କଳା ଓ ହସ୍ତଶିଳ୍ପର ରାଜ୍ୟ ଓଡ଼ିଶା
ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଉଦ୍ଘାଟିତ
ଯାଜପୁର, ୨ଠା୧ (ଆପ୍ର): ଯାଜପୁର ହେଉଛି ଓଡ଼ିଶାର ପୁରାତନ ରାଜଧାନୀ । ଓଡ଼ିଶା ହେଉଛି କଳା ଏବଂ ହସ୍ତଶିଳ୍ପର ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ।
ରାଜ୍ୟ ହସ୍ତତନ୍ତ, ବସ୍ତ୍ର ଏବଂ ହସ୍ତଶିଳ୍ପ ବିଭାଗ ପକ୍ଷରୁ ଶୁକ୍ରବାର ଏଠାରେ ଆୟୋଜିତ ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀକୁ ଭିଡିଓ କନ୍ଫରେନ୍ସିଂ ମାଧ୍ୟମରେ ଉଦ୍ଘାଟନ କରି ମୁଖ୍ୟମନ୍ତ୍ରୀ କହିଛନ୍ତି, ଏହା ଏକ ଐତିହାସିକ ଅବସର । ଆମ ସଭ୍ୟତାର ଯାତ୍ରା ହେଉଛି ଆମ କଳା ସଂସ୍କୃତିର ଯାତ୍ରା । ଆମ କାରିଗରମାନଙ୍କର କଳାକୌଶଳ ଅନେକ କ୍ଷେତ୍ରରେ ପ୍ରତିଫଳିତ ହୁଏ । ଏହାକୁ ଆମ ମନ୍ଦିର, ମୂର୍ତ୍ତି, ବୌଦ୍ଧ ମନ୍ଦିର, ହାତବୁଣା ପୋଷାକ, ପଟ୍ଟ ଚିତ୍ର, କାଠକାମ, ଧାତୁକାମ ସବୁଠାରେ ପାଇପାରିବେ । ପ୍ରତ୍ୟେକ ଗାଁ, ପ୍ରତ୍ୟେକ ଗଳିରେ କିଛି ନା କିଛି କଳା କିମ୍ବା ହସ୍ତଶିଳ୍ପର ଝଲକ୍ ଦେଖିବାକୁ ମିଳେ । ଓଡ଼ିଶାର ଆତ୍ମା ଆମର କଳା, ହସ୍ତଶିଳ୍ପ, ସଙ୍ଗୀତ ଏବଂ ସଂସ୍କୃତିରେ ଜୀବନ୍ତ ରହିଛି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ କହିଛନ୍ତି ।
ଉଦଘାଟନୀ ଉତ୍ସବରେ ବିଭାଗୀୟ ମନ୍ତ୍ରୀ ରୀତା ସାହୁ, ଗ୍ରାମ୍ୟ ଉନ୍ନୟନ ଓ ଦକ୍ଷତା ବିକାଶ ମନ୍ତ୍ରୀ ପ୍ରୀତିରଞ୍ଜନ ଘଡ଼ାଇ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବଲିଉଡ୍ ଅଭିନେତ୍ରୀ ଦିୟା ମିର୍ଜାଙ୍କ ସମେତ ବହୁ ମାଣ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ । ଏଥିରେ ଭାରତ ସମେତ ୧୬ ଦେଶର ପ୍ରତିନିଧି, ୨୦ ଅନ୍ତର୍ଜାତୀୟ କଳାକାର, ୫୦ରୁ ଅଧିକ ବକ୍ତା, ସ୍ଥାନୀୟ ଅଞ୍ଚଳର ଶତାଧିକ କାରିଗର ଓ ପ୍ରତିନିଧି ସାମିଲ ହୋଇଛନ୍ତି । ରାଜ୍ୟରେ ପ୍ରଥମ ଥର ଆୟୋଜିତ ଏହି ଅନ୍ତର୍ଜାତୀୟ ହସ୍ତଶିଳ୍ପ ସମ୍ମିଳନୀ ଶୁକ୍ରବାର ଓ ଶନିବାର ୨ ଦିନ ·ଲିବ ।
ହସ୍ତଶିଳ୍ପରେ ଓଡ଼ିଶାକୁ ଏକ ଗ୍ଲୋବାଲ ବ୍ରାଣ୍ଡ ଭାବରେ ସ୍ଥାନିତ କରିବା ପାଇଁ ଏଭଳି ସମ୍ମିଳନୀର ଅୟୋଜନ କରାଯାଇଛି । ସମ୍ମିଳନୀର ପ୍ରଥମ ସଂସ୍କରଣ ଯାଜପୁରର ବ୍ୟାସନଗରରେ ହେଉଛି ଓ ଏଥିରେ ୟୁଏନ୍ଡିପି, ୟୁନେସ୍କୋ, ୟୁଏନ୍ହାବିଟାଟ୍, ୟୁନିସେଫ୍ ସଙ୍ଗଠନର ବିଶେଷଜ୍ଞ ଏବଂ ଅନ୍ତର୍ଜାତୀୟ କଳାକାରମାନେ ଅଂଶଗ୍ରହଣ କରିଛନ୍ତି ।