କର୍ମଯୋଗୀ ହେବାକୁ ପରାମର୍ଶ
ରୋଜଗାର ମେଳା: ୭୧ହଜାର ପ୍ରତିଭାଙ୍କୁ ମିଳିଲା ନିଯୁକ୍ତି ପତ୍ର
ନୂଆଦିଲ୍ଲୀ (ଏଜେନ୍ସି): ଶୁକ୍ରବାର କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶବ୍ୟାପୀ ଆୟୋଜିତ ବିଶାଳ ରୋଜଗାର ମେଳା କାର୍ଯ୍ୟକ୍ରମରେ ମୋଦି ଭିଡିଓ କନଫରେନ୍ସିଂ ଦ୍ୱାରା ଯୋଗ ଦେବା ସହ ନୂଆ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନରେ ନିଯୁକ୍ତି ପାଇବା ପାଇଁ ଦେଶର କୋଣ ଅନୁକୋଣରୁ ଯୋଗ୍ୟ ବିବେଚିତ ହୋଇଥିବା ୭୧ ହଜାର ଯୁବ ପ୍ରତିଭାଙ୍କୁ ମୋଦିଙ୍କ ଉପସ୍ଥିତିରେ ନିଯୁକ୍ତିପତ୍ର ପ୍ରଦାନ କରାଯାଇଛି । ମୋଦିଙ୍କ ପ୍ରତିନିଧି ଭାବେ ଦେଶର ପ୍ରାୟ ସବୁ ରାଜ୍ୟରେ କେନ୍ଦ୍ରୀୟ ନେତାମାନେ କୃତୀ ପ୍ରତିଭାଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଛନ୍ତି । ସେହିପରି ନିଯୁକ୍ତି ପତ୍ର ବଣ୍ଟନ ସ୍ଥାନରେ ଲାଗିଥିବା ମୋଦିଙ୍କ ଆଉଟ୍ଲେଟ୍ ସହ ଛାତ୍ରଛାତ୍ରୀମାନେ ଛିଡା ହୋଇ ଫଟୋ ଉଠାଇଛନ୍ତି ।
ଏହି ଅବସରରେ ନୂଆକରି ସରକାରୀ ନିଯୁକ୍ତି ପାଇଥିବା ଯୁବପୀଢ଼ିଙ୍କୁ ମୋଦି ଭର୍ଚ୍ଚୁଆଲ୍ ସମ୍ବୋଧିତ କରିଛନ୍ତି । ନୂଆ ନିଯୁକ୍ତି ସହ ନୂଆ ଆହ୍ୱାନ ପାଇଁ ପ୍ରସ୍ତୁତ ରହିବାକୁ, କର୍ତ୍ତବ୍ୟପଥରୁ କଦାପି ବିଚୁ୍ୟତ ନହେବାକୁ ଏବଂ ସର୍ବୋପରି ଭ୍ରଷ୍ଟାଚାର, ଦୁର୍ନୀତି ଠାରୁ ଦୂରେଇ ରହି ନିଜ ଦାୟିତ୍ୱ ନିର୍ବାହ କରିବାକୁ ମୋଦି ଯୁବଗୋଷ୍ଠୀଙ୍କୁ ପରାମର୍ଶ ଦେଇଛନ୍ତି । ଭିଡିଓ କନ୍ଫରେନ୍ସିଂ କାଳରେ ପ୍ରଧାନମନ୍ତ୍ରୀ ମୋଦି, ରୋଜଗାର ମେଳା ଜରିଆରେ ନିଯୁକ୍ତି ପତ୍ର ପାଇଥିବା ଯୁବକ ଯୁବତୀଙ୍କ ସହ ମଧ୍ୟ କଥା ହୋଇଥିଲେ ଏବଂ ସେମାନଙ୍କ କର୍ମକ୍ଷେତ୍ରର ଅନୁଭୂତି ସମ୍ପର୍କରେ ଶୁଣିଥିଲେ । ସେହିପରି ନୂଆ ନିଯୁକ୍ତି ପତ୍ର ପାଇଥିବା ପ୍ରତିଭାମାନେ କର୍ମଯୋଗୀ ପ୍ରାରମ୍ଭ ମଡୁ୍ୟଲ୍ ସମ୍ପର୍କରେ ନିଜର ଅଭିଜ୍ଞତା ସମ୍ପର୍କରେ କହିଛନ୍ତି । ପ୍ରକାଶ, କର୍ମଯୋଗୀ ପରବ୍ରହ୍ମ ମଡୁ୍ୟଲ୍ ହେଉଛି ନିଯୁକ୍ତି ପାଉଥିବା ପିଲାମାନଙ୍କ ପାଇଁ ଏକ ଅନ୍ଲାଇନ୍ ଓରିଣ୍ଟେସନ୍ କାର୍ଯ୍ୟକ୍ରମ । ବିଭିନ୍ନ କ୍ଷେତ୍ରରେ ସେମାନଙ୍କ ଦକ୍ଷତା ବୃଦ୍ଧି କରିବାକୁ ଏପରି ବ୍ୟବସ୍ଥା କରାଯାଇଛି ।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ କାର୍ଯ୍ୟାଳୟ (ପିଏମ୍ଓ) ପକ୍ଷରୁ କୁହାଯାଇଛି ଯେ, ଏହି ନିଯୁକ୍ତି ମେଳା ଦେଶରେ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରାଥମିକତା ଦେବା ପାଇଁ ପ୍ରଧାନମନ୍ତ୍ରୀଙ୍କ ପ୍ରତିବଦ୍ଧତା ଦିଗରେ ଏକ ମହତ୍ୱପୂର୍ଣ୍ଣ ପଦକ୍ଷେପ । ଏହା ଯୁବପୀଢ଼ିଙ୍କୁ ସଶକ୍ତ ଏବଂ ରାଷ୍ଟ୍ର ବିକାଶରେ ଯୋଗଦାନ ଦେବାର ଅବସର ପ୍ରଦାନ କରିବା ସହ ଦକ୍ଷ ପ୍ରତିଭାଙ୍କୁ ଆଗକୁ ଆଣିବାରେ ସହାୟକ ହେବ ।