ଟିମ୍ ଆସିଥିବା ବେଳେ ଆଇଏସ୍ଏଫ୍ ବିଧାୟକ ନୌସଦ୍ ସିଦ୍ଦିକ୍ଙ୍କୁ ଗିରଫ କରିଥିଲା । ଏହାକୁ ବିରୋଧ କରିବା ଆଳରେ ଆଇଏସ୍ଏଫ୍ କର୍ମୀ ପୁଲିସ୍ ଟିମ୍ ଉପରେ ଆକ୍ରମଣ କରିଦେଇଥିଲେ । ଏହି ଘଟଣାରେ ୧୯ ପୁଲିସ୍ କର୍ମୀ ଆହତ ହୋଇଛନ୍ତି । ଏମାନଙ୍କ ମଧ୍ୟ ୩ ଆଇପିଏସ୍ ସ୍ତରର ଅଧିକାରୀ ମଧ୍ୟ ସାମିଲ ଅଛନ୍ତି । ପୁଲିସ୍ ମଧ୍ୟ ବାଧ୍ୟହୋଇ ଲାଠିଚାର୍ଜ କରିଥିବା ବେଳେ ଏଥିରେ ଅନେକ ଆଇଏସ୍ଏଫ୍ ଏବଂ ଟିଏମ୍ସି କର୍ମୀମାନେ ଆହତ ହୋଇଛନ୍ତି । ପୁଲିସ୍ ପକ୍ଷରୁ ଲୁହବୁହା ଗ୍ୟାସ୍ ମଧ୍ୟ ପ୍ରୟୋଗ କରାଯାଇଥିଲା । ତେବେ ଏହି ଘଟଣାକୁ ନେଇ ବିରୋଧୀ ବିଜେପି କିନ୍ତୁୂ ଶାସକ ଦଳକୁ ତୀବ୍ର ସମାଲୋଚନା କରିଛି । ଏସବୁ ପଛରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହାତ ଥିବା ବିଜେପି ନେତା ଶୁଭେନ୍ଦୁ ଅଧିକାରୀ କହିଛନ୍ତି ।