ପୁଲ୍ ଟପ୍ପର୍ ହୋଇ ପାରିଲାନି ଭାରତ

ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨ଠ୨୩
ଭୁବନେଶ୍ୱର, ୧୯ା୧ (ବୁ୍ୟରୋ): ଏଫ୍ଆଇଏଚ୍ ଓଡ଼ିଶା ହକି ପୁରୁଷ ବିଶ୍ୱକପ୍ ୨୦୨୩ରେ ଗୁରୁବାର କଳିଙ୍ଗ ହକି ଷ୍ଟାଡିୟମ୍ ଠାରେ ଭାରତ ନିଜ ଶେଷ ପୁଲ୍ ମ୍ୟାଚ୍ରେ ୪-୨ ଗୋଲ୍ରେ ୱେଲ୍ସକୁ ପରାସ୍ତ କରିଛି । ଏହି ବିଜୟ ସତ୍ତ୍ୱେ ଭାରତ ପୁଲ୍-ଡି’ରେ ୭ ପଏଣ୍ଟ ପାଇ ଦ୍ୱିତୀୟ ସ୍ଥାନରେ ରହିଛି । ପୁଲ୍ ପର୍ଯ୍ୟାୟରେ ଆୟୋଜକ ଟିମ୍ ଦୁଇଟି ମ୍ୟାଚ୍ ଜିିତିଥିବା ବେଳେ ଗୋଟିଏ ମ୍ୟାଚ୍ ଡ୍ର’ ରଖିଥିଲା । ଇଂଲଣ୍ଡ ସମାନ ୭ ପଏଣ୍ଟ ପାଇଥିଲେହେଁ ଗୋଲ୍ ବ୍ୟବଧାନ ଦୃଷ୍ଟିରୁ ଆଗରେ ରହି ସିଧା କ୍ୱାର୍ଟର୍-ଫାଇନାଲ୍ରେ ପ୍ରବେଶ କରିଛି ।
ଭାରତକୁ ଏବେ କ୍ୱାର୍ଟର୍-ଫାଇନାଲ୍କୁ ଯିବା ପାଇଁ କ୍ରସ୍ଓଭର୍ ମ୍ୟାଚ୍ ଜିତିବାକୁ ହେବ । ଆସନ୍ତା ୨୨ରେ ଦ୍ୱିତୀୟ କ୍ରସ୍ଓଭର୍ ମ୍ୟାଚ୍ରେ ଆୟୋଜକ ଟିମ୍ ପୁଲ୍-ସି’ର ତୃତୀୟ ଟିମ୍ ନୁ୍ୟଜିଲାଣ୍ଡକୁ ଭେଟିବ । ଏହି ମ୍ୟାଚ୍ ଜିତିବାସ୍ଥଳେ ଭାରତ ୨୪ରେ ହେବାକୁ ଥିବା କ୍ୱାର୍ଟର୍-ଫାଇନାଲ୍ରେ ପୁଲ୍-ବି’ ଟପ୍ପର୍ର ଆହ୍ୱାନର ସମ୍ମୁଖୀନ ହେବ । ୨୨ରେ ହେବାକୁ ଥିବା ପ୍ରଥମ କ୍ରସ୍ଓଭର୍ ମ୍ୟାଚ୍ରେ ପୁଲ୍-ସି’ର ଦ୍ୱିତୀୟ ଟିମ୍ ମାଲେସିଆ ଓ ପୁଲ୍-ଡି’ର ତୃତୀୟ ଟିମ୍ ସ୍ପେନ୍ ମଧ୍ୟରେ ମୁକାବିଲା ହେବ ।
ଭାରତ ଓ ୱେଲ୍ସ ମଧ୍ୟରେ ଏହା ପୂର୍ବରୁ ତିନି ଥର ମୁକାବିଲା ହୋଇଥିଲା ଏବଂ ଭାରତୀୟ ଟିମ୍ ସମସ୍ତ ମ୍ୟାଚ୍ ଜିତିଥିଲା । ଶେଷ ଥର ରାଜ୍ୟଗୋଷ୍ଠୀ କ୍ରୀଡ଼ା ୨୦୨୨ରେ ଉଭୟ ଟିମ୍ ମୁହାଁମୁହିଁ ହୋଇଥିଲେ, ଯେଉଁଥିରେ ଭାରତ ୪-୧ରେ ବାଜିମାତ୍ କରିଥିଲା । ଭାରତୀୟ ଟିମ୍ ୱେଲ୍ସ ବିପକ୍ଷ ବିଜୟ ଧାରାକୁ ଅବ୍ୟାହତ ରଖିଛି । ଳିତ ବିଶ୍ୱକପ୍ରେ ଭାରତୀୟ ଟିମ୍ ସ୍ପେନ୍କୁ ୨-୦ରେ ହରାଇ ଅଭିଯାନ ଆରମ୍ଭ କରିଥିବା ବେଳେ ଇଂଲଣ୍ଡ ବିପକ୍ଷ ମ୍ୟାଚ୍କୁ ଗୋଲ୍ଶୂନ୍ୟ ଡ୍ର’ ରଖିଥିଲା । ଅନ୍ୟପଟେ, ୱେଲ୍ସ ଟିମ୍ ପ୍ରଥମ ମ୍ୟାଚ୍ରେ ଇଂଲଣ୍ଡ ଠାରୁ ୦-୫ ଓ ଦ୍ୱିତୀୟ ମ୍ୟାଚ୍ରେ ସ୍ପେନ୍ ଠାରୁ ୧-୫ରେ ହାରିଯାଇଥିଲା । ବିଶ୍ୱ ମାନ୍ୟତାର ପଞ୍ଚମ ଟିମ୍ ଭାରତ ପକ୍ଷରୁ ଆକାଶଦୀପ ସିଂହ (୩୨ତମ, ୪୫ତମ ମିନିଟ୍) ଦୁଇଟି ଏବଂ ଶମ୍ଶେର୍ ସିଂହ (୨୧ତମ) ଓ ଅଧିନାୟକ ହରମନପ୍ରୀତ ସିଂହ (୫୯ତମ) ଗୋଟିଏ ଲେଖାଏଁ ସ୍କୋର୍ କରିଥିଲେ । ଜବାବରେ ୧୪ତମ ଟିମ୍ ୱେଲ୍ସ ପକ୍ଷରୁ ଗାରେଥ୍ ଫର୍ଲଙ୍ଗ (୪୨ତମ) ଓ ଜ୍ୟାକୋବ୍ ଡ୍ରାପର୍ (୪୪ତମ) ଗୋଲ୍ ଦେଇଥିଲେ । ମ୍ୟାଚ୍ରେ ମୋଟ୍ ଦଶ ପେନାଲ୍ଟି କର୍ଣ୍ଣର ହୋଇଥିଲା । ସେଥିମଧ୍ୟରୁ ଭାରତ ସାତ ପିସି ଜିତିଥିଲା । ୱେଲ୍ସର ଦୁଇ ଖେଳାଳିଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା ।
ଉଭୟ ଟିମ୍ ମଧ୍ୟରେ ପ୍ରଥମରୁ ଆକ୍ରମଣାତ୍ମକ ଖେଳ ହୋଇଥିଲା । ତେବେ ପ୍ରଥମ କ୍ୱାର୍ଟରରେ କେହି କାହା ବିପକ୍ଷରେ ଗୋଲ୍ କରିପାରି ନ ଥିଲେ । ଗୋଟିଏ ସମୟରେ ଭାରତ ଦୁଇଥର ଗୋଲ୍ର ନିକଟତର ହୋଇଥିବା ବେଳେ ୱେଲ୍ସ ଗୋଲ୍କିପର୍ ସୁନ୍ଦର ଢଙ୍ଗରେ ସେଭ୍ କରିଥିଲେ ।
ଦ୍ୱିତୀୟ କ୍ୱାର୍ଟରର ଦ୍ୱିତୀୟ ମିନିଟ୍ରେ ଭାରତ ପ୍ରଥମ ପେନାଲ୍ଟି କର୍ଣ୍ଣର ହାସଲ କରିଥିଲା; କିନ୍ତୁ ଏଥିରୁ ଗୋଲ୍ ହୋଇ ନ ଥିଲା । ଏହାର ଚାରି ମିନିଟ୍ ପରେ ଆୟୋଜକ ଟିମ୍କୁ ଆଉ ଏକ ପିସି ମିଳିଥିଲା । ଡ୍ରାଗ୍ଫ୍ଲିକର୍ ଶମ୍ଶେର୍ ସିଂହ ଡିଫ୍ଲେକ୍ସନ୍ରୁ ଗୋଲ୍ କରି ଭାରତକୁ ଅଗ୍ରଣୀ କରିଥିଲେ ।
ମଧ୍ୟାନ୍ତର ସୁଦ୍ଧା ଭାରତୀୟ ଟିମ୍ ୧-୦ରେ ଆଗରେ ଥିଲା । ପାଶ୍ୱର୍ ପରିବର୍ତ୍ତନ ପରେ ୱେଲ୍ସ ପ୍ରଥମ ମିନିଟ୍ରେହିଁ ପିସି ଜିତିଥିଲା । ଅବଶ୍ୟ ଏହା ନିଷ୍ଫଳ ହୋଇଥିଲା । ଏହାର ଏକ ମିନିଟ୍ ପରେ ଆକାଶଦୀପ ସିଂହ ଭାରତ ପକ୍ଷରୁ ଚିତ୍ତାକର୍ଷକ ଫିଲ୍ଡ ଗୋଲ୍ ଦେଇ ସ୍କୋର୍ଲାଇନ୍କୁ ୨-୦ରେ ପହଞ୍ଚାଇଥିଲେ । ଉକ୍ତ ମିନିଟ୍ରେ ଭାରତ ଏକ ପିସି ଜିତିଥିଲା ଏବଂ ଏହାର ତିନି ମିନିଟ୍ ପରେ ଆଉ ଏକ ପିସି ହାସଲ କରିଥିଲା । କିନ୍ତୁ ଦୁଇଟିଯାକ କାମରେ ଆସି ନ ଥିଲା ।
୩୯ତମ ମିନିଟ୍ରେ ରୋଦ୍ରି ଫର୍ଲଙ୍ଗଙ୍କୁ ରେଫରୀ ଗ୍ରୀନ୍କାର୍ଡ ପ୍ରଦର୍ଶନ କରିଥିଲେ । ଏହାପରେ ଭାରତ କ୍ରମାଗତ (୪୦ତମ ଓ ୪୧ତମ) ପିସି ଜିତିଥିଲା । କିନ୍ତୁ ୱେଲ୍ସ ଟିମ୍ ଏହାକୁ ବିଫଳ କରିଦେଇଥିଲା । ୪୨ତମ ମିନିଟ୍ରେ ୱେଲ୍ସ ଦ୍ୱିତୀୟ ପିସି ଜିତିଥିଲା । ଗାରେଥ୍ ଫର୍ଲଙ୍ଗ ଏହାକୁ ଗୋଲ୍ରେ ପରିଣତ କରି ସ୍କୋର୍ ବ୍ୟବଧାନ ହ୍ରାସ କରିଥିଲା । ଏହାର ଦୁଇ ମିନିଟ୍ ପରେ ମିଳିଥିବା ଆଉ ଏକ ପିସିରୁ ଗୋଲ୍ କରି ୱେଲ୍ସ ଟିମ୍ ସ୍କୋର୍କୁ ୨-୨ରେ ପହଞ୍ଚାଇଥିଲା ।
ଏହାପରେ ମୁକାବିଲାର ରୋମାଞ୍ଚ ବଢ଼ିଯାଇଥିଲା । ୪୫ତମ ମିନିଟ୍ରେ ଆକାଶଦୀପ ସିଂହ ବ୍ୟକ୍ତିଗତ ଦ୍ୱିତୀୟ ତଥା ଟିମ୍ ପକ୍ଷରୁ ତୃତୀୟ ଗୋଲ୍ କରି ମ୍ୟାଚ୍କୁ ଭାରତ ପଟକୁ ଆଣିଥିଲେ ।
ଅନ୍ତିମ କ୍ୱାର୍ଟରରେ ଭାରତ ଅଗ୍ରଣୀ ବଢ଼ାଇବା ପାଇଁ ପ୍ରୟାସ କରିଥିଲା । ଇତ୍ୟବସରେ ୫୫ତମ ମିନିଟ୍ରେ ରୁପର୍ଟ ଶିପରଲିଙ୍କୁ ଗ୍ରୀନ୍ କାର୍ଡ ପ୍ରଦର୍ଶନ କରାଯାଇଥିଲା ।
ମ୍ୟାଚ୍ ଶେଷ ହେବାକୁ ଗୋଟିଏ ମିନିଟ୍ ବାକି ଥିବା ବେଳେ ଭାରତକୁ ସପ୍ତମ ପିସି ମିଳିଥିଲା । ଅଧିନାୟକ ହରମନପ୍ରୀତ ସିଂହ ଏଥିରୁ ଗୋଲ୍ କରିବାରେ ଆଦୌ ତ୍ରୁଟି କରି ନ ଥିଲେ । ଏଥିସହିତ ୪-୨ରେ ମ୍ୟାଚ୍ ଜିତିଥିଲା ଭାରତ ।

About Author

ଆମପ୍ରତି ସ୍ନେହ ବିସ୍ତାର କରନ୍ତୁ

Leave a Reply

Your email address will not be published. Required fields are marked *