ଆନନ୍ଦବଜାର ପାଲଟିଲା ରଣକ୍ଷେତ୍ର

ପୁଣି ଶ୍ରୀମନ୍ଦିର ସଂସ୍କାର ପଦାରେ ପଡ଼ିଲା
ପୁରୀ (ବୁ୍ୟରୋ): ଶ୍ରୀମନ୍ଦିର ପରିଚାଳନାରେ ସଂସ୍କାର ଆଣିବା ଲାଗି ଅନେକ କଟକଣା ଜାରି କରାଯାଇଥିଲା । ଏପରିକି ଠାକୁରଙ୍କ ନୀତିକାନ୍ତି ଠାରୁ ଆରମ୍ଭ କରି ଭକ୍ତଙ୍କୁ ଉତ୍ତମ ବ୍ୟବହାର, ଦକ୍ଷିଣା ନ ମାଗିବା ଓ ସେବାୟତମାନେ ନିଜ ନିଜ ସହମତିରେ ଠାକୁରଙ୍କ ସେବା ନୀତି ସମ୍ପନ୍ନ କରିବେ । ଏହାକୁ ନେଇ ମଧ୍ୟ ସେବାୟତଙ୍କୁ ବାରମ୍ବାର ପ୍ରଶାସନ ଓ ସରକାରଙ୍କ ପକ୍ଷରୁ ଅନୁରୋଧ କରାଯାଇଛି । ତତ୍ସହିତ ସେମାନଙ୍କୁ ମଧ୍ୟ ବାହାର ରାଜ୍ୟର ବିଭିନ୍ନ ଦେବାଳୟ ପୀଠକୁ ପରିଭ୍ରମଣ କରିଛନ୍ତି । ଫଳରେ ସେବାୟତଙ୍କ ମଧ୍ୟରେ କିଛି ଅଘଟଣ ନ ହେବ ଓ ସେମାନଙ୍କ ପ୍ରାପ୍ୟ ସଠିକ୍ ଭାବେ ମିଳିବ ସେ ନେଇ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଘନ ଘନ ବୈଠକ ଅନୁଷ୍ଠିତ ହୋଇଥିଲା । ସେ ସବୁ ପରିକଳ୍ପନା ଆଜି ଫସର ଫାଟିଯାଇଛି ।
ଗୁରୁବାର ଶ୍ରୀମନ୍ଦିର ପରିସରରେ କୋଠ ଭୋଗକୁ କେନ୍ଦ୍ର କରି ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ୟରେ ହାତାହାତି ପରିସ୍ଥିତି ସୃଷ୍ଟି ହୋଇଥିଲା । ପରିସ୍ଥିତି ଏଭଳି ହୋଇଥିଲା ଯେ, ଦୁଇ ସେବାୟତଙ୍କ ମଧ୍ୟରେ ଗଣ୍ଡଗୋଳରୁ ତାହା ଗୋଷ୍ଠୀ ସଙ୍ଘର୍ଷରେ ପରିଣତ ହୋଇଥିଲା । ଏପରିକି ଘଟଣା ଏଭଳି ଉଗ୍ର ହୋଇଥିଲା ଯେ ଘଟଣା ସିଂହଦ୍ୱାର ଥାନାରେ ପହଞ୍ଚିଥିଲା । ଏହି ଘଟଣାରେ ଉଭୟ ପକ୍ଷରୁ ଦୁଇଜଣ ସେବାୟତ ଆହତ ହୋଇଥିବା ଜଣାପଡିଛି । ଉକ୍ତ ଘଟଣାକୁ ଚାପି ଦେବା ଲାଗି ସେବାୟତଙ୍କ ପକ୍ଷରୁ ଉଦ୍ୟମ ଆରମ୍ଭ ହୋଇଛି । ଥାନାରେ ଅଭିଯୋଗ ହୋଇଥିଲେ ସୁଦ୍ଧା ସେମାନଙ୍କ ମଧ୍ୟରେ ଆପୋଷ ସମାଧାନ ହୋଇଯାଇଛି ବୋଲି ଥାନାଧିକାରୀ ସୁରେଶ ପୃଷ୍ଟି ସୂଚନା ଦେଇଛନ୍ତି । ଏନେଇ ଥାନାରେ କୌଣସି ମାମଲା ରୁଜୁ କରାଯାଇ ନାହିଁ ।
ସୂଚନାଯୋଗ୍ୟ ଗୁରୁବାର ଶ୍ରୀମନ୍ଦିରରେ ଠାକୁରଙ୍କ ନିକଟରେ ସକାଳଧୂପ ଶେଷ ହେବା ପରେ ସୁଆର ସେବାୟତ କୋଠ ଭୋଗ ସେବାୟତଙ୍କୁ ଖେଇ ଆକାରରେ କୋଠ ଭୋଗ ଦେଇଥିଲେ । ଖେଇ ଯେତିକି ପରିମାଣର କୋଠଭୋଗରେ ମିଳିବା କଥା ତା’ଠାରୁ କମ୍ ମିଳିଥିଲା । ପରେ ଏହାକୁ ନେଇ ଆନନ୍ଦବଜାର ପରିସରରେ କୋଠ ଭୋଗକୁ ନେଇ ସୁଆର ଓ କୋଠଭୋଗ ସେବାୟତଙ୍କ ମଧ୍ୟରେ ଆରମ୍ଭ ହୋଇଥିଲା ଯୁକ୍ତିତର୍କ । ଶେଷରେ ଯୁକ୍ତିତର୍କ ଉଗ୍ରରୂପ ନେଇଥିଲା । ଦୁଇ ସେବାୟତଙ୍କ ମଧ୍ୟରେ ହାତାହାତି ହୋଇଥିଲେ । ଏଥିରେ କୋଠଭୋଗ ସେବାୟତ ନୃସିଂହଆପଟ ଓ ସୁଆର ସେବାୟତ ହରେକୃଷ୍ଣ ମହାନ୍ତି ସାମାନ୍ୟ ଆହତ ହୋଇଥିବା ଜଣାପଡ଼ିଛି ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *