ଗୋଲ୍ ବର୍ଷା କରି କ୍ୱାର୍ଟରରେ ଅଷ୍ଟ୍ରେଲିଆ

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩
ରାଉରକେଲା, ୨୦ା୧ (ଆପ୍ର): ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଶୁକ୍ରବାର ବିର୍ସା ମୁଣ୍ଡା ହକି ଷ୍ଟାଡିୟମ୍ ଠାରେ ଅଷ୍ଟ୍ରେଲିଆ ନିଜ ଶେଷ ପୁଲ୍ ମ୍ୟାଚ୍ରେ ଦକ୍ଷିଣ ଆଫ୍ରିକାକୁ ୯-୨ର ବଡ଼ ବ୍ୟବଧାନରେ ହରାଇ ସିଧାସଳଖ କ୍ୱାର୍ଟର-ଫାଇନାଲ୍ରେ ପ୍ରବେଶ କରିଛି । ସର୍ବାଧିକ ଚାରି ଗୋଲ୍ କରିଥିବା ଅଷ୍ଟ୍ରେଲିଆର ବ୍ଲାକ୍ ଗ୍ଲୋଭର୍ସ ‘ପ୍ଲେୟାର୍ ଅଫ୍ ଦ ମ୍ୟାଚ୍’ ବିବେଚିତ ହୋଇଛନ୍ତି ।
ପୁଲ୍-ଏ’ରେ ଅଷ୍ଟ୍ରେଲୀୟ ଟିମ୍ ତିନି ମ୍ୟାଚ୍ରୁ ଦୁଇ ବିଜୟ ଓ ଗୋଟିଏ ଡ୍ର’ ସହ ୭ ପଏଣ୍ଟ ପାଇ ଟପ୍ପର ହୋଇଛି । ଟିମ୍ ଆସନ୍ତା ୨୪ରେ ପ୍ରଥମ କ୍ୱାର୍ଟର୍-ଫାଇନାଲ୍ ଖେଳିବ । ଅଷ୍ଟ୍ରେଲିଆ ପୁଲ୍ ପର୍ଯ୍ୟାୟରେ ମୋଟ୍ ୨୦ ଗୋଲ୍ କରିଥିବା ବେଳେ ମାତ୍ର ୩ ଗୋଲ୍ ଖାଇଥିଲା । ଅନ୍ୟପଟେ, କୌଣସି ପଏଣ୍ଟ ପାଇ ନ ଥିବା ଦକ୍ଷିଣ ଆଫ୍ରିକାର ଅଭିଯାନ ଶେଷ ହୋଇଛି । ଆର୍ଜେଣ୍ଟିନା ୫ ପଏଣ୍ଟ ପାଇ ଦ୍ୱିତୀୟ ଓ ଫ୍ରାନ୍ସ ୪ ପଏଣ୍ଟ ପାଇ ତୃତୀୟ ସ୍ଥାନରେ ରହିଥିଲା । ଉଭୟ ଟିମ୍ କ୍ରସ୍ଓଭର୍ ମ୍ୟାଚ୍ ଖେଳିବେ ।
ଏହା ପୂର୍ବରୁ ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ନଅ ଥର ମୁକାବିଲା ହୋଇଥିଲା । ସେଥିମଧ୍ୟରୁ କଙ୍ଗାରୁ ଟିମ୍ ଆଠ ମ୍ୟାଚ୍ ଜିତିଥିବା ବେଳେ ଅନ୍ୟ ଏକ ମ୍ୟାଚ୍ ଡ୍ର’ ରହିଥିଲା । ଶେଷ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ ଏବଂ ଅଷ୍ଟ୍ରେଲିଆ ୩-୦ରେ ବାଜିମାତ୍ କରିଥିଲା । ଅଷ୍ଟ୍ରେଲୀୟ ଟିମ୍ ଦକ୍ଷିଣ ଆଫ୍ରିକା ବିପକ୍ଷ ବିଜୟଧାରାକୁ ବଜାୟ ରଖିଛି । ଚଳିତ ବିଶ୍ୱକପ୍ରେ ବିଶ୍ୱର ଏକ ନମ୍ବର ଟିମ୍ ଅଷ୍ଟ୍ରେଲିଆ ୮-୦ରେ ଫ୍ରାନ୍ସକୁ ହରାଇ ଜୋର୍ଦାର ଢଙ୍ଗରେ ଅଭିଯାନ ଆରମ୍ଭ କରିଥିବା ବେଳେ ଆର୍ଜେଣ୍ଟିନା ବିପକ୍ଷ ଦ୍ୱିତୀୟ ମ୍ୟାଚ୍କୁ ୩-୩ରେ ଡ୍ର’ ରଖିଥିଲା । ଅନ୍ୟପଟେ, ୧୫ତମ ଟିମ୍ ଦକ୍ଷିଣ ଆଫ୍ରିକା ପ୍ରଥମ ମ୍ୟାଚ୍ରେ ଆର୍ଜେଣ୍ଟିନା ଠାରୁ ୦-୧ ଓ ଫ୍ରାନ୍ସ ଠାରୁ ୧-୨ରେ ପରାଜିତ ହୋଇଥିଲା । ଅଷ୍ଟ୍ରେଲିଆ ପକ୍ଷରୁ ବ୍ଲାକ୍ ଗୋଭର୍ସ (୩ୟ, ୧୪ତମ, ୧୮ତମ ଓ ୧୯ତମ ମିନିଟ୍) ଚାରିଟି ଗୋଲ୍ ଦେଇଥିବା ବେଳେ ଟମ୍ କ୍ରେଗ୍ (୯ମ), ଜ୍ୟାକ୍ ହାର୍ଭୀ (୨୧ତମ), ନାଥନ୍ ଏମ୍ଫ୍ରାଉମ୍ସ (୨୭ତମ), ଜେରେମୀ ହେୱାର୍ଡ (୩୧ତମ), ଟିମ୍ ବ୍ରାଣ୍ଡ୍ (୪୬ତମ) ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ । ଜବାବରେ ଦକ୍ଷିଣ ଆଫ୍ରିକା ପକ୍ଷରୁ ନୋବିଲି ନୁଲି (୭ମ) ଓ ଟେଭିନ୍ କୋକ୍ (୫୭ତମ) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ ।
ଆକ୍ରମଣାତ୍ମକ ଶୈ÷ଳୀରେ ମ୍ୟାଚ୍ ଆରମ୍ଭ କରି ତୃତୀୟ ମିନିଟ୍ରେହିଁ ଅଗ୍ରଣୀ ହୋଇଥିଲା ଅଷ୍ଟ୍ରେଲିଆ । ବ୍ଲାକ୍ ଗ୍ଲୋଭର୍ସ ଏକ ଫିଲ୍ଡ ଗୋଲ୍ ଦେଇଥିଲେ । ତେବେ ଏହାର ଚାରି ମିନିଟ୍ ପରେ ଗୋଲ୍ ପରିଶୋଧ କରିଥିଲା ଦକ୍ଷିଣ ଆଫ୍ରିକା । ନୋବିଲି ନୁଲି ଏକ ସୁନ୍ଦର ଫିଲ୍ଡ ଗୋଲ୍ କରିଥିଲେ । କିନ୍ତୁ ଆଫ୍ରିକୀୟ ଟିମ୍ର ଏହି ଖୁସି ମାତ୍ର ଦୁଇ ମିନିଟ୍ ରହିଥିଲା । ନବମ ମିନିଟ୍ରେ ଟମ୍ କ୍ରେଗ୍ ଏକ ଫିଲ୍ଡ ଗୋଲ୍ କରି ଅଷ୍ଟ୍ରେଲିଆକୁ ପୁନର୍ବାର ଅଗ୍ରଣୀ କରିଥିଲେ । ଏହା ପର ମିନିଟ୍ରେ ଦକ୍ଷିଣ ଆଫ୍ରିକା ଦ୍ୱିତୀୟ ପିସି ଜିତିଥିଲା; ହେଲେ ଏହା ନିଷ୍ଫଳ ହୋଇଥିଲା ।
ପ୍ରଥମ କ୍ୱାର୍ଟର ଶେଷ ହେବାକୁ ଏକ ମିନିଟ୍ ଥିବା ବେଳେ ଅଷ୍ଟ୍ରେଲିଆକୁ ପ୍ରଥମ ପେନାଲ୍ଟି କର୍ଣ୍ଣର ମିଳିଥିଲା । ବ୍ଲାକ୍ ଏହାକୁ ଗୋଲ୍ରେ ପରିଣତ କରିବାରେ ଆଦୌ ତ୍ରୁଟି କରି ନ ଥିଲେ । ଫଳରେ ତିନି ଥର ବିଜେତା ଅଷ୍ଟ୍ରେଲିଆ ସ୍କୋର୍ଲାଇନ୍କୁ ୩-୧ରେ ପହଞ୍ଚାଇଥିଲା ।
ଦ୍ୱିତୀୟ କ୍ୱାର୍ଟରରେ ଅଷ୍ଟ୍ରେଲୀୟ ଟିମ୍ର ଆକ୍ରମଣାତ୍ମକତା ବଢ଼ିଥିଲା, ଯଦ୍ଦ୍ୱାରା ଟିମ୍ ଆଉ ଚାରି ଗୋଲ୍ ଦେବାରେ ସଫଳ ହୋଇଥିଲା । ଏହି କ୍ୱାର୍ଟରର ଦ୍ୱିତୀୟ ମିନିଟ୍ରେ ଅଷ୍ଟ୍ରେଲିଆ ଦ୍ୱିତୀୟ ପିସି ପାଇଥିଲା । ଏଥିରୁ ଗୋଲ୍ ହୋଇ ନ ଥିଲା; କିନ୍ତ ଏହା ପର ମିନିଟ୍ରେ ଏକ ପେନାଲ୍ଟି ଷ୍ଟ୍ରୋକ୍ ମିଳିଥିଲା, ଯେଉଁଥିରୁ ବ୍ଲାକ୍ ବ୍ୟକ୍ତିଗତ ତୃତୀୟ ତଥା ଟିମ୍ ପକ୍ଷରୁ ଚତୁର୍ଥ ଗୋଲ୍ କରିଥିଲେ । ୧୮ତମ ମିନିଟ୍ରେ ଆଉ ଦୁଇଟି ପିଏସ୍ ମଧ୍ୟ ମିଳିଥିଲା । ଅବଶ୍ୟ ଏହା କାମରେ ଆସି ନ ଥିଲା ।
ଏହାପରେ ତିନି ମିନିଟ୍ ମଧ୍ୟରେ ଅଷ୍ଟ୍ରେଲିଆ ଆଉ ଦୁଇ ଗୋଲ୍ ଦେଇ ୬-୧ରେ ଅଗ୍ରଣୀ ହାସଲ କରିଥିଲା । ୧୯ତମ ମିନିଟ୍ରେ ବ୍ଲାକ୍ ବ୍ୟକ୍ତିଗତ ଚତୁର୍ଥ ଗୋଲ୍ କରିଥିବା ବେଳେ ୨୧ତମ ମିନିଟ୍ରେ ଜ୍ୟାକ୍ ମାର୍ଭି ଟିମ୍ ପକ୍ଷରୁ ଷଷ୍ଠ ଗୋଲ୍ ଦେଇଥିଲେ । ଇତ୍ୟବସରେ ୨୦ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକା ଏକ ପିଏସ୍ ଜିତିଥିଲା; କିନ୍ତୁ ଏହା ନିଷ୍ଫଳ ହୋଇଥିଲା । ଅଷ୍ଟ୍ରେଲିଆ ୨୭ତମ ମିନିଟ୍ରେ ତୃତୀୟ ପିସି ହାସଲ କରିଥିଲା ଏବଂ ନାଥନ୍ ଏମ୍ଫ୍ରାଉମ୍ସ ଏହାକୁ ଗୋଲ୍ରେ ପରିଣତ କରି ମ୍ୟାଚ୍କୁ ଦକ୍ଷିଣ ଆଫ୍ରିକା ଠାରୁ ବହୁ ଦୂରକୁ ନେଇଯାଇଥିଲେ । ମଧ୍ୟାନ୍ତର ସୁଦ୍ଧା ଅଷ୍ଟ୍ରେଲିଆ ୭-୧ରେ ଆଗରେ ଥିଲା । ପାଶ୍ୱର୍ ପରିବର୍ତ୍ତନ ପରେ ବି ବିଶ୍ୱର ଶୀର୍ଷ ଟିମ୍ର ଆଧିପତ୍ୟ ବଜାୟ ରହିଥିଲା । ତୃତୀୟ କ୍ୱାର୍ଟରର ପ୍ରଥମ ମିନିଟ୍ରେହିଁ ପିସିରୁ ଗୋଲ୍ କରିଥିଲେ ଜେରେମୀ ହେୱାର୍ଡ । କଙ୍ଗାରୁ ଟିମ୍ର ଏହା ଅଷ୍ଟମ ଗୋଲ୍ ଥିଲା । ୩୨ତମ ଓ ୩୭ତମ ମିନିଟ୍ରେ ମଧ୍ୟ ଟିମ୍ ଆଉ ଦ୍ୁଇଟି ପିସି ଜିତିଥିଲା । ଇତ୍ୟବସରେ ୩୨ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକାର ନିକୋଲାସ୍ ସ୍ପୁନର୍ଙ୍କୁ ୟେଲୋ କାର୍ଡ ପ୍ରଦର୍ଶନ କରାଯାଇଥିଲା । ଚତୁର୍ଥ ତଥା ଅନ୍ତିମ କ୍ୱାର୍ଟରରେ ଦକ୍ଷିଣ ଆଫ୍ରିକା ସଅଳ ପିସି ହାସଲ କରିଥିଲା; ହେଲା ଏହା ବି ବିଫଳ ହୋଇଥିଲା । ୪୬ତମ ମିନିଟ୍ରେ ଟିମ୍ ବ୍ରାଣ୍ଡ୍ ଅଷ୍ଟ୍ରେଲିଆ ପକ୍ଷରୁ ନବମ ସ୍କୋର୍ କରିଥିଲେ । ତାଙ୍କ ଚିତ୍ତାକର୍ଷକ ଫିଲ୍ଡ ଗୋଲ୍ ଆଗରେ ଦକ୍ଷିଣ ଆଫ୍ରିକା ପାଖରେ କୌଣସି ଜବାବ ନ ଥିଲା । ଏହାର ଏକ ମିନିଟ୍ ପରେ ନୋବିଲିଙ୍କୁ ରେଫରୀ ଗ୍ରୀନ୍କାର୍ଡ ଦେଖାଇଥିଲେ ।
୫୩ତମ ମିନିଟ୍ରେ ଦକ୍ଷିଣ ଆଫ୍ରିକା କ୍ରମାଗତ ଦୁଇଟି ପିସି ଜିତିଥିଲା; କିନ୍ତୁ ଏଥିରେ ଗୋଲ୍ ହୋଇ ନ ଥିଲା । ମ୍ୟାଚ୍ ଶେଷ ହେବାକୁ ତିନି ମିନିଟ୍ ଥିବା ବେଳେ ଟେଭିନ୍ କୋକ୍ ଦକ୍ଷିଣ ଆଫ୍ରିକା ପକ୍ଷରୁ ଦ୍ୱିତୀୟ ଗୋଲ୍ କରିଥିଲେ । ତେବେ ଏହା ସ୍କୋର୍ଲାଇନ୍କୁ ବିଶେଷ ପ୍ରଭାବିତ କରିପାରି ନ ଥିଲା ଏବଂ ୯-୨ର ବଡ଼ ବ୍ୟବଧାନରେ ବିଜୟ ଲାଭ କରିଥିଲା ଅଷ୍ଟ୍ରେଲିଆ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *